ମାସ୍କ ପିନ୍ଧି ନଥିବା ଯୁବକଙ୍କୁ ପୋଲିସର ମାଡ କନେଷ୍ଟବଳ ନିଲମ୍ବିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଗତ ୯ ତାରିଖ ବନ୍ତ ବଜାରରେ ମାସ୍କ ପିନ୍ଧି ନଥିବା ଜଣେ ଯୁବକଙ୍କୁ ପୋଲିସ ମାଡ ମାରି ଲହୁଲୁହାଣ କରିବା ଘଟଣାରେ ସୋମବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଟୁଇଟ୍ ସୂଚନା ଅନୁଯାୟୀ କାର୍ଯ୍ୟକାରିତା ସମୟରେ ଜଣେ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବନ୍ତ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଅତ୍ୟଧିକ ବଳ ପ୍ରୟୋଗ ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ନିଲମ୍ବିତ କରିଥିବା ଟୁଇଟ୍ ସୂଚନାରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ, ଗତ ୯ ତାରିଖ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମର ରାଜୀବ ସାହୁ ବନ୍ତ ଥାନା ଛକ ଠାରେ ଫଳ କିଣୁଥିବା ବେଳେ ପୋଲିସ ତାଙ୍କୁ ମାସ୍କ ପିନ୍ଧି ନଥିବା ନେଇ ତାଗିଦ୍ କରିଥିଲେ । ଏଥିନେଇ ପୋଲିସ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଫଳରେ ପୋଲିସ ତାଙ୍କୁ ପିସିଆର ଭ୍ୟାନ୍କୁ ନେବା ବେଳେ ଜଣେ କନେଷ୍ଟବଳ ତାଙ୍କୁ ପିଟିଥିଲେ । ଫଳରେ ରାଜୀବ ଜଣେ ମହିଳା କନେଷ୍ଟବଳଙ୍କ ଠାରୁ ଲାଠି ଛଡାଇ ପୋଲିସ ମାଡରୁ ରକ୍ଷା ପାଇବା ପାଇଁ ଲାଠିକୁ ବୁଲାଇଥିଲେ । ସେଠାରେ ଉପସ୍ଥିତ ଥିବା ବାଟାଲିୟନ ଫୋର୍ସ ଓ ବନ୍ତ ପୋଲିସ ପକ୍ଷରୁ ଉକ୍ତ ଯୁବକଙ୍କୁ ପ୍ରବଳ ମାଡ ଦିଆଯାଇଥିଲା । ଫଳରେ ଯୁବକର ମୁଣ୍ଡ ଫାଟି ଲହୁଲୁହାଣ ହୋଇଥିଲା । ତାଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ୨/୩ ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣା ସଂପର୍କରେ ବନ୍ତ ଅଞ୍ଚଳର ଜଣେ ସାମାଜିକ କର୍ମୀ ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଫଳସ୍ୱରୂପ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ଅପରପକ୍ଷେ ଉକ୍ତ ଘଟଣାକୁ ନେଇ ସେତେବେଳେ ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇନଥିଲା । ସୋମବାର ଏନେଇ ମହିଳା କନେଷ୍ଟବଳଙ୍କ ଅଭିଯୋଗ କ୍ରମେ ଥାନାରେ କେସ ନଂ-୫୬/୨୦ ମୂଳେ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି । ସେହିପରି ନିଲମ୍ବିତ ହୋଇଥିବା କନେଷ୍ଟବଳ ଜଣକ ଓଏସଏପି ବାହିନୀର ବୋଲି ଜଣାଯାଇଛି ।


