ମା ମଙ୍ଗଳାଙ୍କ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା
ନିମାପଡ଼ା, (ସନ୍ତୋଷ ଦାଶ):ସନ୍ତୋଷ ଦାଶ ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ରାଜ୍ଯର ଅଷ୍ଟଚଣ୍ଡୀ ଙ୍କ ମଧ୍ୟରେ ଗଣ୍ୟ ହୁଅନ୍ତି। ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ମା ମଙ୍ଗଳାଙ୍କର ରହିଛି ନିବିଡ ସଂପର୍କ। ମା ମଙ୍ଗଳା ପରମ ବୈଷ୍ଣବୀ ହୋଇଥିଲେ ମଧ୍ୟ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହ ଅନୁଷ୍ଠିତ ହୋଇଥାଏ। ମା ମଙ୍ଗଳା, ମା ଦୁର୍ଗା ଓ ମା କାଳୀ ବିଶ୍ଵଜନନୀ ଙ୍କ ର ଭିନ୍ନ ଭିନ୍ନ ରୂପ ବୋଲି ବିଭିନ୍ନ ପୁରାଣ ରେ ଉଲ୍ଲେଖ ରହିଥିବାରୁ ମା ମଙ୍ଗଳା ଙ୍କୁ ଶାରଦୀୟ ପାର୍ବଣ ପୂଜା ସମୟ ରେ ମା ଦୂର୍ଗା ବୋଲି ବିବେଚନା କରାଯାଇଥାଏ।ପ୍ରତିଦିନ ମନ୍ଦିର ରେ ମାତୃଭକ୍ତ ଙ୍କ ସମାଗମ ହୋଇଥାଏ। ଆଶ୍ୱିନ କୃଷ୍ଣ ସପ୍ତମୀ ତିଥିରେ ମା’ଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଥାଏ ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା। ମନ୍ଦିର ଗର୍ଭ ଗୃହ ରେ କଳସ ସ୍ଥାପନ ସାଙ୍ଗକୁ ଅଖଣ୍ଡ ଦୀପ ଜଳାଯାଇଥାଏ। ମୁଖଶାଳା ଠାରେ ମନ୍ଦିର ପୁରୋହିତ ଙ୍କ ଦ୍ଵାରା ପ୍ରତିଦିନ ସପ୍ତସତୀ ଚଣ୍ଡୀପାଠ କରାଯାଉ ଥିବାବେଳେ ପାରମ୍ପରିକ ପ୍ରଥାନୁସାରେ ପାର୍ବଣ ରୋଷାଇ ରେ ଆମିଷ ଭୋଗ ପ୍ରସ୍ତୁତ କରା ଯାଇଥାଏ।ନବ ଦିନାତ୍ମକ ପୂଜା ଆରମ୍ଭ ଦିନ ଠାରୁ ପ୍ରତିଦିନ ସଂଧ୍ୟା ରେ ମା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯାଇଥାଏ ବୋଲି କହିଛନ୍ତି ମା ଙ୍କ ପୂଜକ କମଳ ଲୋଚନ ଦିକ୍ଷୀତ । ନବ ପତ୍ରିକା ରେ ମା ଙ୍କ ନାଲି କଲି ବେଶ ଓ ପାଦପଦ୍ମ ଲାଗି,ଦ୍ୱିତୀୟା ତିଥିରେ କଳା କଲି ବେଶ ,ତୃତୀୟା ତିଥି ଦିନରେ ନାଲି କଲି ,ରାତିରେ କଳା କଲି ବେଶ , ଚତୁର୍ଥୀ ତିଥି ରେ କଳା କଲି ବେଶ ଓ ପାଦପଦ୍ମ ଲାଗି ହୋଇଥାଏ।ପଞ୍ଚମୀ ତିଥି ରେ ତୀର କମାଣ ବା ରଘୁନାଥ ବେଶ, ନାଲି ତିରଣ ଓ ଧନୁ ତୀର , ଭୁଜ ଲାଗି, ଷଷ୍ଠୀ ତିଥି ରେ ଶାଶ୍ଵତୀ ପୂଜା,କାତି ଖର୍ପର ବା କାତାୟନୀ ବେଶ, ଖଣ୍ଡା ଲାଗି,ସପ୍ତମୀ ତିଥି ରେ ପ୍ରସିଦ୍ଧ ସିଂହ ବାହିନୀ ବେଶ, ଧନୁ ତୀର, ସିଂହ ଲାଗି ହୋଇଥାଏ।ମହାଷ୍ଟମୀ ତିଥି ରେ ମହିଷା ମର୍ଦ୍ଧିନୀ ବେଶ,ସନ୍ଧି ପୂଜା,କୁଷ୍ମାଣ୍ଡ ବଳୀ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥାଏ ।ନବପତ୍ରିକା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ଙ୍କ ମନ୍ଦିର ରେ ଭ୍ରମଣ ନୀତି ଭାବେ ଏକ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ରତ୍ନଗିରିକୁ ବିଜେ କରାଯାଇଥାଏ।କିମ୍ବଦନ୍ତୀ ଅନୁସାରେ ମା ମଙ୍ଗଳା ମହିଷାସୁରକୁ ଠାବ କରିବାକୁ ରତ୍ନଗିରି ବିଜେ କରି ମହାଷ୍ଟମୀ ଦିନ ମହିଷାସୁରକୁ ବଧ କରିଥାନ୍ତି । ନବମୀ ତିଥି ରେ ମା’ଙ୍କ ମହାସ୍ନାନ, ଶାନ୍ତି ବେଶ ଅନୁଷ୍ଠିତ ହୋଇଥାଏ।ପୀଠେ ଦଶହରା , ବିଜୟା ଦଶମୀ ଦିନ ହରଦୂର୍ଗା ଭେଟ ଉତ୍ସବ ଅନୁଷ୍ଠିତ ହୋଇ ମା ମଙ୍ଗଳାଙ୍କ ଶାରଦୀୟ ପାର୍ବଣପୂଜା ର ପରିସମାପ୍ତି ଘଟେ। ଶାରଦୀୟ ପାର୍ବଣ ପୂଜା ମା ମଙ୍ଗଳା ଙ୍କ ମନ୍ଦିର ରେ ଏକ ପ୍ରସିଦ୍ଧ ପର୍ବ ଭାବେ ପାଳିତ ହୋଇ ଆସୁଛି କାହିଁ କେତେ କାଳରୁ।