ନୂଆବର୍ଷ ପ୍ରଥମ ମନ କୀ ବାତ୍ରେଦେଶବାସୀଙ୍କୁ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ
ମୋର ପ୍ରିୟ ଦେଶବାସୀ, ନମସ୍କାର! ଆଜି ଜାନୁଆରୀ ୨୬ ତାରିଖ । ଗଣତନ୍ତ୍ର ପର୍ବର ଅନେକ ଅନେକ ଶୁଭକାମନା । ୨୦୨୦ର ଏହା ପ୍ରଥମ ‘ମନ୍ କି ବାତ୍’ ମିଳନ ।
ନୂଆ ବର୍ଷର ଏବଂ ନୂଆ ଦଶନ୍ଧିର ମଧ୍ୟ ପ୍ରଥମ କାର୍ୟ୍ୟକ୍ରମ । ବନ୍ଧୁଗଣ, ଗଣତନ୍ତ୍ର ଦିବସ ସମାରୋହ ଯୋଗୁଁ ଆପଣଙ୍କ ସହ ହେବାକୁ ଥିବା ମନର କଥା ସମୟକୁ ପରିବର୍ତନ କରିବା ଉଚିତ ମନେ ହେଲା । ତେଣୁ, ଗୋଟିଏ ଭିନ୍ନ ସମୟ ସ୍ଥିର କରି ଆଜି ଆପଣଙ୍କୁ ମନର କଥା କହୁଛି । ବନ୍ଧୁଗଣ! ଦିନ, ସପ୍ତାହ, ମାସ ଓ ବର୍ଷ ବଦଳିଯାଏ । କିନ୍ତୁ ଭାରତର ଲୋକଙ୍କ ଉତ୍ସାହ ଊଣା ହୁଏନି – ଆମେ ବି କିଛି କମ୍ ନୋହୁଁ, ଆମେ ବି କିଛି କରି ଦେଖାଇବା । ଆମେ ପାରିବା । ଏହି ପାରିବା ଭାବନା ସଂକଳ୍ପ ଆକାର ଧାରଣ କରିବାରେ ଲାଗିଛି । ଦେଶ ଏବଂ ସମାଜ ପାଇଁ କିଛି କରିବାର ଭାବନା, ପ୍ରତ୍ୟେକ ଦିନ, ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଚାଲିଛି । ବନ୍ଧୁଗଣ, ‘ମନ୍ କି ବାତ୍’ ମଂଚରେ ଆମେ ସମସ୍ତେ ପୁଣି ଥରେ ଏକାଠି ହୋଇଛୁ – ନୂଆ ନୂଆ ବିଷୟ ଉପରେ ଆଲୋଚନା କରିବା ପାଇଁ ଏବଂ ଦେଶବାସୀଙ୍କର ନୂଆ ନୂଆ ଉପଲବ୍ଧିଗୁଡ଼ିକୁ ପାଳନ କରିବା ପାଇଁ, ଭାରତକୁ ପାଳନ କରିବା ପାଇଁ । ମନ କି ବାତ୍, ବାଂଟିବା, ଶିଖିବା ଓ ମିଳିତ ଭାବେ ବଢ଼ିବାର ଏକ ଭଲ ଏବଂ ସହଜ ମଂଚ ପାଲଟିଯାଇଛି । ପ୍ରତି ମାସରେ ହଜାର ହଜାର ଲୋକ ନିଜର ପ୍ରସ୍ତାବ, ନିଜର ପ୍ରୟାସ, ନିଜର ଅନୁଭୁତି ଶେୟାର କରୁଛନ୍ତି । ସେଥିରୁ ସମାଜକୁ ପ୍ରେରଣା ପ୍ରଦାନ କଲାଭଳି କିଛି କଥା, ଲୋକଙ୍କର କିଛି ଅସାଧାରଣ ପ୍ରୟାସ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମକୁ ସୁଯୋଗ ମିଳୁଛି । କେହି ଜଣେ କରି ଦେଖାଇଛନ୍ତି – ତା’ହେଲେ କ’ଣ ଆମେ ବି କରିପାରିବା? ଏ କଥାକୁ ସାରା ଦେଶରେ ପ୍ରୟୋଗ କରି ଗୋଟିଏ ବଡ଼ ଧରଣର ପରିବର୍ତନ ଆଣିପାରିବା କି? ଏହାକୁ ସମାଜର ଗୋଟିଏ ସହଜ ଅଭ୍ୟାସ ରୂପରେ ବିକଶିତ କରି, ସେହି ପରିବର୍ତନକୁ ଚିରସ୍ଥାୟୀ କରିପାରିବା କି? ଏଭଳି କିଛି ପ୍ରଶ୍ନର ଉତର ଖୋଜୁ ଖୋଜୁ, ପ୍ରତି ମାସରେ ‘ମନ୍ କି ବାତ୍’ରେ କିଛି ଅନୁରୋଧ, କିଛି ଆହ୍ୱାନ, କିଛି କରି ଦେଖାଇବା ସଂକଳ୍ପର ଭାବଧାରା ଆରମ୍ଭ ହୋଇଯାଏ । ବିଗତ କେତୋଟି ବର୍ଷରେ ଆମେ ଅନେକ ଛୋଟ ଛୋଟ ସଂକଳ୍ପ ନେଇଥିବା । ଯେମିତିକି, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବର୍ଜନ, ଖଦି ଏବଂ ସ୍ଥାନୀୟ ଉତ୍ପାଦ କିଣିବା, ସ୍ୱଚ୍ଛତା, ଝିଅଙ୍କୁ ସମ୍ମାନ ଏବଂ ଗୌରବ, କମ ନଗଦ ଅର୍ଥବ୍ୟବସ୍ଥା, ନୂଆ ଦିଗକୁ ଜୋର ଦେବା, ଏମିତି ବହୁତଗୁଡ଼ିଏ ସଂକଳ୍ପର ଜନ୍ମ ଆମର ଏହି ହାଲୁକା-ଫୁଲକା ମନର କଥାରୁ ହିଁ ହୋଇଛି ଆଉ ଆପଣମାନେ ହିଁ ଏ ସବୁକୁ ଶକ୍ତିଶାଳୀ କରିଛନ୍ତି । ମୋତେ ଗୋଟିଏ ଖୁବ୍ ସୁନ୍ଦର ଚିଠି ମିଳିଛି ବିହାରର ଶ୍ରୀମାନ୍ ଶୈଳେଶଙ୍କ ନିକଟରୁ । ଅବଶ୍ୟ, ଏବେ ସେ ବିହାରରେ ରହୁନାହାନ୍ତି । ସେ ଜଣାଇଛନ୍ତି ଯେ, ସେ ଦିଲ୍ଲୀରେ ରହି କୌଣସି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ୟ୍ୟ କରୁଛନ୍ତି । ଶ୍ରୀମାନ ଶୈଳେଶଜୀ ଲେଖିଛନ୍ତି ଯେ, “ଆପଣ ‘ମନ୍ କି ବାତ୍’ର ପ୍ରତ୍ୟେକ ଅଧ୍ୟାୟରେ କିଛି ନା କିଛି ବିଷୟରେ ଅନୁରୋଧ କରିଥାନ୍ତି । ମୁଁ ସେଥିରୁ ବହୁତ ଜିନିଷ କରିଛି । ଏହି ଶୀତଋତୁରେ ମୁଁ ଲୋକଙ୍କ ଘରୁ ଲୁଗାପଟା ସଂଗ୍ରହ କରି ଅଭାବୀ ଲୋକଙ୍କୁ ବାଂଟିଛି । ‘ମନ୍ କୀ ବାତ୍’ରୁ ଶୁଣି ମୁଁ ଅନେକ କାମ କରିବା ଆରମ୍ଭ କରିଦେଲି । କିନ୍ତୁ, ଧୀରେ ଧୀରେ ମୁଁ ପୁଣି କିଛି ଭୁଲିଗଲି ଆଉ କିଛି କଥା ବି ରହିଗଲା । ମୁଁ କିନ୍ତୁ ଏହି ନୂଆ ବର୍ଷରୁ ‘ମନ୍ କୀ ବାତ୍’ ଉପରେ ଗୋଟିଏ ଚାର୍ଟର ପ୍ରସ୍ତୁତ କରିଛି, ଯେଉଁଥିରେ ଏ ସମସ୍ତ ବିଷୟର ଗୋଟିଏ ତାଲିକା ପ୍ରସ୍ତୁତ କରିଦେଇଛି । ଲୋକେ ଯେମିତି ନୂଆ ବର୍ଷରେ ନୂଆ ସଂକଳ୍ପ ନେଇଥାନ୍ତି, ମୋଦୀଜୀ, ଏହା ସେମିତି ମୋ ପାଇଁ ନୂତନ ବର୍ଷର ସାମାଜିକ ସଂକଳ୍ପ ମୋତେ ଲାଗେ ଯେ, ଏଗୁଡ଼ିକ ଛୋଟ ଛୋଟ କଥା, କିନ୍ତୁ ଏହାଦ୍ୱାରା ବଡ଼ ପରିବର୍ତନ ଘଟିବା ସମ୍ଭବ । ଆପଣ ଏହି ଚାର୍ଟର ଉପରେ ଦସ୍ତଖତ କରି ମୋତେ ଫେରାଇପାରିବେ କି?” ଶୈଳେଶଜୀ, ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି । ଆପଣଙ୍କ ନୂଆ ବର୍ଷର ସଂକଳ୍ପ ପାଇଁ ମନ୍ କୀ ବାତ୍ ଚାର୍ଟର ପ୍ରସ୍ତୁତ କରିବା ବଡ଼ ଅଭିନବ କଥା । ମୁଁ ମୋ ତରଫରୁ ଶୁଭେଚ୍ଛା ବାର୍ତା ଲେଖି, ଏହାକୁ ନିଶ୍ଚୟ ଆପଣଙ୍କ ପାଖକୁ ପଠାଇଦେବି । ବନ୍ଧୁଗଣ, ଏହି ‘ମନ୍ କୀ ବାତ୍’ ଚାର୍ଟର୍ଟି ଯେତେବେଳେ ମୁଁ ପଢ଼ୁଥିଲି ସେତେବେଳେ ମୋତେ ମଧ୍ୟ ଆଶ୍ଚର୍ୟ୍ୟ ଲାଗିଲା ଯେ ଏତେଗୁଡ଼ିଏ କଥା ଏଥିରେ ଅଛି! ଏତେଗୁଡ଼ାଏ ହ୍ୟାଶ୍ଟ୍ୟାଗ୍ ଅଛି! ଆମେ ସମସ୍ତେ ମିଶି ବହୁତ ପ୍ରଚେଷ୍ଟା ମଧ୍ୟ କରିଛେ । କେତେବେଳେ ଆମେ “ସନ୍ଦେଶ୍ ଟୁ ସୋଲ୍ଜର୍ସ” ମାଧ୍ୟମରେ ଆମ ଦେଶର ଯବାନମାନଙ୍କ ସହ ଭାବନାତ୍ମକ ଭାବେ ଏବଂ ସୁଦୃଢ଼ତାର ସହ ଯୋଡ଼ି ହେବା ପାଇଁ ଅଭିଯାନ ଚଳାଇଛୁ, ତ କେତେବେଳେ “ଦେଶ ପାଇଁ ଖତି ଓ ଫ୍ୟାଶନ ପାଇଁ ଖଦି” ଅଭିଯାନ ଅଧୀନରେ ଖଦି ବିକ୍ରୟକୁ ଏକ ନୂତନ ଶିଖରରେ ପହଂଚାଇଛୁ । ସ୍ଥାନୀୟ ଉତ୍ପାଦ କ୍ରୟ ମନ୍ତ୍ରକୁ ଆପଣେଇଛୁ । “ଆମେ ଫିଟ୍ ତ ଇଣ୍ଡିଆ ଫିଟ୍” ଦ୍ୱାରା ଫିଟ୍ନେସ୍ ପ୍ରତି ସଚତେନତା ବୃଦ୍ଧି କରିଛୁ । “ମାଇଁ କ୍ଲିନ ଇଣ୍ଡିଆ” ବା “ଷ୍ଟାଚ୍ୟୁ କ୍ଲିନିଂ” ପ୍ରଚେଷ୍ଟା ଦ୍ୱାରା ସ୍ୱଚ୍ଛତାକୁ ଗଣ ଆନ୍ଦୋଳନର ରୂପ ଦେଇଛୁ । ହ୍ୟାଶ୍ ଟ୍ୟାଗ୍ ନୋ ଟୁ ଡ୍ରଗ୍ସ, ହ୍ୟାଶ୍ ଟ୍ୟାଗ୍ ଭାରତ୍ କି ଲକ୍ଷ୍ମୀ, ହ୍ୟାଶ୍ ଟ୍ୟାଗ୍ ସେଲ୍ଫ ଫର୍ ସୋସାଇଟି, ହ୍ୟାଶ୍ ଟ୍ୟାଗ୍ ଷ୍ଟ୍ରେସ୍ ଫ୍ରି ଏକ୍ଜାମ୍, ହ୍ୟାଶ୍ ଟ୍ୟାଗ୍ ସୁରକ୍ଷା ବନ୍ଧନ, ହ୍ୟାଶ୍ଟ୍ୟାଗ୍ ଡିଜିଟାଲ ଇକୋନୋମି, ହ୍ୟାଶ୍ ଟ୍ୟାଗ୍ ରୋଡ଼ ସେଫ୍ଟି, ଏମିତି ଅନେକ! ଶୈଳେଶଜୀ, ଆପଣଙ୍କ ଏହି ‘ମନ୍ କି ବାତ୍’ର ଚାର୍ଟରକୁ ଦେଖି ଲାଗିଲା ଯେ ଏହି ସୂଚୀ ପ୍ରକୃତରେ ବହୁତ ଲମ୍ବା । ଆସନ୍ତୁ, ଏହି ଧାରାକୁ ଜାରି ରଖିବା । ଏହି ‘ମନ୍ କି ବାତ୍ ଚାର୍ଟର’ରୁ ନିଜ ପସନ୍ଦର ଯେକୌଣସି କାମ ସହ ନିଜକୁ ଜଡ଼ିତ କରନ୍ତୁ । ହ୍ୟାଶ୍ ଟ୍ୟାଗ୍ ବ୍ୟବହାର କରି ସମସ୍ତଙ୍କ ସହ ଗର୍ବର ସହ ନିଜର ଯୋଗଦାନକୁ ଶେୟାର କରନ୍ତୁ ।ବନ୍ଧୁମାନଙ୍କୁ, ପରିବାରକୁ ଏବଂ ସମସ୍ତଙ୍କୁ ଅନୁପ୍ରାଣିତ କରନ୍ତୁ । ଯେତେବେଳେ ପ୍ରତ୍ୟେକ ଭାରତବାସୀ ଗୋଟିଏ ପାଦ ଆଗକୁ ବଢ଼ାନ୍ତି ସେତେବେଳେ ଆମ ଭାରତବର୍ଷ ୧୩୦ କୋଟି ପାଦ ଆଗକୁ ବଢ଼ିଯାଏ । ସେଥିପାଇଁ ଚରୈବେତି – ଚରୈବେତି- ଚରୈବେତି, ଚାଲୁ ଥାଅ, ଚାଲୁ ଥାଅ, ଚାଲୁ ଥାଅ – ଏହି ମନ୍ତ୍ରକୁ ଆପଣେଇ ପ୍ରଚେଷ୍ଟା ଜାରିରହୁ । ମୋର ପ୍ରିୟ ଦେଶବାସୀ, ଆମେ ମନ୍ କି ବାତ୍ ଚାର୍ଟର ସମ୍ପର୍କରେ କଥା ହେଲେ । ସ୍ୱଚ୍ଛତା ପରେ ଜନ ସହଭାଗିତାର ଭାବନା, ଆଜି ଅନ୍ୟ ଏକ କ୍ଷେତ୍ରରେ ଦ୍ରୁତ ଭାବରେ
ବଢ଼ିଚାଲିଛି । ତାହା ହେଉଛି “ଜଳ ସଂରକ୍ଷଣ” । ଜଳ ସଂରକ୍ଷଣ ପାଇଁ ଦେଶର ପ୍ରତ୍ୟେକ କୋଣରେ ଅନେକ ଅଭିନବ ପ୍ରୟାସ ବ୍ୟାପକ ଭାବରେ ଚାଲିଛି । ମୁଁ ଏ କଥା କହିବାରେ ଖୁବ ଆନନ୍ଦ ଅନୁଭବ କରୁଛି ଯେ, ଗତ ବର୍ଷା ଋତୁରେ ଆରମ୍ଭ କରାଯାଇଥିବା ଏହି ‘ଜଳ ଶକ୍ତି ଅଭିଯାନ’ ଜନ ସହଭାଗିତା ଦ୍ୱାରା ଅତ୍ୟଧିକ ସଫଳତା ଦିଗରେ ଅଗ୍ରସର ହେଉଛି । ବହୁ ସଂଖ୍ୟାରେ ପୋଖରୀ ଆଦି ଖୋଳାଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଏହି ଅଭିଯାନରେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକ ନିଜର ଯୋଗଦାନ ଦେଲେ । ରାଜସ୍ଥାନର ଝାଲୋର ଜିଲ୍ଲା କଥା ହିଁ ଦେଖନ୍ତୁ । ଏଠାକାର ଦୁଇଟି ଐତିହାସିକ ସୋପାନ କୂପ ଆବର୍ଜନା ଏବଂ ଦୂଷିତ ଜଳର ଭଣ୍ଡାର ପାଲଟିଯାଇଥିଲା । ଭଦ୍ରାୟୁଁ ଓ ଥାନ୍ୱାଲା ପଂଚାୟତର ଶହ ଶହ ଲୋକେ ଜଳଶକ୍ତି ଅଭିଯାନ ଅନ୍ତର୍ଗତ ଏହାକୁ ପୁନରୁଦ୍ଧାର କରିବା ପାଇଁ ଅଂଟା ଭିଡ଼ିଲେ । ବର୍ଷାଦିନ ପୂର୍ବରୁ ହିଁ ସେମାନେ ଏହି ସୋପାନ କୂପରେ ଜମା ହୋଇଥିବା ଦୂଷିତ ଜଳ, ଆବର୍ଜନା ଓ ପଙ୍କକୁ ସଫା କରିବାରେ ଲାଗିପଡ଼ିଲେ । ଏହି ଅଭିଯାନ ପାଇଁ କିଏ ଶ୍ରମଦାନ କଲେ ତ କିଏ ଧନ ଦାନ କଲେ । ଆଉ ଏହାର ଫଳସ୍ୱରୂପ ଏହି ବାମ୍ଫି ଦୁଇଟି ଆଜି ସେଠାକାର ଜୀବନରେଖା ପାଲଟିଯାଇଛି । ଏହିଭଳି କିଛି କାହାଣୀ ରହିଛି ଉତରପ୍ରଦେଶର ବାରାବଙ୍କୀର । ୪୩ ହେକ୍ଟର ପରିମିତ ଅଂଚଳରେ ପରିବ୍ୟାପ୍ତ ସରାହୀ ହ୍ରଦ ମୃତ ହେବାକୁ ବସିଥିଲା । କିନ୍ତୁ ଗ୍ରାମବାସୀ ନିଜର ସଂକଳ୍ପ ଶକ୍ତି ଦ୍ୱାରା ଏହାକୁ ନୂତନ ଜୀବନ୍ୟାସ ଦେଲେ । ଏତେ ବଡ଼ ଅଭିଯାନରେ ସେମାନେ କିଛି ଊଣା ରଖିଲେ ନାହିଁ । ଗୋଟିଏ ପରେ ଗୋଟିଏ କରି ଅନେକ ଗାଁ ପରସ୍ପର ସହ ଯୋଡ଼ି ହୋଇଚାଲିଲା । ଏମାନେ ହ୍ରଦ ଚାରିପଟେ ଏକ ମିଟର ଉଚ୍ଚତା ବିଶିଷ୍ଟ ବନ୍ଧ ତିଆରି କରିଦେଲେ । ଏବେ ହ୍ରଦଟି ଜଳରେ ପରିପୂର୍ଣ୍ଣ ଏବଂ ଏହାର ଆଖପାଖ ଅଂଚଳ ପକ୍ଷୀମାନଙ୍କ କଳରବରେ ଗୁଞ୍ଜରିତ ହେଉଛି । ଉତରାଖଣ୍ଡର ଆଲ୍ମୋଡ଼ା – ହଲ୍ଦ୍ୱାନୀ ହାଇୱେ ସଂଲଗ୍ନ ସୁନିଆକୋଟ ଗାଁରୁ ମଧ୍ୟ ଜନସହଭାଗିତାର ଏଭଳି ଗୋଟିଏ ଉଦାହରଣ ଦୃଷ୍ଟିକୁ ଆସିଛି । ଜଳ ସଙ୍କଟର ମୁକାବିଲା କରିବା ପାଇଁ ଗାଁ ଲୋକେ ନିଜେ ଗାଁ ପର୍ୟ୍ୟନ୍ତ ପାଣିକୁ ଆଣିବା ପାଇଁ ସଂକଳ୍ପ କଲେ । ତାପରେ ସେମାନେ ନିଜ ନିଜ ଭିତରେ ଟଙ୍କା ଏକାଠି କଲେ, ଯୋଜନା ତିଆରି ହେଲା, ଶ୍ରମଦାନ ହେଲା ଆଉ ପ୍ରାୟ ଏକ କିଲୋମିଟର ଦୂରରୁ ଗାଁ ପର୍ୟ୍ୟନ୍ତ ପାଇପ୍ ବିଛା ହେଲା । ପମ୍ପିଂ ଷ୍ଟେସନ ତିଆରି କରାଗଲା – ଆଉ ଦେଖୁ ଦେଖୁ ଦୁଇ ଦଶନ୍ଧିର ପୁରୁଣା ସମସ୍ୟାର ସବୁଦିନ ପାଇଁ ସମାଧାନ ହୋଇଗଲା । ସେହିପରି, ତାମିଲନାଡ଼ୁରେ ନଳକୂପକୁ ବର୍ଷାଜଳ ପରିଚାଳନାର ମାଧ୍ୟମ କରିଦେବାର ଅଭିନବ ଉପାୟ ନଜରକୁ ଆସିଛି । ସାରା ଦେଶରେ ଜଳ ସଂରକ୍ଷଣ ସମ୍ପର୍କୀୟ ଏଭଳି ଅଗଣିତ କାହାଣୀ ରହିଛି, ଯାହା ନ୍ୟୁ ଇଣ୍ଡିଆର ସଂକଳ୍ପକୁ ସୁଦୃଢ଼ କରୁଛି । ଆଜି ଆମ ଜଳଶକ୍ତି ଚାମ୍ପିଆନ୍ମାନଙ୍କ କାହାଣୀ ଶୁଣିବାକୁ ସାରା ଦେଶ ଉତ୍କଣ୍ଠିତ । ଜଳ ସଂଚୟ ଏବଂ ଜଳ ସଂରକ୍ଷଣ ବିଷୟରେ କରାଯାଇଥିବା ନିଜର କିମ୍ବା ନିଜ ଆଖପାଖରେ ହେଉଥିବା ପ୍ରଚେଷ୍ଟାର କାହାଣୀ, ଫଟୋ ଏବଂ ଭିଡିଓ ହାଶଟ୍ୟାଗ ଜଳଶକ୍ତି ଫର ଇଣ୍ଡିଆରେ ନିଶ୍ଚୟ ଶେୟାର କରିବାକୁ ମୋର ଆପଣମାନଙ୍କୁ ଅନୁରୋଧ । ମୋର ପ୍ରିୟ ଦେଶବାସୀଗଣ, ବିଶେଷକରି ମୋର ଯୁବବନ୍ଧୁଗଣ, ଆଜି ‘ମନ୍ କୀ ବାତ୍’ ମାଧ୍ୟମରେ ମୁଁ ଆସାମ ସରକାର ଏବଂ ଆସାମର ଜନସାଧାରଣଙ୍କୁ ‘ଖେଲୋ ଇଣ୍ଡିଆ’ର ସୁନ୍ଦର ଆୟୋଜନ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ଜାନୁଆରୀ ୨୨ ତାରିଖ ଦିନ ହିଁ ଗୁଆହାଟୀରେ ତୃତୀୟ ଖେଲୋ ଇଣ୍ଡିଆ ଗେମ୍ସ ଉଦ୍ୟାପିତ ହୋଇଛି । ଏଥିରେ ବିଭିନ୍ନ ରାଜ୍ୟର ପ୍ରାୟ ୬୦୦୦ ଖେଳାଳି ଭାଗ ନେଇଥିଲେ । ଆପଣ ଏକଥା ଜାଣି ଆଶ୍ଚର୍ୟ୍ୟ ହେବେ ଯେ, କ୍ରୀଡ଼ାର ଏହି ମହୋତ୍ସବରେ ୮୦ ଟି ରେକର୍ଡ଼ ଭଙ୍ଗ ହେଲା । ଏଥିରୁ ୫୬ ରେକର୍ଡ଼ ଭାଙ୍ଗିବାର କାମ ଆମ ଝିଅମାନେ କରିଛନ୍ତି । ଏ କୃତିତ୍ୱ ଆମ ଝିଅମାନଙ୍କର । ମୁଁ ସମସ୍ତ ବିଜେତାଙ୍କ ସହ, ଏହାର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଉଛି । ଏହାସହ ଖେଲୋ ଇଣ୍ଡିଆ ଗେମ୍ସର ସଫଳ ଆୟୋଜନ ପାଇଁ ଏହା ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତି, ପ୍ରଶିକ୍ଷକ ଏବଂ ବୈଷୟିକ ଅଧିକାରୀମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ, ପ୍ରତିବର୍ଷ ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ସୂଚାଉଛି ଯେ, ବିଦ୍ୟାଳୟ ସ୍ତରରେ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ କେତେ ବୃଦ୍ଧି ପାଇଲାଣି । ମୁଁ ଆପଣମାନଙ୍କୁ ଜଣାଇଦେବାକୁ ଚାହେଁ ଯେ, ୨୦୧୮ରେ ଯେତେବେଳେ ‘ଖେଲୋ ଇଣ୍ଡିଆ’ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ଏଥିରେ ୩୩୦୦ ଖେଳାଳି ଭାଗ ନେଇଥିଲେ । କିନ୍ତୁ ମାତ୍ର ତିନିବର୍ଷରେ ଖେଳାଳିମାନଙ୍କ ସଂଖ୍ୟା ୬୦୦୦ରୁ ଅଧିକ ଅର୍ଥାତ ପ୍ରାୟ ଦୁଇଗୁଣ ହୋଇଯାଇଛି । କେବଳ ସେତିକି ନୁହେଁ, ମାତ୍ର ତିନିବର୍ଷରେ ‘ଖେଲୋ ଇଣ୍ଡିଆ’ ଗେମ୍ସ ମାଧ୍ୟମରେ ୩୨୦୦ ପ୍ରତିଭାଶାଳୀ ପିଲାମାନେ ନଜରକୁ ଆସିଛନ୍ତି । ଏମାନଙ୍କ ମଧରୁ ଅନେକ ଏମିତି, ଯେଉଁମାନେ ଅଭାବ ଓ ଦାରିଦ୍ର୍ୟରେ ବଡ଼ ହୋଇଛନ୍ତି । ‘ଖେଲୋ ଇଣ୍ଡିଆ’ ଗେମ୍ସରେ ସାମିଲ ହୋଇଥିବା ପିଲା ଆଉ ସେମାନଙ୍କ ଅଭିଭାବକଙ୍କ ଧୈର୍ୟ୍ୟ ଓ ଦୃଢ଼ସଙ୍କଳ୍ପର କାହାଣୀ ଏଭଳି ହୋଇଛି, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ । ଗୁଆହାଟୀର ପୂର୍ଣ୍ଣିମା ମଣ୍ଡଳଙ୍କ କଥା ହିଁ ନିଅନ୍ତୁ, ସେ ନିଜେ ଗୁଆହାଟି ନଗର ନିଗମର ଜଣେ ସଫେଇ କର୍ମଚାରୀ, କିନ୍ତୁ ତାଙ୍କ ଝିଅ ମାଳବିକା ଫୁଟବଲ୍ରେ ଶକ୍ତି ପ୍ରଦର୍ଶନ କରିଥିଲାବେଳେ ତାଙ୍କର ଜଣେ ପୁଅ ସୁଜିତ ଖୋ-ଖୋରେ, ଆଉ ଦ୍ୱିତୀୟ ପୁଅ ପ୍ରଦୀପ ହକିରେ ଆସାମର ପ୍ରତିନିଧିତ୍ୱ କରିଛନ୍ତି । ଗର୍ବରେ ପରିପୂର୍ଣ୍ଣ କରିଦେଉଥିବା, କିଛି ଏହିଭଳି କାହାଣୀ ହିଁ ରହିଛି ତାମିଲନାଡ଼ୁର ୟୋଗାନଂଥନ୍ଙ୍କର । ସେ ନିଜେ ତ ତାମିଲନାଡ଼ୁରେ ବିଡ଼ି ତିଆରି କାମ କରନ୍ତି, କିନ୍ତୁ ତାଙ୍କ ଝିଅ ପୂର୍ଣ୍ଣାଶ୍ରୀ ଭାରୋତୋଳନରେ ସ୍ୱର୍ଣ୍ଣପଦକ ହାସଲ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଡାଭିଡ ବେକହାମଙ୍କ ନାଁ କହିଲେ ଆପଣ ପ୍ରସିଦ୍ଧ ଆନ୍ତର୍ଜାତିକ ଫୁଟବଲ ଖେଳାଳିଙ୍କ କଥା ଭାବିବେ । କିନ୍ତୁ ଏବେ ଆମ ପାଖରେ ମଧ୍ୟ ଜଣେ ଡାଭିଡ ବେକହାମ ଅଛନ୍ତି, ସେ ଗୁଆହାଟୀର ଯୁବ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ତାହାପୁଣି ସାଇକେଲ ଚାଳନା ପ୍ରତିଯୋଗିତାର ୨୦୦ ମିଟର ଇଭେଂଟରେ । କିଛିଦିନ ଆଗରୁ ମୁଁ ଆଣ୍ଡାମାନ ନିକୋବାର ଯାଇଥିଲି । କାର୍-ନିକୋବାର ଦ୍ୱୀପର ବାସିନ୍ଦା ଡାଭିଡ ପିଲାଦିନୁ ହିଁ ତାଙ୍କ ପିତା-ମାତାଙ୍କୁ ହରାଇଥିଲେ । ତାଙ୍କ ଦାଦା (କାକା) ଚାହୁଁଥିଲେ ଯେ ସେ ଜଣେ ଫୁଟବଲ ଖେଳାଳି ହୁଅନ୍ତୁ । ସେଥିପାଇଁ ପ୍ରସିଦ୍ଧ ଫୁଟବଲ୍ ଖେଳାଳିଙ୍କ ନାମାନୁସାରେ ତାଙ୍କ ନାଁ ରଖିଦେଲେ । କିନ୍ତୁ, ୟାଙ୍କ ମନ ତ ଥିଲା ସାଇକେଲ ଚାଳନାରେ । ଖେଲୋ ଇଣ୍ଡିଆ ଯୋଜନାରେ ତାଙ୍କର ଚୟନ ମଧ୍ୟ ହୋଇଗଲା । ଆଉ, ଆଜି ଦେଖନ୍ତୁ, ସେ ସାଇକେଲ ଚାଳନାରେ ନୂଆ ରେକର୍ଡ଼ କଲେ । ଭୀୱାନୀର ପ୍ରଶାନ୍ତ ସିଂ କହ୍ନୈୟା ପୋଲ୍ ୱାଲ୍ଟ ଇଭେଂଟରେ ନିଜେ ନିଜର ରେକର୍ଡ଼କୁ ଭାଙ୍ଗିଦେଇଛନ୍ତି । ୧୯ ବର୍ଷର ପ୍ରଶାନ୍ତ ଗୋଟିଏ ଚାଷୀ ପରିବାରରୁ ଆସିଛନ୍ତି । ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ ଯେ ପ୍ରଶାନ୍ତ ମାଟିରେ ପୋଲ ୱାଲ୍ଟର ଅଭ୍ୟାସ କରୁଥିଲେ । ଏକଥା ଜାଣିବା ପରେ କ୍ରୀଡ଼ା ବିଭାଗ ତାଙ୍କ କୋଚଙ୍କୁ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକାଡେମୀ ଚଳାଇବା ପାଇଁ ସହାୟତା କଲା ଆଉ ଆଜି ପ୍ରଶାନ୍ତ ସେଠାରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ମୁମ୍ବାଇର କରୀନା ଶାନ୍ତାଙ୍କ କାହାଣୀରେ ଯେକୌଣସି ପରିସ୍ଥିତିରେ ହାର ନ ମାନିବାର ଗୋଟିଏ ସାହସ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ । କରୀନା ସୁଇମିଂରେ ୧୦୦ ମିଟର ବ୍ରେଷ୍ଟ-ଷ୍ଟ୍ରୋକ୍ ପ୍ରତିଯୋଗିତାର ୧୭ ବର୍ଷରୁ କମ ବର୍ଗରେ ସ୍ୱର୍ଣ୍ଣପଦକ ଜିଣି ନୂତନ ରେକର୍ଡ଼ ସୃଷ୍ଟି କଲେ । ଦଶମ ଶ୍ରେଣୀରେ ପଢ଼ୁଥିବା କରୀନାଙ୍କ ଜୀବନରେ ଏମିତି ବି ଗୋଟିଏ ସମୟ ଆସିଥିଲା, ଯେତେବେଳେ ଆଣ୍ଠୁରେ ଆଘାତ ଯୋଗୁ ଁ ତାଙ୍କୁ ତାଲିମ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ କରୀନା ଓ ତାଙ୍କ ମା’ ଧୈର୍ୟ୍ୟ ହରାଇଲେ ନାହିଁ । ଆଉ ଏହାର ପରିଣାମ ଆଜି ଆମ ସମସ୍ତଙ୍କ ସମ୍ମୁଖରେ ରହିଛି । ମୁଁ ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛି । ଏହା ସଙ୍ଗେ ସଙ୍ଗେ ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ଏମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ପ୍ରଣାମ କରୁଛି, ଯେଉଁମାନେ ଦାରିଦ୍ର୍ୟକୁ ତାଙ୍କ ପିଲାଙ୍କ ଭବିଷ୍ୟତର ପ୍ରତିବନ୍ଧକ ହେବାକୁ ଦେଇନାହାନ୍ତି । ଆମେ ସମସ୍ତେ ଜାଣିଛୁ ଯେ, ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମାଧ୍ୟମରେ ଯେଉଁଠି କ୍ରୀଡ଼ାବିତ୍ଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳେ, ସେଇଠି ସେ ଅନ୍ୟ ରାଜ୍ୟର ସଂସ୍କୃତି ସମ୍ପର୍କରେ ଜାଣିବାର ସୁଯୋଗ ମଧ୍ୟ ପାଆନ୍ତି । ତେଣୁ, ଆମେ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ ଭଳି ପ୍ରତିବର୍ଷ ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ ଆୟୋଜନ ହେବାପାଇଁ ମଧ୍ୟ ନିଷ୍ପତି କରିଛୁ । ବନ୍ଧୁଗଣ, ଆସନ୍ତା ମାସ ଫେବୃଆରୀ ୨୨ ତାରିଖରୁ ମାର୍ଚ ୧ ତାରିଖ ଯାଏ କଟକ ଏବଂ ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆୟୋଜିତ ହେବାକୁ ଯାଉଛି । ଏଥିରେ ଭାଗ ନେବାପାଇଁ ୩୦୦୦ରୁ ଅଧିକ ଖେଳାଳି ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ମୋର ପ୍ରିୟ ଦେଶବାସୀ, ପରୀକ୍ଷା ଋତୁ ଆସିଗଲାଣି । ତେଣୁ ଏହା ସ୍ୱାଭାବିକ ଯେ,ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ପ୍ରସ୍ତୁତିକୁ ଅନ୍ତିମ ସ୍ପର୍ଶ ଦେବାରେ ଲାଗିଥିବେ । ଦେଶର କୋଟି କୋଟି ବିଦ୍ୟାର୍ଥୀ ବନ୍ଧୁଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ର ଅନୁଭୂତି ପରେ ମୁଁ ବିଶ୍ୱାସର ସହ
କହିପାରେ ଯେ ଦେଶର ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଭରି ରହିଛି ଏବଂ ସେମାନେ ପ୍ରତ୍ୟେକ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ । ବନ୍ଧୁଗଣ, ଗୋଟିଏ ପଟେ ପରୀକ୍ଷା ଏବଂ ଅନ୍ୟ ପଟେ ଶୀତଋତୁ । ଏ ଦୁହିଁଙ୍କ ଭିତରେ ନିଜକୁ ଫିଟ୍ ରଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି । ଅଳ୍ପ ବହୁତ ବ୍ୟାୟାମ କରନ୍ତୁ । ଟିକିଏ ଖେଳକୁଦରେ ମଧ୍ୟ ଭାଗ ନିଅନ୍ତୁ । ଖେଳକୁଦ ଫିଟ୍ ରହିବାର ମୂଳମନ୍ତ୍ର ।
ଆଜିକାଲ ମୁଁ ଦେଖୁଛି ଯେ, ଫିଟ୍ ଇଣ୍ଡିଆକୁ ନେଇ ଅନେକ ଇଭେଂଟ୍ର ଆୟୋଜନ ହେଉଛି । ଜାନୁଆରୀ ୧୮ ତାରିଖ ଦିନ ଯୁବବନ୍ଧୁମାନେ ସାରା ଦେଶରେ ସାଇକ୍ଲୋଥୋନ୍ର ଆୟୋଜନ କରିଥିଲେ ଯେଉଁଥିରେ ସାମିଲ ହୋଇ ଲକ୍ଷ ଲକ୍ଷ ଦେଶବାସୀ ଫିଟ୍ନେସ୍ର ବାର୍ତା ପ୍ରଚାର କଲେ । ଆମର ନ୍ୟୁ ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ଫିଟ୍ ରହୁ ଏହା ପାଇଁ ପ୍ରତ୍ୟେକ ସ୍ତରରେ ଯେଉଁ ଉଦ୍ୟମ ପରିଲକ୍ଷିତ ହେଉଛି, ସେଗୁଡ଼ ିକ ଉତ୍ସାହରେ ଭରିଦେଉଛି । ଗତବର୍ଷ ନଭେମ୍ବର ମାସରେ ଆରମ୍ଭ ହୋଇଥିବା ଫିଟ୍ ଇଣ୍ଡିଆ ସ୍କୁଲ ଅଭିଯାନର ପ୍ରଭାବ ମଧ୍ୟ ଏବେ ଦେଖାଗଲାଣି । ମୋତେ ସୂଚନା ଦିଆଯାଇଛି ଯେ, ଏ ଯାଏ ୬୫୦୦୦ରୁ ଅଧିକ ବିଦ୍ୟାଳୟ ଅନ୍ଲାଇନ୍ ରେଜିଷ୍ଟ୍ରେସନ କରି ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫିକେଟ ପାଇସାରିଲେଣି । ଦେଶର ବାକି ସ୍କୁଲଗୁଡ଼ିକୁ ମୋର ଅନୁରୋଧ ଯେ, ସେମାନେ ଫିଜିକାଲ୍ ଆକ୍ଟିଭିଟି ଓ ଖେଳକୁ ପାଠପଢ଼ା ସହ ସଂଶ୍ଳିଷ୍ଟ କରି ଫିଟ୍ ସ୍କୁଲ ହୋଇଯାଆନ୍ତୁ । ଏଥିସହ ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ଦୈନନ୍ଦିନ ଜୀବନରେ ଫିଜିକାଲ୍ ଆକ୍ଟିଭିଟିକୁ ଅଧିକରୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପ୍ରତିଦିନ ନିଜକୁ ଏ କଥା ମନେ ପକାଇ ଦିଅନ୍ତୁ ଯେ, ଆମେ ଫିଟ୍ ତ ଇଣ୍ଡିଆ ଫିଟ୍ । ମୋର ପ୍ରିୟ ଦେଶବାସୀ, ଦୁଇ ସପ୍ତାହ ପୂର୍ବେ ଭାରତର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ପର୍ବର ଉତ୍ସାହ ଥିଲା । ପଞ୍ଜାବରେ ଲୋହଡ଼ିର ଆନନ୍ଦ ଆଉ ସ୍ଫୁର୍ତି ଉଷ୍ଣତା ଭରି ଦେଇଥିବାବେଳେ, ତାମିଲନାଡ଼ୁର ଭଉଣୀ-ଭାଇମାନେ ପୋଙ୍ଗଲ୍ ପର୍ବ ପାଳନ କରିଥିଲେ । ତିରୁୱଲ୍ଲୁୱରଙ୍କ ଜୟନ୍ତୀ ପାଳନ କରୁଥିଲେ । ଆସାମରେ ବିହୁର ମନଲୋଭା ଛଟା ଦେଖିବାକୁ êମିଳୁଥିଲା । ଗୁଜରାଟରେ ଚାରିଆଡ଼େ ଉତରାୟଣର ଉତ୍ସାହ ଏବଂ ଭାସମାନ ଗୁଡ଼ିରେ ପରିପୂର୍ଣ୍ଣ ଆକାଶ ଦେଖାଯାଇଥିଲା । ଏଭଳି ଏକ ସମୟରେ ଦିଲ୍ଲୀ ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ପାଲଟିଯାଇଥିଲା । ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେଲା । ଏଥିସହ ପ୍ରାୟ ୨୫ ବର୍ଷ ପୁରୁଣା ବ୍ରୁ ରିୟାଙ୍ଗ୍ ରିଫ୍ୟୁଜି ସମସ୍ୟାର ପୀଡ଼ାଦାୟକ ଅଧ୍ୟାୟର ଅନ୍ତ ଘଟିଲା । ଏହା ସବୁଦିନ ପାଇଁ ସମାପ୍ତ ହେଲା । ନିଜର ବ୍ୟସ୍ତ କାର୍ୟ୍ୟକ୍ରମ ଏବଂ ପାର୍ବଣ ଋତୁ ଯୋଗୁଁ ହୁଏତ ଆପଣ ଏହି ଐତିହାସିକ ରାଜିନାମା ବିଷୟରେ ବିସ୍ତୃତ ଭାବେ ଜାଣିପାରି ନ ଥିବେ । ତେଣୁ ‘ମନ କୀ ବାତ୍’ରେ ଏ ବିଷୟରେ ଆପଣଙ୍କ ସହ ଆଲୋଚନା କରିବା କଥା ମୁଁ ଅନୁଭବ କଲି । ଏହି ସମସ୍ୟାଟି ନବେ ଦଶକରୁ ଚାଲିଆସିଛି । ୧୯୯୭ ମସିହାରେ ଜାତିଗତ ଉତେଜନା ହେତୁ ବ୍ରୁ ରିୟାଙ୍ଗ୍ ଜନଜାତିର ଲୋକମାନେ ମିଜୋରାମ୍ରୁ ବିତାଡ଼ିତ ହୋଇ ତ୍ରିପୁରାରେ ଆଶ୍ରୟ ନେଇଥିଲେ । ଏଇ ଶରଣାର୍ଥୀମାନଙ୍କୁ ଉତର ତ୍ରିପୁରାର କଂଚନପୁରସ୍ଥିତ ଅସ୍ଥାୟୀ ଶିବିରରେ ରଖାଗଲା । ଦୁଃଖର କଥା ଯେ ବ୍ରୁ ରିୟାଙ୍ଗ ଜନଜାତିର ଏହି ଲୋକମାନେ ତାଙ୍କ ଜୀବନର ଏକ ଲମ୍ବା ସମୟ ଶରଣାର୍ଥୀ ଭାବରେ ଅତିବାହିତ କଲେ । ଅସ୍ଥାୟୀ ଶିବିରରେ ଜୀବନ ନିର୍ବାହ କରିବା ଅର୍ଥ – ମୌଳିକ ସୁବିଧାରୁ ବଂଚିତ
ହେବା । ୨୩ ବର୍ଷ ପର୍ୟ୍ୟନ୍ତ ସେମାନଙ୍କ ପାଖରେ ଘର, ଜମି, ପରିବାର ପାଇଁ ଚିକିତ୍ସା ସୁବିଧା କି ପିଲାମାନଙ୍କ ପାଇଁ ଶିକ୍ଷାର ସୁବିଧା, କିଛି ବି ନ ଥିଲା । ଥରେ ଭାବି ଦେଖନ୍ତୁ ତ! ତେଇଶ ବର୍ଷ ଧରି ଶରଣାର୍ଥୀ ଶିବିରରେ ଏଭଳି କଠିନ ପରିସ୍ଥିତି ଭିତରେ ଜୀବନ ବିତେଇବା ସେମାନଙ୍କ ପାଇଁ କେତେ ଦୁଃଖଦାୟକ ହୋଇଥିବ! ଜୀବନର ପ୍ରତି କ୍ଷଣ, ପ୍ରତିଟି ଦିନ ଗୋଟିଏ ଅନିଶ୍ଚିତ ଭବିଷ୍ୟତ ମଧ୍ୟ ଅତିବାହିତ କରିବା କେତେ ପୀଡ଼ାଦାୟକ ହୋଇଥିବ । କେତେ ସରକାର ଆସିଲେ – ଚାଲିଗଲେ । କିନ୍ତୁ ଏମାନଙ୍କର ଏହି ଯନ୍ତ୍ରଣାଦାୟକ ସମସ୍ୟାର କୌଣସି ସମାଧାନ ହୋଇପାରିଲା ନାହିଁ । କିନ୍ତୁ ଏତେ ଦୁଃଖକଷ୍ଟ
ସତ୍ୱେ ମଧ୍ୟ ଭାରତୀୟ ସମ୍ବିଧାନ ଏବଂ ସଂସ୍କୃତି ପ୍ରତି ସେମାନଙ୍କ ମନରେ ଅଟଳ ବିଶ୍ୱାସ କମିନଥିଲା । ଆଉ ସେହି ବିଶ୍ୱାସର ଫଳସ୍ୱରୂପ ଆଜି ସେମାନଙ୍କ ଜୀବନରେ ଏକ ନୂଆ ସକାଳ ଆସିଛି । ଏଇ ନିକଟରେ ସ୍ୱାକ୍ଷରିତ ରାଜିନାମା ଯୋଗୁଁ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନଯାପନ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ୨୦୨୦ର ଏଇ ନୂତନ ଦଶକ ବ୍ରୁ ରିୟାଙ୍ଗ ଜନଜାତିର ଜୀବନରେ ଗୋଟିଏ ନୂତନ ଆଶା ଆଉ ନୂତନ ବିଶ୍ୱାସ ନେଇଆସିଛି । ପ୍ରାୟ ୩୪୦୦ ବ୍ରୁ ରିୟାଙ୍ଗଶରଣାର୍ଥୀଙ୍କୁ ତ୍ରିପୁରାରେ ଥଇଥାନ କରାଯିବ । ଖାଲି ସେତିକି ନୁହେଁ, ସେମାନଙ୍କର ପୁନର୍ବାସ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରାୟ ୬୦୦ କୋଟି ଟଙ୍କା ସାହାଯ୍ୟ ଦେବେ । ପ୍ରତ୍ୟେକ ବିସ୍ଥାପିତ ପରିବାରଙ୍କୁ ଘରଡିହ ଦିଆଯିବ । ଘର ତିଆରି କରିବାକୁ ସେମାନଙ୍କୁ ସାହାଯ୍ୟ କରାଯିବ । ତା’ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ରାସନର ସୁବିଧା ମଧ୍ୟ କରାଯିବ । ଏବେ ସେମାନେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ମଧ୍ୟ ପାଇପାରିବେ । ଏହି ବୁଝାମଣାଟି ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରେ । ଏହା ସହଯୋଗୀ ସଂଘବାଦର ଏକ ନିଦର୍ଶନ । ଏହି ବୁଝାମଣା ପାଇଁ ମିଜୋରାମ ଏବଂ ତ୍ରିପୁରା ଦୁଇଟିଯାକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଦୁଇ ରାଜ୍ୟର ଜନସାଧାରଣଙ୍କ ସହମତ ଏବଂ ସଦିଚ୍ଛା ଯୋଗୁଁ ଏହା ସମ୍ଭବ ହୋଇପାରିଲା । ଏଥିପାଇଁ ମୁଁ ଦୁଇ ରାଜ୍ୟର ଜନସାଧାରଣ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଉଛି । ଏଇ ବୁଝାମଣା ଭାରତୀୟ
ସଂସ୍କୃତିରେ ସମାହିତ ହୋଇଥିବା କରୁଣା ଭାବ ଏବଂ ସହୃଦୟତାର ଏକ ଜ୍ୱଳନ୍ତ ନିଦର୍ଶନ । ସମସ୍ତଙ୍କୁ ଆପଣାର ମନେ କରିବା ଏବଂ ଏକଜୁଟ୍ ହୋଇ ରହିବାର ଭାବନା ଏଇ ପବିତ୍ର
ଭୂମିର ସଂସ୍କାରରେ ଭରିରହିଛି । ମୁଁ ପୁଣିଥରେ ଏହି ଦୁଇ ରାଜ୍ୟର ଅଧିବାସୀ ଏବଂ ବ୍ରୁରିୟାଙ୍ଗ୍ ସମାଜକୁ ବିଶେଷ ଅଭିନନ୍ଦନ ଜଣାଉଛି । ସଫଳ ଆୟୋଜନ କରିଥିବା ଆସାମ ରାଜ୍ୟରେ ଆହୁରି ଗୋଟିଏ ବଡ଼ କାମ ବି ହୋଇଛି । ଆପଣମାନେ ମଧ୍ୟ ଖବର ଦେଖିଥିବେ ଯେ ଆସାମରେ ୮ଟି ଭିନ୍ନ ଭିନ୍ନ ସଶସ୍ତ୍ର ଉଗ୍ରବାଦୀ ଗୋଷ୍ଠୀର ୬୪୪ ଲୋକ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆଗରୁ
ଯେଉଁମାନେ ହିଂସାର ରାସ୍ତା ଧରିଥିଲେ ସେମାନେ ଏବେ ଶାନ୍ତି ଉପରେ ବିଶ୍ୱାସ କରି ଦେଶର ବିକାଶରେ ଭାଗୀଦାର ହେବାର ନିଷ୍ପତି ନେଇଛନ୍ତି । ପୁଣିଥରେ ମୁଖ୍ୟଧାରାକୁ ଫେରିଆସିଛନ୍ତି । ଗତବର୍ଷ ତ୍ରିପୁରାରେ ମଧ୍ୟ ଅଶୀରୁ ଅଧିକ ଲୋକ ହିଂସାର ରାସ୍ତା ତ୍ୟାଗକରି ମୁଖ୍ୟସ୍ରୋତକୁ ଫେରିଆସିଛନ୍ତି । ଦିନେ ଯେଉଁମାନେ ସମସ୍ୟାର ସମାଧାନ ପାଇଁ ଅସ୍ତ୍ରଶସ୍ତ୍ର ଧରି
ହିଂସାର ରାସ୍ତାକୁ ବାଛିନେଇଥିଲେ – ଆଜି ସେମାନଙ୍କର ଦୃଢ଼ବିଶ୍ୱାସ ହୋଇଛି ଯେ ଶାନ୍ତି ଏବଂ ଏକତା ହିଁ ଯେକୌଣସି ସମସ୍ୟାକୁ ସମାଧାନ କରିବାର (ଏକମାତ୍ର) ପ୍ରକୃଷ୍ଟ ମାର୍ଗ । ମୋର ଦେଶବାସୀମାନେ ଜାଣି ଖୁସିହେବେ ଯେ ଉତର ପୂର୍ବରେ ହିଂସାତ୍ମକ ଆନ୍ଦୋଳନ ଏବେ ବହୁମାତ୍ରାରେ କମିଯାଇଛି । ତା’ର କାରଣ ହେଲା ଏ ଅଂଚଳରେ ଥିବା ଅନେକ ସମସ୍ୟାକୁ ଶାନ୍ତି ଓ ସଚ୍ଚୋଟତାର ସହିତ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉଛି । ଦେଶର ଯେକୌଣସି ଭାଗରେ ଆଜି ବି ଯେଉଁ ଲୋକମାନେ ସମସ୍ୟାର ସମାଧାନ ପାଇଁ ହିଂସାର ପଥକୁ ଅନୁସରଣ କରିବାକୁ ଯାଉଛନ୍ତି – ଆଜିର ଏଇ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ମୁଁ ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ଫେରିଆସନ୍ତୁ । ସମସ୍ୟାଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ଦିଗରେ ନିଜର ତଥା ଏ ଦେଶର ସରକାରଙ୍କ
ଉପରେ ଭରସା ରଖନ୍ତୁ । ଆମେ ଆଜି ଏକବିଂଶ ଶତାବ୍ଦୀରେ ଅଛେ ଯାହା ଜ୍ଞାନ-ବିଜ୍ଞାନ ଓ ଗଣତନ୍ତ୍ରର ଯୁଗ । ଆପଣ ଏଭଳି କୌଣସି ସ୍ଥାନ ବିଷୟରେ ଜାଣନ୍ତି କି ଯେଉଁଠି ହିଂସା ମାଧ୍ୟମରେ ଜୀବନର ଉନ୍ନତି ହୋଇଛି? ଏଭଳି କୌଣସି ସ୍ଥାନକୁ ଜାଣନ୍ତି କି ଯେଉଁଠି ଶାନ୍ତି ଓ ସଦ୍ଭାବ ଯୋଗୁଁ ଜୀବନ ବିପର୍ୟ୍ୟସ୍ତ ହୋଇଛି? ହିଂସା କେବେ କୌଣସି ସମସ୍ୟାର ସମାଧାନ କରିନାହିଁ । ଦୁନିଆର କୌଣସି ସମସ୍ୟାର ସମାଧାନ ଆଉ ଗୋଟିଏ ସମସ୍ୟା ସୃଷ୍ଟି କରିବା ଦ୍ୱାରା ହୋଇନି । ବରଂ ଅଧିକରୁ ଅଧିକ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇପାରିଛି । ଆସନ୍ତୁ, ଏମିତି ଏକ ନୂଆ ଭାରତ ଗଢ଼ିବା ଦିଗରେ ଏକଜୁଟ ହେବା ଯେଉଁଠି ଶାନ୍ତି ହିଁ ପ୍ରତ୍ୟେକ ପ୍ରଶ୍ନର ସମାଧାନର ଆଧାର ହେବ । ସମସ୍ତ ସମସ୍ୟା ସମାଧାନର ପ୍ରୟାସରେ ଏକତା ରହୁ ଓ ଭ୍ରାତୃଭାବ ଦ୍ୱାରା ବିଭାଜନର ସମସ୍ତ ଚେଷ୍ଟା ବିଫଳ ହେଉ । ମୋର ପ୍ରିୟ ଦେଶବାସୀ, ଆଜି ଗଣତନ୍ତ୍ର ଦିବସର ଏହି ସୁଅବସରରେ ଆନନ୍ଦର ସହିତ ‘ଗଗନଯାନ’ ସମ୍ବନ୍ଧରେ କହିବାକୁ ଚାହେଁ । ଏ ଦିଗରେ ଦେଶ ଆଉ ଗୋଟିଏ ପାଦ ଆଗେଇଗଲାଣି । ୦୨୨ରେ ଆମ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ହେବ । ସେଇ ଅବସରରେ ଆମେ ‘ଗଗନଯାନ ଅଭିଯାନ’ ଦ୍ୱାରା ଜଣେ ଭାରତୀୟକୁ ମହାକାଶକୁ ପ୍ରେରଣ କରିବାର ସଂକଳ୍ପ ପୂରଣ କରିବାର ଅଛି । ‘ଗଗନଯାନ’ ଅଭିଯାନ ଏକବିଂଶ ଶତାବ୍ଦୀରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଐତିହାସିକ ଉପଲବ୍ଧି ହେବ । ‘ନୂଆ ଭାରତ’ ପାଇଁ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ । ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଏହି ଅଭିଯାନ ପାଇଁ ମହାକାଶ ଯାତ୍ରୀ ଭାବେ ୪ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇସାରିଲାଣି । ଏହି ଚାରିଜଣ ଯୁବକ ଭାରତୀୟ ବାୟୁସେନାର ପାଇଲଟ । ଏହି ସାହସୀ ଯୁବକମାନେ ଭାରତର କୌଶଳ, ପ୍ରତିଭା, କ୍ଷମତା, ସାହସ ଏବଂ ସ୍ୱପ୍ନର ପ୍ରତୀକ । ଆମର ଏହି ଚାରିଜଣ ବନ୍ଧୁ ଆଗକୁ ପ୍ରଶିକ୍ଷଣ ପାଇଁ ଋଷ ଯିବେ । ମୋର ବିଶ୍ୱାସ ଏହା ଭାରତ ଓ ଋଷ ମଧ୍ୟରେ ମୈତ୍ରୀ ଏବଂ ସହଯୋଗର ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ । ଏମାନଙ୍କୁ ବର୍ଷକରୁ ଅଧିକ ସମୟ ପ୍ରଶିକ୍ଷଣ ଦିଆଯିବ । ତା’ପରେ ଦେଶର ଆଶା ଓ ଆକାଂକ୍ଷାର ଉଡ଼ାଣକୁ ମହାକାଶ ପର୍ୟ୍ୟନ୍ତ ନେଇଯିବାର ଗୁରୁଦାୟିତ୍ୱ ଏଇ ଚାରିଜଣଙ୍କ ମଧ୍ୟରୁ କୌଣସି ଜଣଙ୍କ ଉପରେ ନ୍ୟସ୍ତ ହେବ । ଆଜି ଗଣତନ୍ତ୍ର ଦିବସର ଏହି ଶୁଭ ଅବସରରେ ଏଇ ଚାରିଜଣ ନବଯୁବକ ଏବଂ ଏହି ଅଭିଯାନ ସହ ଜଡ଼ିତ ଭାରତ ଓ
ରୁଷର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମୋର ପ୍ରିୟ ଦେଶବାସୀ, ଗତ ମାର୍ଚ୍ଚ ମାସରେ ଗୋଟିଏ ଭିଡ଼ିଓ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିଲା । ୧୦୭ ବର୍ଷ ବୟସ୍କା ଜଣେ ମା’ କେମିତି ରାଷ୍ଟ୍ରପତି ଭବନରେ ପ୍ରୋଟୋକଲ ଭାଙ୍ଗି ରାଷ୍ଟ୍ରପତି ମହୋଦୟଙ୍କୁ ଆଶୀର୍ବାଦ କରୁଛନ୍ତି ଭିଡିଓର ତାହାହିଁ ଥିଲା । ଏହି ମହିଳା ଜଣକ ଥିଲେ କର୍ଣ୍ଣାଟକର ସାଲୁମର୍ଦା ଥିମକ୍କା ଯିଏ କର୍ଣ୍ଣାଟକରେ ବୃକ୍ଷମାତା ନାମରେ ପ୍ରଖ୍ୟାତ । ସେହି ସମାରୋହଟି ପଦ୍ମ ପୁରସ୍କାର ଅଳଙ୍କରଣ ଉତ୍ସବ ଥିଲା । ଖୁବ୍ ସାଧାରଣ ସ୍ତରରୁ ଆସିଥିବା ଥିମକ୍କାଙ୍କର ଅସାଧାରଣ ଅବଦାନକୁ ଦେଶ ଜାଣିଲା, ବୁଝିଲା ଏବଂ ସମ୍ମାନ ଦେଲା । ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଉଥିଲା । ବନ୍ଧୁଗଣ, ଆଜି ଭାରତ ନିଜର ଏହି ମହାପୁରୁଷମାନଙ୍କୁ ନେଇ ଗର୍ବ ଅନୁଭବ କରୁଛି । ମାଟି ସହ ଜଡ଼ିତ ଏଇ ଲୋକମାନଙ୍କୁ ସମ୍ମାନିତ କରି ଗୌରବାନ୍ୱିତ ହେଉଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗତ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ମୋର ଅନୁରୋଧ ଆପଣ ଏଇ ଲୋକମାନଙ୍କ ବିଷୟରେ ନିଶ୍ଚୟ ପଢ଼ନ୍ତୁ । ଏମାନଙ୍କ କୃତିତ୍ୱ ବିଷୟରେ ପରିବାର ଭିତରେ ଆଲୋଚନା କରନ୍ତୁ । ୨୦୨୦ର ପଦ୍ମ ପୁରସ୍କାର ପାଇଁ ଏ ବର୍ଷ ଛୟାଳିଶ ହଜାରରୁ ଅଧିକ ନାମାଙ୍କନ ଆସିଛି । ଏ ସଂଖ୍ୟା ୨୦୧୪ ବର୍ଷ ଳନାରେ ୨୦ ଗୁଣ ଅଧିକ । ଏହି ସଂଖ୍ୟା ଲୋକମାନଙ୍କର ସେହି ବିଶ୍ୱାସର ପରିଚାୟକ ଯେ ପଦ୍ମ ସମ୍ମାନ ଏବେ ଜନସାଧାରଣଙ୍କ ପୁରସ୍କାରରେ ପରିଣତ ହୋଇଛି । ଏବେ ପଦ୍ମ ପୁରସ୍କାରର ସମସ୍ତ ପ୍ରକ୍ରିୟା
ଅନଲାଇନ ହୋଇଯାଇଛି । ପୂର୍ବେ ଯେଉଁ ନିଷ୍ପତି ସୀମିତ ଲୋକଙ୍କ ଦ୍ୱାରା ହେଉଥିଲା ଆଜି ତାହା ଜନତାଙ୍କ ଦ୍ୱାରା ପରିଚାଳିତ । କହିବାକୁ ଗଲେ ପଦ୍ମ ପୁରସ୍କାରକୁ ନେଇ ଦେଶରେ ଏକ ନୂତନ ବିଶ୍ୱାସ ଏବଂ ସମ୍ମାନ ସୃଷ୍ଟି ହୋଇଛି । ଏବେ ପଦ୍ମ ପୁରସ୍କାର ପାଉଥିବା ଲୋକମାନଙ୍କ ମଧ୍ୟରେ ଅନେକ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଓ ପରାକାଷ୍ଠା ବଳରେ ତୃଣମୂଳ ସ୍ତରରୁ ଉପରକୁ ଉଠିଛନ୍ତି । ସୀମିତ ସମ୍ବଳର ଅସୁବିଧା ତଥା ଚତୁଃପାଶ୍ୱର୍ର ଘୋର ନିରାଶାକୁ ପରାହତ କରି ଆଗକୁ ଆସିଛନ୍ତି । ବାସ୍ତବରେ ସେମାନଙ୍କର ଦୃଢ଼ ଇଚ୍ଛାଶକ୍ତି, ସେବାଭାବ ତଥା ନିଃସ୍ୱାର୍ଥ ଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ । ମୁଁ ପୁଣିଥରେ ସମସ୍ତ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ସେମାନଙ୍କ ବିଷୟରେ ପଢ଼ିବାକୁ ଓ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଅନୁରୋଧ କରୁଛି ।
ସେମାନଙ୍କ ଜୀବନର ଅସାଧାରଣ କାହାଣୀଗୁଡ଼ିକ ସମାଜକୁ ବାସ୍ତବରେ ପ୍ରେରଣା ଯୋଗାଇବ । ମୋର ପ୍ରିୟ ଦେଶବାସୀ, ଗଣତନ୍ତ୍ର ଦିବସ ପାଇଁ ଆପଣମାନଙ୍କୁ ପୁଣିଥରେ ଅନେକ
ଅନେକ ଶୁଭକାମନା ଜଣାଉଛି । ଏହି ସମ୍ପୂର୍ଣ୍ଣ ଦଶକଟି ଆପଣମାନଙ୍କ ଜୀବନରେ, ଭାରତର ଜୀବନରେ ନୂତନ ସଂକଳ୍ପ ଓ ନୂତନ ସିଦ୍ଧିର ସମୟ ହେଉ । ବିଶ୍ୱ ଭାରତଠାରୁ ଯାହା ଚାହେଁ ତାହା ପୂର୍ଣ୍ଣ କରିବାର ସାମର୍ଥ୍ୟ ଭାରତକୁ ମିଳୁ । ଆସନ୍ତୁ – ଏଇ ବିଶ୍ୱାସର ସହ ନୂତନ ଦଶକର ଆରମ୍ଭ କରିବା । ନୂତନ ସଂକଳ୍ପର ସହ ମା’ ଭାରତୀଙ୍କ ପାଇଁ ଏକଜୁଟ୍ ହେବା ।


