ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ଦିନିକିଆ ଶ୍ରାବଣ ମେଳା
ବାଲେଶ୍ୱର, (ସରୋଜ ପଣ୍ଡା) :-ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ବାଲେଶ୍ୱର ଶାଖା ପକ୍ଷରୁ ଦିନିକିଆ ଶ୍ରାବଣ ମେଳା ସହରର ମୋତିଗଞ୍ଜ ରାଜସ୍ତାନ ଭବନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ମେଳା ମହିଳାଙ୍କୁ ସ୍ୱାବଲମ୍ବୀ କରିଥିବା ବେଳେ ଏଥିରୁ ମିଳୁଥିବା ଲାଭାଂଶ ଗରିବ ଅସହାୟଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବାର ମାନସିକତା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଥିଲେ । ମହିଳା ସମ୍ମେଳନର ନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଞ୍ଜୁ ସରାୱଗୀ, ମହିଳା ସଶକ୍ତୀକରଣ ପ୍ରମୁଖ ସୁନୀତା ମିଶ୍ରା ଓ କୋଷାଧ୍ୟକ୍ଷ ଗୀତା ସୁମାନୀ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଏହି ମେଳା ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ । ବାଲେଶ୍ୱର ମହିଳା ସମ୍ମେଳନର ସଭାପତି ପ୍ରିୟା ଅଗ୍ରୱାଲ ଏଥିରେ ଅଧ୍ୟକ୍ଷା କରିବା ସହିତ ଶ୍ରାବଣ ମେଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଂଗଠନର ସମ୍ପାଦିକା ସୋନାଲ ମୋଦି ଏହି ମେଳାର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱରର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ସମେତ ବାରିପଦା, କୋଲକାତା, କଟକ, ଭୁବନେଶ୍ୱର, ଖଡ଼ଗପୁର ପ୍ରଭୃତି ସ୍ଥାନରୁ ମହିଳା ଉଦ୍ୟୋଗୀ ମାନେ ଏହି ମେଳାରେ ଷ୍ଟଲ ଲଗାଇଥିବା ସେ କହିଥିଲେ । ବିଶେଷ କରି ମହିଳାଙ୍କ ପାଇଁ ବିଭିନ୍ନ ଡିଜାଇନର ଡ୍ରେସ, ଶାଢ଼ୀ, ଠାକୁର ପୋଷାକ, ରାକ୍ଷୀ, ବିଭିନ୍ନ ପ୍ରସାଧନ ସାମଗ୍ରୀ, ଗିଫ୍ଟ ଆଇଟମ, ପିଲାଙ୍କ ଖେଳଣା ସମେତ ବିଭିନ୍ନ ପ୍ରକାରର ସାମଗ୍ରୀ ଏହି ମେଳା ଷ୍ଟଲମାନଙ୍କରେ ବିକ୍ରି ହେଉଛି । ଅତିଥିମାନେ ଷ୍ଟଲ ବୁଲିବା ସହିତ ସାମଗ୍ରୀର ବ୍ୟବହାର ଓ ଗୁଣବତା ସମ୍ପର୍କରେ ପଚାରି ବୁଝିଥିଲେ ।