‘ମାତୃଭୂମି-ମାତୃଭାଷା ସୁରକ୍ଷାରେ ବ୍ୟାସକବି ସାରା ଜୀବନ ସଂଗ୍ରାମ କରିଥିଲେ
ବାଲେଶ୍ୱର, (ସରୋଜ ପଣ୍ଡା):‘ମାତୃଭାଷା ପ୍ରତି ଯାହା ମନରେ ସରାଗ ନାହିଁ ସେ ଅବା କେଉଁ ମଣିଷରେ ଗଣା । ତୋଷାମଦିଆର ଘର ନାହିଁ କି ସମାଜ ନାହିଁ । ବ୍ରିଟିଶ ସରକାରଙ୍କ ବିଭତ୍ସ ଶୋଷଣ ବିରୋଧରେ ସାହିତ୍ୟ ମାଧ୍ୟମରେ ବ୍ୟାସକବି ଉତ୍ତୋଳନ କରିଥିବା ସ୍ୱର ଏକ ଆନ୍ଦୋଳନର ରୂପ ନେଇଥିଲା’ ବୋଲି କବିତୀର୍ଥ ଶାନ୍ତିକାନନରେ ଅନୁଷ୍ଠିତ କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ୧୮୧ତମ ଜୟନ୍ତୀ ସମାରୋହ ଓ ଫକୀର ମୋହନ ସାହିତ୍ୟ ପରିଷଦର ୭୬ତମ ରତ୍ନୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶିଷ୍ଟ ସାହିତିକ ବିଶ୍ୱଭୂଷଣ ହରିଚନ୍ଦନ ମତପ୍ରକାଶ କରିଛନ୍ତି । ଆଧୁନିକ ସାହିତ୍ୟର ସ୍ରଷ୍ଟା ଭାବେ ବ୍ୟାସକବି ଜୀବନ ତମାମ ସାହିତ୍ୟ ଜରିଆରେ ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରଖିଥିଲେ ବୋଲି ସେ କହିଥିଲେ । ବ୍ୟାସକବି ତାଙ୍କ ସାହିତ୍ୟରେ ଭଗୀଆ-ସାରିଆ ଚରିତ୍ର ମାଧ୍ୟମରେ ଅତି ସାଧାରଣ ମଣିଷ ତଥା ଗରିବ ଅବହେଳିତ ବର୍ଗଙ୍କ ବାସ୍ତବ ଜୀବନକୁ ପ୍ରତିଫଳିତ କରିଛନ୍ତି । ରାମାୟଣ ମହାଭାରତ ଭଳି ପୁରାଣ ସାଙ୍ଗକୁ ସମାଜର ପ୍ରତିଟି କ୍ଷେତ୍ରକୁ ତାଙ୍କ ସାହିତ୍ୟ ସ୍ୱର୍ଶ କରିପାରିଛି । ଫକୀର ମୋହନଙ୍କ ଭଳି ସବୁକାଳରେ ସାହିତ୍ୟ ସମାଜର ସ୍ୱର ହେଉ ବୋଲି ରାଜ୍ୟପାଳ ସାମ୍ପ୍ରତିକ ସାରସ୍ୱତ ସାଧକଙ୍କୁ ଆହ୍ୱାନ ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଉପଦେଷ୍ଟା ପରିଷଦର ଆବାହକ ବିଶିଷ୍ଟ ସାହିତ୍ୟିକ ଡ. ବିଜୟାନନ୍ଦ ସିଂହ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ୟାସକବିଙ୍କ ସାହିତ୍ୟ କୃତି ତତ୍କାଳୀନ ଭାରତୀୟ ସାହିତ୍ୟର ବାସ୍ତବବାଦୀ ଯୁଗ ଆରମ୍ଭ କରିଥିଲା ବୋଲି କହିଥିଲେ । ଯେତେବେଳେ ସମଗ୍ର ବିଶ୍ୱ କ୍ଷମତା ଓ ଭୂମି ପାଇଁ ଆନ୍ଦୋଳନ ତଥା ଯୁଦ୍ଧ ହେଉଥିଲା ଠିକ ସେତିକି ବେଳେ ବ୍ୟାସକବି ଫକୀର ମୋହନ ସେନାପତି ସାଜି ଭାଷା ସାହିତ୍ୟ ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ । ଓଡ଼ିଆ ଜାତିର ପରିଚିତି ଭିତ୍ତିଭୂମିର ବିକାଶ ପାଇଁ ଅହରହ ଚେଷ୍ଟା କରିଥିଲେ ବୋଲି ଡ. ସିଂହ କହିଥିଲେ । ତେବେ ଫକୀର ମୋହନଙ୍କ ରଚିତ ଗଳ୍ପକୁ ଅନ୍ୟୁନ ୭ଟି ଭାଷାରେ ଅନୁବାଦ ପାଇଁ ସାହିତ୍ୟ ଏକାଡେମୀ ପକ୍ଷରୁ ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଫକୀର ମୋହନ ସେନାପତିଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାରସ୍ୱତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ସଫଳତା ପାଇଁ ବହୁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ପରିଷଦର ମୁଖପତ୍ର ‘ସାହିତ୍ୟ ବାହିକା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପରିଷଦର ସମ୍ପାଦକ ଦୀପକ ବୋଷ ଏହି ସଭାରେ ବିବରଣୀ ଉପସ୍ଥାପନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଦେବୀ, ସ୍ନିଗ୍ଧା ସାମନ୍ତରାୟ, କଲ୍ୟାଣୀ ନନ୍ଦ, ସୁବ୍ରତା ମହାନ୍ତି, ଜ୍ୟୋତ୍ସ୍ନା ରାୟ, ପ୍ରୀତିଲେଖା ଦାସ, ପ୍ରତିମା ପଣ୍ଡା, ରାଜସ୍ମିତା ସାହୁ, ଅର୍ଚ୍ଚନା ନନ୍ଦୀ, ସ୍ମୃତି ଦାସ, ଦୀପ୍ତିଲତା ଦାସ, ପ୍ରଦୀପ୍ତ ମହାନ୍ତି, ରାଜେଶ ଗିରି ପ୍ରମୁଖ ମାନପତ୍ର ପାଠ କରିଥିଲେ । କୋଷାଧ୍ୟକ୍ଷ ତପନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ଣ ଅଧିବେଶନରେ ସାହିତ୍ୟ ଆଲୋଚନା ହୋଇଥିବା ବେଳେ ସଂଧ୍ୟାରେ ବ୍ୟାସକବିଙ୍କ ରଚିତ ‘ରେବତୀ’ ନାଟକ ମଞ୍ଚସ୍ଥ ହୋଇଥିଲା