ମା ରାମଚଣ୍ଡୀ ଙ୍କ ଶାରଦୀୟ ପାର୍ବଣ ପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ଯ ର ସବୁ ଶକ୍ତିପୀଠ ମାନଙ୍କ ରେ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଯାଇଛି ଶାରଦୀୟ ପାର୍ବଣ ପୂଜା। ରାଜ୍ଯ ର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ଙ୍କ ମଧ୍ୟରୁ ପୁରୀ ଜିଲ୍ଲା କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀ ଅନ୍ୟତମ। ଏହି ପୀଠରେ ଷୋଡଶ ଉପଚାର ପୂଜାବିଧିରେ ଅନୁଷ୍ଠିତ ହେଉଛି ଶାରଦୀୟ ପାର୍ବଣ ପୂଜା। ଏଠାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ। ମା ଙ୍କୁ ପ୍ରତିଦିନ ପୋଡା ମାଛ ବଳି ପ୍ରଦାନ କରାଯିବା ସହିତ ମନ୍ଦିର ରେ ଦୁଇବେଳା ଚଣ୍ଡୀ ପାଠ କରାଯାଉଛି । ପବିତ୍ର କୁଶଭଦ୍ରା ନଦୀର ମୁହାଣ ସନ୍ନିକଟରେ ପୂଜା ପାଇ ଆସୁଥିବା ମା ରାମଚଣ୍ଡୀଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ ଲୋକକଥା। ରାଜ୍ୟର ପ୍ରମୁଖ ପ୍ରାଚୀନ ଅଷ୍ଟଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତମ ମା ରାମଚଣ୍ଡୀ । ମାଦଳା ପାଞ୍ଜି ଓ ଅନ୍ୟାନ୍ୟ ପୌରାଣିକ ମତାନୁସାରେ କୋଣାର୍କ କ୍ଷେତ୍ରର ରକ୍ଷୟିତ୍ରୀ ରୂପେ ଏହି କ୍ଷେତ୍ରରେ ଅଷ୍ଟଚଣ୍ଡୀଙ୍କ ପ୍ରତିଷ୍ଠା କରାଯାଇଥିଲା । ଏମାନଙ୍କ ମଧ୍ୟରେ ମା ରାମଚଣ୍ଡୀ ଅନ୍ୟତମ । କୁହାଯାଏ କଳାପାହାଡ କୋଣାର୍କ ମନ୍ଦିର ଆକ୍ରମଣ ପରେ ମା ରାମଚଣ୍ଡୀ ଙ୍କ ମନ୍ଦିରରେ ପ୍ରବେଶ କଲା । ମା ଜଣେ ମାଲୁଣୀ ବେଶରେ ପାଣି ଆଣିବା ବାହାନାରେ କୁଶଭଦ୍ରା ନଦୀକୁ ଯାଇ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ସେବେ ଠାରୁ ପଣ୍ଡାମାନେ ସ୍ଵପ୍ନାଦେଶ ପାଇ କୁଶଭଦ୍ରା ନଦୀ କୂଳରେ ମାଙ୍କ ମନ୍ଦିର ପ୍ରତିଷ୍ଠା କରି ପୂଜା ଆରମ୍ଭ କରିଥିଲେ । ସେଥି ପାଇଁ ଉପାଖ୍ୟାନ ଅଛି “ଭଲା ରାମଚଣ୍ଡୀ ଗଲାରେ… କଳା ପାହାଡକୁ ଦୁଆରେ ବସାଇ ଭଲା ପାଣି ଆଣି ଗଲାରେ”। ସାରଳା ମହାଭାରତ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ରାମଚନ୍ଦ୍ର ଲଙ୍କାକୁ ସେତୁ ବାନ୍ଧିବା ପୂର୍ବରୁ ଏହି ପୀଠରେ ମାଙ୍କ ପୂଜାର୍ଚନା କରି ଚଣ୍ଡୀପାଠ କରିଥିଲେ । ତ୍ରେତୟା ଯୁଗରୁ ଏଠାରେ ମା ରାମଚଣ୍ଡୀ ଭାବେ ନାମିତ ହୋଇ ପୂଜିତ ହେଉଛନ୍ତି । ମା ଏଠାରେ ଦଶଭୁଜା ମହିଷମର୍ଦିନୀ ଦୂର୍ଗା ବେଶରେ ବନଦୂର୍ଗା ମନ୍ତ୍ରରେ ପୂଜିତ ହୁଅନ୍ତି । ଆଶ୍ୱିନ ମାସରେ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପାର୍ବଣ ରେ ହିଁ ମା ଙ୍କ ର ବିଶେଷ ପୂଜାନୀତି ଅନୁଷ୍ଠିତ ହୋଇଥାଏ । ମୂଳାଷ୍ଟମୀ ର ପ୍ରତ୍ୟୁଷରୁ ୧୦୮ ଗରା ଶୁଦ୍ଧ ଜଳ ରେ ମା ଙ୍କ କୁମ୍ଭାଭିଷେକ ନୀତି କରାଯିବା ପରେ ଗର୍ଭ ଗୃହ ରେ କୁମ୍ଭ ବସାଯାଇ ଅଖଣ୍ଡ ଦୀପ ଲଗାଇ ଷୋଡଶ ଉପଚାରରେ ପୂଜାରମ୍ଭ ହୋଇଥାଏ । ଦୈନନ୍ଦିନ ସ୍ନାନ ,ସକାଳ ଆଳତି,ବେଶ, ସୂର୍ଯ୍ୟ ପୂଜା ,ଦ୍ଵାରପାଳ ପୂଜା ,ବଲ୍ଲଭ,ଖଇ ଭୋଗ,ଖେଚୁଡି ଭୋଗ ପରେ ସାହାଣମେଲାକରାଯାଇଥାଏ। ଦୁଇ ବେଳା ଚଣ୍ଡୀ ପାଠ ,ଦ୍ଵିପ୍ରହର ଭୋଗ,ପହଡ ପରେ ପୁନଃ ସାହାଣ ମେଲା ଓ ସନ୍ଧ୍ୟା ଆଳତି ,ପୁନଃ ଚଣ୍ଡୀ ପାଠ ,ରାତ୍ରି ଭୋଗ , ବଡ ସିଂହାର ବେଶ ପରେ ମନ୍ଦିର ର ପହଡ ପଡିଥାଏ । ପ୍ରତିଦିନ କୁଶଭଦ୍ରା ନଦୀ ରୁ ଧରାଯାଇଥିବା କାତିଲଗା ମାଛ କୁ ପୋଡ଼ା ଯିବା ପରେ ମା ଙ୍କ ନିକଟରେ ବଳି ଦିଆଯାଏ। ଯାହା ଏକ ଅନନ୍ୟ ପରମ୍ପରା ଭାବେ ପାଳିତ ହୋଇଆସୁଛି। ବିଶ୍ଵାସ ରହିଛି ଯେ, ପୋଡ଼ା ମାଛ ବଳି ଦେଲେ ମା ରାମଚଣ୍ଡି ସନ୍ତୁଷ୍ଟ ହୋଇଥାନ୍ତି ଓ ଜଗତ ର, ଭକ୍ତ ର, ପୂଜକ ର କଲ୍ୟାଣ କରିଥାନ୍ତି। ଆଉ ଏକ କଥା ଏହି ଅଞ୍ଚଳ ରେ ଦେଖିବାକୁ ମିଳେ। ଯାହା ମା ଙ୍କ ମାହାତ୍ମ୍ୟ କୁ ପ୍ରଚାର କରିଥାଏ। କୁଶଭଦ୍ରା ନଦୀ ରୁ ମତ୍ସ୍ୟଜୀବୀ ମାନେ ଜାଲ ରେ ଯେଉଁ ମାଛ ଧରିଥାନ୍ତି ଘରକୁ କିମ୍ବା ବଜାର କୁ ନେବା ପୂର୍ବରୁ ମା ଙ୍କ ନାମରେ ସେହି ମାଛ ର ବେକ କୁ ମୋଡ଼ି ବଳି ଦେଇଥାନ୍ତି। ଏଣୁ କୋଣାର୍କ, ଚନ୍ଦ୍ରଭାଗା, ରାମଚଣ୍ଡି ଅଞ୍ଚଳ ର ଲୋକମାନେ ବେକମୋଡା ହୋଇଥିବା ମାଛ କୁ କୁଶଭଦ୍ରା ନଦୀ ର ମାଛ ବୋଲି ଚିହ୍ନଟ କରି କିଣି ଥାନ୍ତି। ଏହି ନଦୀ ମାଛ ର ସ୍ଵାଦ କୁଆଡେ ନିଆରା ଓ ବେଶ ସ୍ଵାଦମୟ । ଚଳିତ ବର୍ଷ ମୂଳାଷ୍ଟମୀ ଠାରୁ ମା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି । ଆନନ୍ଦ ଉଲ୍ଲାସ ମଧ୍ୟରେ ଭକ୍ତମାନେ ମାଙ୍କ ନିକଟରେ ପୂଜାର୍ଚନା କରିବା ସହ ମାଙ୍କ ଦର୍ଶନ ଲାଭ କରୁଛନ୍ତି । ଉତ୍ସବ ମୁଖର ହୋଇଉଠିଛି କୋଣାର୍କ – ପୁରୀ ବେଳାମାର୍ଗ ରେ ଥିବା ମା ରାମଚଣ୍ଡୀ ଙ୍କ ପୀଠ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ