ମା ବୁଢୀ ଠାକୁରାଣୀ ଙ୍କ ପୀଠ ରେ ଝାମୁଯାତ୍ରା
ନିମାପଡ଼ା, (ସନ୍ତୋଷ ଦାଶ):ରବିବାର ଥିଲା ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲା ନୟାହାଟ ନିକଟସ୍ଥ ନୂଆପାଟଣା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀ ଙ୍କ ପୀଠ ରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ଝାମୁଯାତ୍ରା । ଗତ ମୀନ ସଂକ୍ରାନ୍ତି ଠାରୁ ପୀଠ ରେ ଆରମ୍ଭ ହୋଇଥିବା ମା ଙ୍କ ଚୈତ୍ରପର୍ବ ଆଜି ଶେଷ ହୋଇଛି। ପ୍ରାତଃ ରୁ ମା ଙ୍କ ସ୍ନାନ, ମାର୍ଜଣା , ସକାଳ ବାଳ ଭୋଗ ଲାଗି ପରେ ମନ୍ଦିର ପହୁଡ଼ ଫିଟା ଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁମାନେ ମା ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ମା ଙ୍କ ପୂଜକ ନିଭରଣ ଗ୍ରାମ ର ଦେବେନ୍ଦ୍ର ଦିକ୍ଷୀତ, ପରୀକ୍ଷିତ ଦିକ୍ଷୀତ, ବିଜୟ ଦିକ୍ଷୀତ,ଚଗଲା ଦିକ୍ଷୀତ ପ୍ରମୁଖ ମା ଙ୍କ ସମସ୍ତ ପୂଜା ନୀତି କରିଥିଲେ।ଠାକୁରାଣୀ ଙ୍କ କାଳେସୀ ବିନିସପୁର ଗ୍ରାମ ର ଅକ୍ଷୟ ଭୋଇ ଅପରାହ୍ନ ରେ ପ୍ରାଚୀ ନଦୀ ରୁ ଘଟ ରେ ପାଣି ତୋଳି ଏକ ବିରାଟ ଶୋଭାଯାତ୍ରା ରେ ଆସି ମା ଙ୍କ ଆଜ୍ଞାମାଳ ପାଇବାପରେ ମା ଙ୍କ ମନ୍ଦିର ସମ୍ମୁଖ ରେ ପୂର୍ବରୁ ପ୍ରସ୍ତୁତ ରଡ଼ ନିଆଁ ପୂର୍ଣ୍ଣ ଗର୍ତ୍ତ ରେ ଖାଲି ପାଦରେ ଝାମୁ ଚାଲିଥିଲେ। ଝାମୁ ଉତ୍ସବ ପରେ ମନ୍ଦିର ସମ୍ମୁଖ ରେ ଘଣ୍ଟପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।ମା ଙ୍କ ମନ୍ଦିର ଚତୁର୍ପାଶ୍ଵ ରେ ଏଥି ପାଇଁ ମେଳା ବସିଥିବାବେଳେ ନୂଆ ପାଟଣା ଗାଁ ଉତ୍ସବ ମୁଖର ହୋଇ ପଡ଼ିଥିଲା।