ମାଲକାନଗିରି ଅଙ୍ଗନବାଡ଼ି ଖାଦ୍ୟ ନିକୃଷ୍ଟମାନର ଏବଂ ହାନୀକାରକ : ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ, ଓଡ଼ିଶା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ରାଜ୍ୟରେ ମୁଖ୍ୟତଃ ଅନଗ୍ରସର ଆଦିବାସୀ ବହୁଳ ଜିଲ୍ଲାରେ ଶିଶୁମାନଙ୍କୁ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯେଗାଇଦେବା ଏବଂ ଶିଶୁ ପୁଷ୍ଟିହୀନତାକୁ ରୋକିବା ପାଇଁ ରାଜ୍ୟ ସରକାର ଆଇସିଡ଼ିଏସ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ସରକାର ଛୋଟ ପିଲା (୬ମାରୁ ୬ ବର୍ଷ), ଗର୍ଭବତୀ, ପ୍ରସୂତି ମା’ମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯଥା ଛତୁଆ, ସୁଜି, ହାଲୁଆ, ଅଣ୍ଡା, ବାଦାମ ଲଡ଼ୁ ଇତ୍ୟାଦି ଦିଆଯଉଛି । କିନ୍ତୁ ଉକ୍ତ ଖାଦ୍ୟଶସ୍ୟ ଅତ୍ୟନ୍ତ ନିକୃଷ୍ଟମାନର ଏବଂ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ରାଇଟ୍ ଟୁ ଫୁଡ଼୍ କ୍ୟାମ୍ପେନ, ଓଡ଼ିଶା ତରଫରୁ ଅଭିଯୋଗ କରାଯାଇ ଏହାର ତଦନ୍ତ ଦାବୀ କରାଯାଇଛି ।ମାଲକାନଗିରି ଜିଲ୍ଲାରେ ଶିଶୁ ପୁଷ୍ଟିହୀନତା ଏଂବ ଆଇସିଡ଼ିଏସ୍ ଯୋଜନାର କାର୍ଯ୍ୟକାରିତାର ଅନୁଧ୍ୟାନ କରିବାକୁ ରାଇଟ୍ ଟୁ ଫୁଡ଼୍ କ୍ୟାମ୍ପେନ, ଓଡ଼ିଶାର ଏକ ପ୍ରତିନିଧି ଦଳ ଗତ ୧୦ ଏବଂ ୧୧ ନଭେମ୍ବର ୧୯ରେ ଗସ୍ତ କରିଥିଲେ । ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ସମେତ ଅନ୍ୟ ଦୁଇଜଣ ସଦସ୍ୟ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାର ଚିତ୍ରକୁଣ୍ଡା ବ୍ଲକର ପାପରମେଲଟା ଗ୍ରାମ ପଞ୍ଚାୟତ ଏବଂ ଖଇରପୁର ବ୍ଲକର ବଣ୍ଡା ହିଲ୍‌ର ମୁଦୁଲିପଡ଼ା ଗ୍ରାମପଞ୍ଚାୟତ ବୁଲି ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥିବା ପିଲାମାନଙ୍କର ସ୍ଥିତି, ଆଇସିଡ଼ିଏସ୍ ଯୋଜନା ଅନୁଧ୍ୟାନ କରିଥିଲେ । ବଣ୍ଡା ଜନଜାତି ପିଲାଙ୍କ ମଧ୍ୟରେ ଅନେକ ଅନାଥ ଶିଶୁ ଏବଂ ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁ ଅନୁଧ୍ୟାନକାରୀ ଦଳ ଦେଖିବାକୁ ପାଇଥିଲେ । ଦୁଇଟି ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରାଯାଇ ଆଇସିଡ଼ିଏସ୍ ଯୋଜନାରେ କାର୍ଯ୍ୟକାରିତା ସମ୍ପକଅର୍ରେ ଅନେକ ତଥ୍ୟ ସଂଗ୍ରହ କରାଯାଇଥିଲା । ଅଙ୍ଗନବାଡ଼ି କର୍ମୀ, ହିତାଧିକାୀମାନଙ୍କ ସହିତ ଆଲୋଚନା ସମୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଛତୁଆ, ଚାଉଳ, ବାବାମଲଡ଼ୁ ଏବଂ ସୁଜି ହାଲୁଆ ଯୋଗାଣ ଏବଂ ଆବଣ୍ଟନରେ ବ୍ୟାପକ ଅନିୟମିତତା ଏବଂ ଠକାମୀ ହେଉଥିବାର ଜଣାପଡ଼ିଥିଲା ଏବଂ ହିତାଧିକାରୀମାନେ ମଧ୍ୟ ଅଭିଯୋଗ କରିଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ଏବଂ ସୁଜି ହାଲୁଆର ଓଜନ କରାଯାଇଥିଲା । ଚିିତ୍ରକୁଣ୍ଡାସ୍ଥିତ ଲକ୍ଷେହୀରା ମହିଳା ସମବାୟ ସମିତି ତରଫରୁ ଯୋଗାଇ ଦିଆଯାଇଥିବା ଛତୁଆ ପ୍ୟାକେଟରେ ୨.୨୦୫ କେଜିର ଛତୁଆ ଥିବାର ଦର୍ଶାଯାଇଥିବା ବେଳେ ଓଜନ ସୟମରେ ଏହି ପ୍ୟାକେଟ୍‌ରେ ୨.୧୦୦ କେଜି ଛତୁଆ ଥିଲା, ଅର୍ଥାତ୍ ୧୦୫ ଗ୍ରାମ୍ କମ୍ ଥିଲା । ସେହିପରି ସୁଜି ହାଲୁଆ ପ୍ୟାକେଟରେ ୧.୫୦୦କେଜି ଛତୁଆ ଥିବାର ଲେଖାଯାଇଥିବା ବେଳେ ପ୍ୟାକେଟରେ ମାତ୍ର ୧.୩୫୦ କେଜି ସୁଜି ହାଲୁଆ ଥିଲା ଅର୍ଥାତ୍ ୧୫୦ ଗ୍ରାମ କମ୍ ଥିଲା । ସେହିିପରି ଚିତ୍ରଗିରି ପରିବା ଉତ୍ପାଦନକାରୀ ସଂଘ, କୋରକୁଣ୍ଡା ତରଫରୁ ଯୋଗାଇ ଦିଆଯାଉଥିବା ଲଡ଼ୁ ପ୍ୟାକେଟରେ ୬୧୦ଗ୍ରାମ ଥିବାର ଦର୍ଶାଯାଇଥିବା ବେଳେ ଓଜନ ସମୟରେ ୫୪୯ଗ୍ରାମ ଅର୍ଥାତ୍ ୩୯ଗ୍ରାମ୍ କମ୍ ଥିଲା ।ଖଇରପୁଟ ବ୍ଲକର ବଣ୍ଡା ହିଲ୍‌ରେ ଛତୁଆ, ଲଡ଼ୁ ଇତ୍ୟାଦିର ପରିମାଣ ଅନୁଧ୍ୟାନ କରାଯାଇଥିଲା । ଛତୁଆ ପ୍ୟାକେଟ୍‌ରେ ୪.୪୧୦ କେଜି ଛତୁଆ ଥିବାର ଦର୍ଶାଯାଇଥିଲା ବେଳେ ବାସ୍ତବରେ ୪କେଜି ଛତୁଆ ଥିଲା । ଅର୍ଥାତ୍ ହାରାହାରି ୪୧୦ ଗ୍ରାମ ଛତୁଆ କମ୍ ଥିଲା । ଏହି ଛତୁଆ ମାଥିଲିସ୍ଥିତ ଜଗନ୍ନାଥ ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି । ସେହିପରି ଅନ୍ୟ ଏକ ଛତୁଆ ପ୍ୟାକେଟରେ ୧୩୫୦ ଗ୍ରାମ ଥିବାର ଲେଖା ଯାଇଥିବା ବେଳେ, ଓଜନ ସମୟରେ ୧୨୦୦ ଗ୍ରାମ ଥିଲା ଅର୍ଥାତ୍ ୧୫୦ ଗ୍ରାମ କମ୍ ଥିଲା । ଲଡୁ ଅତ୍ୟନ୍ତ ନିମ୍ନମାନର ଥିଲା । ତେଣୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ କମ୍ ଓଜନର ଛତୁଆ ଯୋଗାଣ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଛନ୍ତି ।ଏହିସବୁ ଛତୁଆ, ଚାଉଳ, ଲଡ଼ୁ ଇତ୍ୟାଦିର ମାନ ପରୀକ୍ଷା ପାଇଁ ସରକାରୀଯ ବିଜ୍ଞାନଗାର (Deputy Director, Food Analysist, Odisha)କୁ ୧୫.୧୧.୧୯ରିଖରେ ଦିଆଯାଇଥିଲା । ଉକ୍ତ ରିପୋର୍ଟ ୨୨.୧୨.୧୯ରିଖରେ ପ୍ରଦାନ କରାଯାଇଥିଲା । ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଛତୁଆ, ଚାଉଳ ଏବଂ ବାଦାମ ଲଡ଼ୁ ନିମ୍ନମାନର, ଖାଦ୍ୟ ଉପଯୋଗୀ ନୁହେଁ, କିନ୍ତୁ ସୁଜି ହାଲୁଆ ଖାଦ୍ୟ ଉପଯୋଗୀ ।ଏଥିରୁ ସ୍ପଷ୍ଟ ପୁଷ୍ଟିହୀନତାକୁ ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଆଇସିଡ଼ିଏସ୍ ଯୋଜନାରେ ଦିଆଯାଉଥିବା ଖାଦ୍ୟଶସ୍ୟ କେବଳ କମ୍ ପରିମାଣର ଦିଆଯାଉ ନାହିଁ ଏବଂ ଏହା ମଧ୍ୟ ନିମ୍ନମାନର, ଅରୁଚିକର । ସରକାରୀ ଅଧିକାରୀ, ରାଜନେତା ଏବଂ ତଥା କଥିତ ମହିଳା ଗ୍ରୁପ୍‌ଙ୍କୁ ଆୟୁଧ କରି ଛତୁଆ ବେପାରୀମାନେ ନିମ୍ନମାନର ଖାଦ୍ୟ ଦେଇ ଲକ୍ଷ ଳକ୍ଷ ଟଙ୍କା ଲୁଟ୍ କରୁଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ପୁଷ୍ଟିହୀନତାର ଶିକାର ହୋଇ ହଜାରହଜାର ଶିଶୁ ମୃତ୍ୟୁବରଣ କରୁଛନ୍ତି । ଉତ୍କଟ ଖାଦ୍ୟାଭାବ ଯୋଗୁଁ, ଶିଶୁ ପୁଷ୍ଟିହୀନତା ବୃଦ୍ଧି ପାଉଛି । ସେଥିପାଇଁ ଛୋଟ ପିଲାମାନଙ୍କୁ ଶିଶୁ ପୁଷ୍ଟିହୀନତାରୁ ବଞ୍ଚାଇବା ପାଇଁ ଆଇସିଡ଼ିଏସ୍ ଯୋଜନାରେ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣର ଦିଆଯିବାର ବ୍ୟବସ୍ଥା ସରକାର କରିଛନ୍ତି । କିନ୍ତୁ ବ୍ୟାପକ ଦୁର୍ନୀତି, ହରିଲୁଟ୍ ଯୋଗୁ ସରକାରୀ ଯୋଜନାର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ôଚ ପାରୁନାହିଁ । ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ନିମ୍ନମାନର ଖାଦ୍ୟଶସ୍ୟ ଯୋଗାଉଥିବା ମହିଳା ଗୋଷ୍ଠୀଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା କରିବା ସହ ତାଙ୍କର ଲାଇସେନ୍ସ ରଦ୍ଦ କରିବା ଏବଂ ଆଇସିଡ଼ିଏସ୍ ଯୋଜନାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରିବାକୁ ଅଭିଯାନ ତରଫରୁ ରାଜ୍ୟ ସରକାରଙ୍କୁ ଦାବୀ କରାଯାଇଛି । ଏକ ସ୍ୱତନ୍ତ୍ର ମନିଟରିଙ୍ଗ ଦଳ ଗଠନ କରି ଆଇସିଡ଼ିଏସ୍ ଯୋଜନାର ନିୟମିତ ଅନୁଧ୍ୟାନ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ପ୍ରଦୀପ୍ତ ପ୍ରଧାନ, ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ, ସଂଯୁକ୍ତା ପାଣିଗ୍ରାହୀ, ସୁଧୀର ମହାନ୍ତି, ରଞ୍ଜନ କୁମାର ଦାସ, ଶ୍ରୀକାନ୍ତ ପାକଳ, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ