ମା ହସୁଥାଆ
ମା” ସିଂହବାହିନୀ
ଭବାନୀ ଶିବାନୀ
ଖଣ୍ଡାଖର୍ପର ଧାରିଣୀ,
ବିଘ୍ନବିନାଶିନୀ
ଅଭୟଦାୟିନୀ
ଶାନ୍ତି ସ୍ଥାପନକାରିଣୀ ।
ବରଦା ଶାରଦା
ମା” ଅଭୟମୁଦ୍ରା
ମହାମାୟୀ ଯୋଗନିଦ୍ରା,
ତୋ କୃପା ବଳରେ
ମୂରୁଖ ପଣ୍ଡିତ
ବରଦାନ କରୁ ସଦା ।
ଅମୃତ ଦୃଷ୍ଟିରେ
ଚାହିଁଥାଆ ମାଆ
ଅମୃତ ସନ୍ତାନେ ତୋର,
ଦୁଷ୍ଟଙ୍କୁ ବିନାଶି
ସନ୍ଥଙ୍କୁ ଆଶ୍ବାସି
ଧର୍ମ ସଂସ୍ଥାପନ କର ।
ଅଶାନ୍ତ ଶରୀର
ପ୍ରକୃତି କବଳେ
ଛଟ ପଟ ହୁଏ ନିତି,
ରାଗ କ୍ରୋଧ ହିଂସା
ହରିନିଏ ମାଆ
ସୁଖେ ବିତୁ ଦିନରାତି ।
ପଣତ କାନିରେ
ଘୋଡେଇ ଦିଏ ମା’
ଆନ କୋପ ହେଉ ଦୂର,
ତୋ ସନ୍ତାନ ସୁଖେ
ସୁଖି ହୋଇ ମାଆ
ହସୁଥାଆ ନିରନ୍ତର ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ


