ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’ : ବଜାରରୁ ଆଳୁ ଗାଏବ, ପରିବା ଦର ଆକାଶ ଛୁୂଆଁ
ହିଂଜିଳିକାଟୁ, (ଶେଷଦେବ ସାହୁ): ଗତ ଅକ୍ଟୋବର ମାସରେ ବହି ଯାଇଥିବା ସାମୁଦ୍ରିକ ଝଡ଼ ‘ତିତ୍ଲି’ର ଭୟ ଳୋକଙ୍କ ମନରୁ ନଲିଭିୁଣୁ ପୁଣିଥରେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’ । ଏହାକୁ ଆଖି ଆଗରେ ରଖି ହିଂଜିଳିକାଟୁ ପରିବା ବଜାରରୁ ଆଳୁ ଗାଏବ ହୋଇଯାଇଛି । ଏତଦ୍ ବ୍ୟତିତ ପରିବା ବଜାରରେ ନିଆଁ ଲାଗିଛି । ପରିବା ଦର ଆକାଶ ଛୁଆଁ ହୋଇପଡ଼ିଛି । ‘ଫନି’ କୁ ଆଖି ଅଗରେ ରଖି ସ୍ଥାନୀୟ ଅଂଚଳର କିଛି ଲାଭଖୋର ବ୍ୟବସାୟୀ ଜାଣିଶୁଣି ବଜାରରୁ ଆଳୁକୁ ଗାଏବ କରି ଦେଇଥିବା ଅଭିଯୋଗ ହୋଇଛି । ବୁଧବାର ଅପରାହ୍ନରେ ଆଳୁ ଦର କିଲୋଗ୍ରାମ ପିଛା ୧୬ ଟଙ୍କା ଓ ପ୍ୟାକେଟ ପିଛା ୫୫୦ ଟଙ୍କା ରହିଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଆଳୁ କିଲୋ ପିଛା ୨୪ ଟଙ୍କା ରହିଥିବା ବେଳେ ପ୍ୟାକେଟ ପିଛା ୯୫୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । କିଛି ଅସାଧୁ ବ୍ୟବସାୟୀ ଜାଣିଶୁଣି ଆଳୁକୁ ନିଜନିଜ ଗୋଦାମ ଘରେ ଗଚ୍ଛିତ ରଖି ବଜାରରେ କୃତିମ ଅଭାବ କରୁଛନ୍ତି । ଆଳୁ ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ସ୍ଥାନୀୟ ଯୋଗାଣ ନିରିକ୍ଷକ ଶରତ ବେହେରା, ବ୍ୟବସାୟୀ ମାନଙ୍କୁ ତାଗିଦ କରିବା ସହ ଦୋକାନ ସମ୍ମୁଖରେ ଆଳୁ ଦର ଲିପିବଦ୍ଧ କରିବାକୁ କହିଥିବା ଜଣାପଡ଼ିଛି । ପରିବା ବଜାରରେ ଯୋଗାଣ ନିରିକ୍ଷକ ବେହେରା ପଂହଚି ଘଟଣାର ତଦନ୍ତ କରୁଥିବା ବେଳେ କିଛି ବ୍ୟବସାୟୀ ୍ରଆଳୁ ବସ୍ତା ଦୋକାନ ମଧ୍ୟରେ ନରଖି କୌଣସି ଏକ ଲୁକ୍କାୟିତ ସ୍ଥାନରେ ରଖି ଚଢା ଦରରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପରିବା ଦର ମଧ୍ୟ ଆକାଶ ଛୁଆଁ ହୋଇ ପଡ଼ିଛି । କିଲୋ ପିଛା ଟମାଟ ୪୦ ଟଙ୍କା, ଭେଣ୍ଡି ୩୦ ଟଙ୍କା, କଟିକି ୮୦ ଟଙ୍କା , ପଣସ ୨୫ ଟଙ୍କା, ଭଣ୍ଡା ୩୦ ଟଙ୍କା, ବଡ଼ କାଙ୍କଡ଼ ୮୦ ଟଙ୍କା, ବାଇଗଣ ୩୦ ରୁ ୪୦ ଟଙ୍କା, ସଜନା ୪୦ ଟଙ୍କା ଭାବେ ବିକ୍ରି ହେଉଛି । ବଜାରରେ ଆଳୁର କୃତିମ ଅଭାବ କରୁଥିବା ଏଭଳି ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖି ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।