ମିହିର ଦାସ ଙ୍କ ବିୟୋଗ ରେ ପାରଳାଖେମୁଣ୍ଡି ରେ ଶୋକ ସଭା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଚାଲିଗଲେ ମିହିର ଦାସ। ଓଡ଼ିଆ ସିନେମାର ଜଣେ ଭର୍ସାଟାଇଲ ଅଭିନେତା ଭାବେ ସେ ସୃଷ୍ଟି କରିଥିଲେ ନିଜର ଏକ ସ୍ଵତନ୍ତ୍ର ପରିଚୟ । ନିଜର ହସ, କାନ୍ଦ, କମେଡି ହେଉ ବା ଖଳନାୟକ ପ୍ରତି ଚରିତ୍ରକୁ ନିଖୁଣ ଭାବେ ଫୁଟାଇ ନିଜ ଅଭିନୟର ଏକ ଅଭୁଲନୀୟ ଛାପ ଛାଡ଼ିଯାଇଛନ୍ତି ସେ । କେବଳ ଓଡ଼ିଆ ସିନେମା ନୁହେଁ, ଧାରାବାହିକୀରେ ମଧ୍ୟ ପ୍ରଦର୍ଶନ କରିଥିଲେ ମିହିର । ବଳିଷ୍ଠ ଅଭିନୟ, ଗମ୍ଭୀର ସ୍ୱର, ଚରିତ୍ର ନିଖୁଣ ଭାବେ ପରଦାରେ ଉତାରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତିନିଦଶନ୍ଧି ଧରି ଓଡ଼ିଆ ସିନେମାରେ ଅଭିନୟ ତାଙ୍କୁ ସମ୍ମାନ ଓ ପୁରସ୍କାରର ଅଧିକାରୀ କରାଇପାରିଛି । ।୧୯୫୯ ମସିହା ଫେବୃଆରି ୧୭ ତାରିଖରେ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ ମିହିର । ଆଜି ଏକ ଘରୋଇ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ କିଡନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ।କଳାତ୍ମକ ସିନେମା ସ୍କୁଲ ମାଷ୍ଟରରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ପରେ ୧୯୭୯ରେ ମଥୁରା ବିଜୟ ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ମେନଷ୍ଟ୍ରିମ ସିନେମା ଜୀବନ । ପରେ ରାମାୟଣ, ଏଇ ଆମ ସଂସାର, କନ୍ୟାଦାନ, ପରଦେଶୀ ଚଢେଇ, କି ହେବ ଶୁଆ ପୋଷିଲେ, ଭାଗ୍ୟ ହାତେ ଡୋରୀ ଆଜି ସିନେମାର ଅଭିନୟ କରି ଓଡିଆ ଚଳଚିତ୍ର ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ତେବେ ୧୯୯୬ରେ ପୁଅ ମୋର ଭୋଳାଶଙ୍କର ସିନେମା ତାଙ୍କ ଅଭିନୟ ଜଗତକୁ ନୂଆ ମୋ଼ଡ ଦେଇଥିଲା । ହର ପଟ୍ଟନାୟକ ନିର୍ଦ୍ଦେଶିତ ସିନେମାର ମୁଖ୍ୟ ଚରିତ୍ରରେ ନିଜର ବଳିଷ୍ଠ ଅଭିନୟ ପ୍ରଦର୍ଶନ କରି ଓଡ଼ିଶାର କୋଣ ଅନୁକୋଣରୁ ସାଉଁଟି ଥିଲେ ପ୍ରଶଂସା । ପରେ ଗୋଟିଏ ପରେ ଗୋଟିଏ ସିନେମାରେ ଅଭିନୟ ତାଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିଥିଲା । ଓଡ଼ିଆ ସିନେମାରେ ଅଭିନୟ ପାଇଁ ବହୁ ପୁରସ୍କାର ଲାଭ କରିଛନ୍ତି ମିହିର । ଲକ୍ଷ୍ମୀପ୍ରତିମା ସିନେମାରେ ଅଭିନୟ ପାଇଁ ୧୯୯୮ରେ ଶ୍ରେଷ୍ଠ ସହ ଅଭିନେତା, ବିଧାତା ପାଇଁ ୧୯୯୯ରେ ଶ୍ରେଷ୍ଠ ଅଭିନେତା, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ପାଇଁ ୨୦୦୨ରେ ଶ୍ରେଷ୍ଠ ସହ ଅଭିନେତା, ଫେରିଆ ମୋ ସୁନା ଉଭଣୀ ପାଇଁ ୨୦୦୫ରେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ସେହିପରି ମୁଁ ତତେ ଲଭ୍ କରୁଛି ସିନେମା ପାଇଁ ୨୦୦୭ରେ ଶ୍ରେଷ୍ଠ କମେଡିଆନ ଓ ପ୍ରେମ ଅଢେଇ ଅକ୍ଷର ପାଇଁ ୨୦୧୦ରେ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କାର ଲାଭ କରିଥିଲେ । ମିହିରଙ୍କ ପରିବାର ଥିଲା ଏକ କଳାକାର ପରିବାର । ଖ୍ୟାତନାମା ଗାୟକ ଚିତ୍ତ ଜେନାଙ୍କ ଝିଅ ଗାୟିକା ସଙ୍ଗୀତା ଜେନାଙ୍କୁ ସେ ବିବାହ କରିଥିଲେ । କିଛି ବର୍ଷ ତଳେ ସଙ୍ଗୀତାଙ୍କ ବିୟୋଗ ପର ଠାରୁ ମିହିରଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିଲା । ତାଙ୍କ ପୁଅ ଅମ୍ଲାନ ମଧ୍ୟ ଓଡ଼ିଆ ସିନେମାର ଜଣେ ଅଭିନେତା ଭାବେ ସକ୍ରିୟ ଅଛନ୍ତି । ଅମ୍ଳାନ ପାରଳାଖେମୁଣ୍ଡି ର ରାଜୁଗୁରୁ ସାହି ଝିଅକୁ ବାହା ହୋଇଥିବା ରୁ ମିହିର ଦାସ ଙ୍କ ସମର୍କ ମଧ୍ୟ ପାରଳାଖେମୁଣ୍ଡି ସହିତ ଜଡିତ ,ସେ ବହୁ ବାର ପାରଳାଖେମୁଣ୍ଡି ଆସିଛନ୍ତି, ପାରଳାଖେମୁଣ୍ଡି ସହିତ ତାଙ୍କ ସମ୍ପର୍କ ଜଡିତ । ଆଜି ପାରଳାଖେମୁଣ୍ଡି ସ୍ଥିତ ରାଜା ଙ୍କ ମହଲ ଠାରେ ତାଙ୍କ ଉଦେଶ୍ୟ ରେ କେଣ୍ଡେଲ ଶୋଭା ଯାତ୍ରା ଆୟୋଜିତ ହୋଇଥିଲା । ତାଙ୍କ ଆତ୍ମା ର ସତଗତି ନିମନ୍ତେ ଗଜପତି ର ବହୁ କଳାକାର ଶୋକ ସଭା ରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ