ମାସ୍କ ନପିନ୍ଧିବା ପଡ଼ିଲା ମହଙ୍ଗା ପ୍ରଶାସନ ପକ୍ଷରୁ ଯାଂଚ କଡ଼ାକଡ଼ି, ୭ ହଜାର ଟଙ୍କା ଜୋରିମାନା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭୁତାଣୁ ସଂକ୍ରମଣ । କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁହାର ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଗତ ପେବୃୟାରୀ ୨୨ ତାରିଖରେ ଭାରତ ବର୍ଷକୁ ଜନତା କର୍ଫ୍ୟୁ ଘୋଷଣଶ କରାଯାିଥିଲା । ଏହା ପରେ ୨୩ ତାରିଖ ଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ ତାରିଖ ଠାରୁ ଗଂଜାମ ଜିଲ୍ଲାକୁ ଆଂଶିକ(୧୯ ଘଂଟା ସକାଶେ )ଶଟନାଉନ ଘୋଷଣା କରାଯାଇଛି । ପ୍ରତ୍ୟେହ ମଧ୍ୟାନ୍ନ ୧୨ ଟା ଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଲୋକ ମାନଙ୍କୁ ଘରୁ ବାହାରକୁ ନବାହାରିବା ସକାଶେ ଅନୁରୋଧ କରାଯିବା ସହ ପ୍ରଶାସନ ପକ୍ଷରୁ ସଚେତନତା ସହ ଯାଂଚ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଜନସାଧାରଣ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ଯେଉଁ ବ୍ୟକ୍ତି ମାସ୍କ ବ୍ୟବହାର ନକରି ଘରୁ ବାହାରକୁ ଆସିଥିବେ ସେମାନଙ୍କ ଠାରୁ ସହରାଂଚଳରେ ୧ ହଜାର ଓ ଗ୍ରାମାଂଚଳରେ ୫ଶହ ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଘୋଷଣା କରିଛନ୍ତି । ଏହି ଅବସରରେ ମଙ୍ଗଳବାର ତହସିଲଦାର ଗୋପିନାଥ କୁଅଁରଙ୍କ ତତ୍ୱାବଧାନରେ ରାଜସ୍ୱ କର୍ମଚାରୀ ମାନେ ସୋମପୁର ଗ୍ରାମ ଛକରେ ଯାଂଚ କରିବା ସହ ୧୦ ଜଣ ବ୍ୟକ୍ତି ମାସ୍କ ବ୍ୟବହାର ନକରି ବାହାରକୁ ଆସିଥିବାରୁ ପ୍ରତେକଙ୍କୁ ୫ଶହ ଟଙ୍କା ବାବଦରେ ମୋଟ ୫ ହଜାର ଟଙ୍କା ଆଦାୟ କରାଯାିଥିଲା । ସେହିପରି ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳ ବିଜୁ ପଟ୍ଟନାୟକ ଛକରେ ଯାଂଚ କରାଯାଇ ୨ ଜଣଙ୍କ ଠାରୁ ପ୍ରତ୍ୟେକ ୧ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିଲା । ଯାଂଚ ସମୟରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ବହୁ ଥାନା ଓ ପୌର ପରିଷଦର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।