ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବାଲେଶ୍ୱର ଶାଖା ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ମଣିଶଙ୍କର ମହାପାତ୍ର ଓ ସମ୍ପାଦକ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସଦର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର ୨୦୦୧ ମସିହା ଠାରୁ ପର୍ଯ୍ୟାୟ କ୍ରମେ ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ଓ ଶିକ୍ଷା ସହାୟକଙ୍କୁ ମାସିକ ୧୫୦୦ ଟଙ୍କା ଦରମାରେ ନିଯୁକ୍ତି ଦେଇଥିଲେ । ବହୁ ଦାବି ଓ ଆନ୍ଦୋଳନ ପରେ ସେମାନଙ୍କୁ ଏବେ ସରକାରୀ ଶିକ୍ଷକର ମାନ୍ୟତା ମିଳିଛି । ଅନ୍ୟପକ୍ଷରେ ଅନ୍ୟାନ୍ୟ ବିଭାଗର ସମସ୍ତ ସରକାରୀ କର୍ମଚାରୀଙ୍କ ଠିକା ୬ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି ଇନକ୍ରିମେଣ୍ଟ ପ୍ରଦାନ ସହ ଓଡ଼ିଶାରୁ ଠିକା ନିଯୁକ୍ତି ଉଚ୍ଛେଦ କରାଗଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାତ୍ର ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ଠିକା ନିଯୁକ୍ତି ଉଚ୍ଛେଦ କରାନଯିବା କିମ୍ବା ଠିକା ସମୟକୁ ମୂଳ ଚାକିରି କାଳରେ ଗଣନା କରା ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ଶିକ୍ଷକ ନେତାମାନେ କହିଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା କ୍ରମଶଃ ଅସହ୍ୟ ହୋଇଥିବା ସେମାନେ ଆରୋପ କରିଛନ୍ତି । ୨୦୦୧ ମସିହା ଠାରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠିକା ନିଯୁକ୍ତି ୬ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରି ସହିତ ଗଣନା କରିବା ସହ ଜାତୀୟ ହାରରେ ଇନକ୍ରିମେଣ୍ଟ ପ୍ରଦାନ କରିବା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଓ ଏନପିଏସ ବ୍ୟବସ୍ଥା ଉଚ୍ଛେଦ ସହ ପୁରୁଣା ପେନସନ ଯୋଜନା ପୁନଃ ଳାଗୁ ପାଇଁ ମିଳିତ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ସରକାର ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା୨୭ ତାରିଖରେ ଓଡ଼ିଶା ବିଧାନସଭା ଘେରାଉ କରାଯିବା ନେଇ ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଚନ୍ତି ।