ମା’ଶିଖରଚଣ୍ଡୀ ପାହାଡ଼ରେ କ୍ରାନ୍ତି ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମା’ ଶିଖରଚଣ୍ଡୀ ପାହାଡ଼ ଏକ ଶକ୍ତିପୀଠ ଓ ଜୈବ ବିବିଧତାର ପ୍ରାଣକେନ୍ଦ୍ର ତଥା ପାଇକମାନଙ୍କର ସମରାଭ୍ୟାସସ୍ଥଳୀ ଭାବରେ ପରିଚିତ । ଏହି ପାହାଡ଼ର ୧୦ ଏକର ପରିମିତ ଜାଗାକୁ ନଷ୍ଟ କରି ୧୦ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାର ଗଛ କାଟିବା ଦ୍ୱାରା ପଶୁପକ୍ଷୀ ଆଦି ସ୍ଥାନୀୟ ପାହାଡ଼ ଛାଡ଼ି ଜୀବନ ସୁରକ୍ଷା ପାଇଁ ପଳାୟନ କରିଛନ୍ତି । ସେଥିପାଇଁ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଗ୍ରୀନ୍ ଟ୍ରିବୁନାଲର ଆଶ୍ରୟ ନିଆଯାଇଛି ଓ ବର୍ତ୍ତମାନ ୱାଟ୍‌କୋ ଏଠାରେ ନିର୍ମାଣ କରିବାକୁ ଥିବା ପାଣିଟାଙ୍କି ନିର୍ମାଣ କାର୍ଯ୍ୟକ୍ରମ ବନ୍ଦ ରହିଛି । କିନ୍ତୁ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ତରଫରୁ ବିଭିନ୍ନ ସମୟରେ ସମୂହ ବୃକ୍ଷରୋପଣ କରାଯିବା ସହ ଏହି ସ୍ଥାନରେ ଏକ ପାଇକ ସହିଦ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଏଠାରେ ଜାତୀୟ ପତାକା ଉତ୍ତୋଳନ ଓ ପାଇକ ସହିଦ ସ୍ମାରକୀ ସ୍ମୃତିସ୍ତମ୍ଭର ବୃତ୍ତଚିତ୍ର ଲୋକାର୍ପିତ କରାଯିବା ସହ ୱାଟ୍‌କୋ ଏହି ସ୍ଥାନ ପରିତ୍ୟାଗ କରିବା ପାଇଁ ଦୃଢ ସଂକଳ୍ପ ନିଆଯାଇଛି । କୌଣସି ପରିସ୍ଥିତିରେ ଏଠାରେ ପାଣିଟାଙ୍କି ନିର୍ମାଣ କରିବାକୁ ଦିଆଯିବ ନାହିଁ ବୋଲି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ସଦସ୍ୟମାନେ ସ୍ଲୋଗାନ ଦେବା ସହ ଚେତାବନୀ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପ୍ରେରଣା ଗ୍ରୀନ ଆର୍ମିର ସେନାଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ଆବାହକ ସଚିନ ମହାପାତ୍ର, ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ, ସମାଜସେବୀ ଅଜୟ କୁମାର ସାମଲ, ଅଞ୍ଜନ ଜେନା, କୁନା ଜେନା, ସମରେଶ ପାଇକରାୟ, ମହିମା ସାମନ୍ତରାୟ, ଲକ୍ଷ୍ମୀଧର ପାତ୍ର, ଲକ୍ଷ୍ମୀଧର ଜେନା, ନିର୍ମଳ ମହାରଣା, ରାଜେଶ ପଟ୍ଟନାୟକ, ସି.ଜେ. ମୁରଲୀ ଓ ବସନ୍ତ ରାଉତ ପ୍ରମୁଖ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ, ସହିଦ ସ୍ମୃତିସ୍ତମ୍ଭର ବୃତ୍ତଚିତ୍ର ଲୋକାର୍ପିତ, ଶିଖରଚଣ୍ଡୀ ସୁରକ୍ଷା ପାଇଁ ସଂକଳ୍ପ ପାଠ କରିବା ଆଦି କାର୍ଯ୍ୟକ୍ରମ କରିବା ସହିତ କୌଣସି ପରିସ୍ଥିତିରେ ଏଠାରେ ପାଣିଟାଙ୍ଗି ନିର୍ମାଣ କରିବାକୁ ଦିଆଯିବ ନାହିଁ ବୋଲି ଦୃଢ ସଂକଳ୍ପ ନେବା ସହ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ