ମାଳ ମାଳ ଯୋଜନା କାହାପାଇଁ, ଭିକ୍ଷାବୃତିକୁ ଆପଣେଇଛନ୍ତି ମାଧିଆ
ହାଟଡିହି, (ବିକାଶ ବିଶ୍ୱାଳ ) : ସରକାର ଗରିବ ଆଦିବାସୀ ମାନଙ୍କ ପାଇଁ କେତେ କଣ ଯୋଜନା ମାନ କରିଚାଲିଛନ୍ତି, କିନ୍ତୁ ତାହା କେବଳ ଭାଷଣ ବାଜିରେ ସିମିତ ରହିଯାଉଛି । ଯେଉଁ ସରକାରୀ ବାବୁ ମାନଙ୍କ ଦ୍ୱାରା ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥାଏ ସେମାନଙ୍କ ଅବହେଳା ଯୋଗୁଁ ବିଚରା ଗରିବ ହିତାଧିକାରୀ ମାନେ ଅବହେଳାର ଶୀକାର ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଆବୁଲୁପୁରା ଗ୍ରାମରେ । ଗ୍ରାମର ମାଧିଆ ମୁଣ୍ଡା ଓ ତାଙ୍କ ପତ୍ନୀ ଜୀବନ ବଞ୍ଚାଇବା ପାଇଁ ଭିକ୍ଷାବୃତ୍ତିକୁ ଆପେଣେଇ ନେଇଛନ୍ତି । ଭଙ୍ଗା ଘରେ ବାସ କରୁଥିବା ଏହି ଦୁଇପରାଣୀ ଅତି ଦୁଃଖ କଷ୍ଟରେ ଚଳୁଥିବାବେଳେ ସେମାନଙ୍କ ପାଖରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରୁନାହିଁ । ଚାଷବାସ ପାଇଁ ଜମିବାଡି ନଥିବାବେଳେ ରେସନ କାର୍ଡ ଖଣ୍ଡିଏ ବି ନାହିଁଁ । ୬୫ବର୍ଷରେ ପାଦଥାପି ଥିଲେବି ଭତ୍ତା ଖଣ୍ଡିଏବି ତାଙ୍କୁ ମିଳିପାରିନି । ଏପରିକି ଆଧାରକାର୍ଡ ଖଣ୍ଡିଏ ମଧ୍ୟ କରିପାରି ନାହାନ୍ତି ମାଧିଆ କି ତାଙ୍କ ପତ୍ନୀ । ମାଧିଆ ଏବେ ପାରାଲିସସ ରୋଗୀ ହୋଇଥିବାବେଳେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ କେହି ତାଙ୍କ ବୁଝିବାକୁ ନାହାନ୍ତି । ଗାଁରୁ ପଞ୍ଚାୟତ ପର୍ଯ୍ୟନ୍ତ ୱାର୍ଡସଭ୍ୟ, ସରପଞ୍ଚ ଭଳି ମାଳମାଳ ନେତା ଥିବାବେଳେ ପିଇଓ, ଜିଆରଏସ, ଅଙ୍ଗନବାଡି କର୍ମୀ, ସର୍ଭେ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ନୋଡାଲ ଅଫିସରଙ୍କ ଭଳି ମାଳ ମାଳ ଅଧିକାରୀ ବି ଅଛନ୍ତି । କିନ୍ତୁ କାହାର ଦୃଷ୍ଟି ତାଙ୍କ ଉପରେ ପଡୁନି । ଏପରି ଅବସ୍ଥାରେ ସେ ଏବେ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରି ନିଜର ପେଟ ପୋଷୁଛନ୍ତି ।