ମାସିକ ଭତ୍ତା ପାଇଁ ଅପେକ୍ଷା କରିଛନ୍ତି ୬୦୦୦ହିତାଧିକାରୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଅସହାୟ, ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ମାସିକିଆ ଭତ୍ତା ପ୍ରଦାନ କରୁଛନ୍ତି। ପୂର୍ବରୁ ସିଧାସଳଖ ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭତ୍ତା ପାଉଥିବା ବେଳେ ଏବେ କିଛି ମାସ ହେବ ସରକାର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି। ବିଶେଷ କରି ଇନ୍ଦିରା ଗାନ୍ଧୀ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଜରିଆରେ ଅର୍ଥ ପ୍ରଦାନ କରାଯାଉଛି। ପରିତାପର ବିଷୟ ନୂତନ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ରହିଥିବାରୁ ସଠିକ ସମୟରେ ଅସହାୟ ବୃଦ୍ଧ କିମ୍ବା ବୃଦ୍ଧାଟିଏ ଭତ୍ତା ଗଣ୍ଡିଏ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୧୪ହଜାର ହିତାଧିକାରୀ ଭତ୍ତା ପାଉଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୬ହଜାର ହିତାଧିକାରୀ ଇନ୍ଦିରା ଗାନ୍ଧୀ ଭତ୍ତା ପାଇଥାନ୍ତି। ବ୍ୟାଙ୍କ ଜରିଆରେ ପୂର୍ବରୁ ସେମାନେ ଭତ୍ତା ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଅର୍ଥ ମିଳିବାରେ ବିଳମ୍ବ ଘଟୁଥିବା ଦେଖାଯାଉଛି। ଚଳିତ ଆର୍ଥିକ ବର୍ଷରେ ଏନେଇ ଅନେକ ବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ହିତାଧିକାରୀ। ପୁଣି ଏବେ ନିର୍ଦ୍ଧାରିତ ସମୟ ଚାଲିଯାଇଥିବା ବେଳେ ଏଯାଏଁ ବ୍ୟାଙ୍କ ଖାତାକୁ ଟଙ୍କା ଆସିନାହିଁ। ଏପଟେ ମାସିକିଆ ଭତ୍ତା ଅର୍ଥକୁ ଭରଷା କରି ଗୁଜୁରାଣ ମେଣ୍ଟାଉଥିବା ହିତାଧିକାରୀ ମାନେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଗୁରୁତର ଅଵ୍ୟଵସ୍ଥା ସମ୍ପର୍କରେ ଜାଣିବା ପାଇଁ ବ୍ଲକ ସମାଜ ମଙ୍ଗଳ ଅଧିକାରିଣୀଙ୍କ ମତାମତ ଲୋଡ଼ାଯାଇଥିଲେ ସୁଦ୍ଧା ସେ ଏହା ଉପରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାନ୍ତି। ସେ ଯାହାବି ହେଉ ବିଭିନ୍ନ ବର୍ଗର ଅସହାୟ ମାନେ କେଉଁଭଳି ନିୟମିତ ଭାବେ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଇବେ ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ