ମାଡ଼ିଆସୁଛି ବୁଲବୁଲ୍ : ଚିତ୍ର ଅସ୍ପଷ୍ଟ
ବଙ୍ଗୋପସାଗର ଅତିକ୍ରମ କରି ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି ବୁଲବୁଲ୍। ଏହାକୁ ନେଇ ଏବେ ବି ସସପେନ୍ସ ଲାଗିରହିଛି । କେଉଁ ସ୍ଥଳଭାଗ ଦେଇ ଏହା ଅତିକ୍ରମ କରିବ, ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି । ୫ ଦିନ ସମୁଦ୍ରରେ ରହିବା ପରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହୁଡ଼ହୁଡ଼, ଫାଇଲିନ୍, ଫନି ଭଳି ମହାବାତ୍ୟାକୁ ସାମ୍ନା କରିଥିବା ଓଡ଼ିଶାବାସୀ ଏବେ ବୁଲବୁଲ୍ ନେଇ ଆତଙ୍କିତ । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯିବ ସହ ଗ୍ରାଉଣ୍ଡ୍ ଜିରୋରୁ ଲୋକମାନଙ୍କୁ ସୁରକ୍ଷାଦେବା ଲାଗି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରରେ ବୁଲବୁଲ୍ ଡିପ୍ ଡିପ୍ରେସନ୍ର ରୂପ ନେଇସାରିଛି । ଅତି ମନ୍ଥର ଗତିର ଘୂର୍ଣ୍ଣିର୍ବଳୟ ଆଖି ଆଗକୁ ବଢ଼ୁଛି । ତେବେ ଓଡ଼ିଶା ପ୍ରତି ବିପଦ ନ ଥିବା ପାଣିପାଗ ବିଭାଗ ଅନୁମାନ କରୁଛି । ଯଦି ଏହା ଓଡ଼ିଶା ନ ଛୁଏଁ, ତେବେ ଏକ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ବାଲାଂଦେଶ, ପଶ୍ଚିମବଙ୍ଗ ଅଥବା ମିଆଁମାର ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ୮ ତାରିଖ ସଂଧ୍ୟାରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ଲାଗିରହିବ । ୯ ତାରିଖରେ ପବନର ବେଗ ବଢ଼ିବା ସହ ୧୦ ତାରିଖରେ ବୁଲବୁଲ୍ ସ୍ଥଳଭାଗ ଅତିକ୍ରମ କରିବ । ଏବେ ଏହା ପାରାଦ୍ୱୀପଠାରୁ ୮୯୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଅନ୍ୟ ପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଗୁରୁବାର ପୂର୍ବାହ୍ଣରେ ଗୁଜୁରାଟ ଉପକୂଳ ଛୁଇଁବ । ତେବେ ସ୍ଥଳଭାଗ ଛୁଇଁବା ବେଳକୁ ଏହାର ଶକ୍ତି ହ୍ରାସ ପାଇସାରିଥିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


