ମାଣିତରାରେ ମହାସମାରୋହରେ ମା’ ଗଜଲକ୍ଷ୍ମୀ ପୂଜା
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାଣିତରା ଗ୍ରାମର ବ୍ୟବସାୟୀ ବୃନ୍ଦଙ୍କ ଦ୍ୱରା ରବିବାର ଦିନ ମା’ଙ୍କ ସ୍ଥାୟୀ ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀ ଙ୍କ ମୃଣ୍ମୟ ମୂର୍ତ୍ତି ପାରମ୍ପାରିକ ରୀତିନୀତିରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପୁରୋହିତ କୁମୁଦ ଚନ୍ଦ୍ର ମିଶ୍ର ମା’ଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରତିମା ପୋଲାଇ ଓ ବେବୁନା ପୋଲାଇ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ମା’ଙ୍କ ପୂଜା ସମୟରେ ପୁରୋହିତଙ୍କ ମନ୍ତ୍ର, ଘଣ୍ଟ, ମୃଦଙ୍ଗ, ଶଙ୍ଖ ଓ ହୁଳହୁଳି ଧ୍ୱନୀରେ ପୂଜା ମଣ୍ଡପ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମାଞ୍ଚଳରେ ଏହି ପୂଜା ହେଉଥିବା ବେଳେ ମାଣିତରା ଗ୍ରାମବାସୀଙ୍କ ସମେତ ନିକଟସ୍ଥ ଭୋଗଡା, ନଗୁଡୁ, ଘୋଳପୁର, ତାମ୍ବୀରି, ମକରାପଲ୍ଲୀ, ସାପୁଆପଲ୍ଲୀ, ମଙ୍ଗରାଜପୁର ପ୍ରଭୃତି ଗ୍ରାମର ବହୁ ଶ୍ରଦ୍ଧାଳୁ ବୃନ୍ଦ ଆସି ମା’ଙ୍କ ଦର୍ଶନ କରିଥିଲେ। ମେଢ଼ ଓ ଆଲୋକସଜ୍ଜା ଦ୍ୱାରା ପୂଜା ମଣ୍ଡପ ଝଲସି ଉଠୁଥିଲା। ପୂଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।