ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଧାନର ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ସହାୟତା ପ୍ରଦାନର ଶୁଭାରମ୍ଭ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବରଗଡ଼ ଜିଲ୍ଲାର ସୋହେଲାଠାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ବାଦ ଅତିରିକ୍ତ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, କେନ୍ଦୁଝର ଶ୍ରୀ ଅନନ୍ତ ନାୟକ,ମାନ୍ୟବର ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ଅତିତିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ ଯୋଗ ଦେଇଥିଲେ । ନିଜ ଅଭିଭାଷଣରେ ସାଂସଦ ଶ୍ରୀ ନାୟକ, ଆଜିର ଦିନ ଚାଷୀ ଏବଂ ଚାଷ ପାଇଁ ଐତିହାସିକ ବୋଲି ଅଭିହିତ କରି ଉପସ୍ଥିତ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କୃଷି ଏବଂ କୃଷକ ମାନଙ୍କ ଆର୍ଥିକ ଅଭିବୃଦ୍ଧି ଲାଗି ଉଦ୍ଦିଷ୍ଟ ଏହି ପଦକ୍ଷେପ ନିଆଯାଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଚାଷୀ ଭାଇ ଭଉଣୀ ମାନେ ଯେପରି ଧାନ ସଂଗ୍ରହ, ବିକ୍ରି ଏବଂ ଅତିରିକ୍ତ ଇନପୁଟ ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ ବନ୍ଧୁ ମାନେ ଯୋଗ ଦେଇ ବରଗଡ଼ରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ । କୃଷି ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସଭାସ୍ଥଳ ସନ୍ନିକଟରେ ବିଭିନ୍ନ ଷ୍ଟଲ ଖୋଲା ଯାଇ ଚାଷୀ ବନ୍ଧୁ ମାନଙ୍କୁ ଚାଷ ଓ ଧାନ ବିକ୍ରୟ ସମ୍ବଳିତ ସୂଚନାପୁସ୍ତିକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ରଥ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ