ମାହାଙ୍ଗର ଦୁଇ ବିଜେପିନେତାଙ୍କ ହତ୍ୟା ଘଟଣା ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଅନ୍ୟ ୧୩ଜଣ ବିଜେଡିନେତାଙ୍କ ସଂପୃକ୍ତି ବିରୋଧରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହ କରାଯାଇଛି । କେନ୍ଦ୍ରାପଡା ଟାଉନ ଥାନା ସମ୍ମୁଖରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଜେପି ନେତା ସୁନାକର ବେହେରା, ଶଶାଙ୍କ ଓଝା, ମଦନମୋହନ ବେହେରା, ଦେବାଶିଷ ଦାସ, ବିକ୍ରମ ରାଉତରାୟ, ବିକ୍ରମାଦିତ୍ୟ ସାହୁ, ପ୍ରତାପ ତ୍ରିପାଠୀ, ନୃସିଂହ ପତ୍ରୀ, ମୁକ୍ତିକାନ୍ତ ସ୍ୱାଇଁ, ବନ୍ଦନା ରାଉତରାୟ, ବାସୁଦେବ ତ୍ରିପାଠୀ, ମନମୋହନ ବେଉରା, ବିନ୍ଦୁସାଗର ଦାସ, ପଦ୍ମଲୋଚନ ମହାପାତ୍ର, ତପନ ସାହୁ, ଚନ୍ଦ୍ରମଣି ମଳିକ, ବଳରାମ ବେହେରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ନାରାବାଜି ଦେବା ସହ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତଦନ୍ତ ପରିସରକୁ ନେବା ସହିତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଥିଲେ । ସେହିପରି ଜିଲ୍ଲାର ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ, ପାଟକୁରା ପ୍ରଭୃତି ଥାନା ଗୁଡିକ ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶପୁତଳିକା ଦାହ କରିଥିଲେ ।