ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ମହଙ୍ଗା ପଡ଼ିଲା ସିଦ୍ଧୁଙ୍କ ହାତରୁ ଗଲା ଗୁରୁତ୍ୱପୂର୍ଣ୍ଣ ବିଭାଗ
ନୂଆଦିଲ୍ଲୀ(ଏଜେନ୍ସି): ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଗାୟବ ଥିବା କଂଗ୍ରେସ ନେତା ତଥା ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି । ତାଙ୍କୁ ନଗର ଉନ୍ନୟନ, ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗରୁ ଅବ୍ୟାହତି ଦିଆଯାଇ ଏବେ ବିଜୁଳି ଏବଂ ନବୀକରଣ ଯୋଗ୍ୟ ବିଭାଗ ଦିଆଯାଇଛି । ସିଦ୍ଧୁଙ୍କ ସମେତ ଅନ୍ୟ କେତେ ଜଣ ମନ୍ତ୍ରୀଙ୍କର ପଦବୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଫଳରେ ଦଣ୍ଡସ୍ୱରୂପ ମୁଖ୍ୟମନ୍ତ୍ରୀ, ସିଦ୍ଧୁଙ୍କୁ ଏପ୍ରକାର ଦଣ୍ଡିତ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
୨ଠ୧୯ ଲୋକସଭା ନିର୍ବାଚନରେ ଦଳୀୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କଂଗ୍ରେସ ଏବେ ମାନସମନ୍ଥନ କରିବାରେ ଲାଗିଛି । ତେବେ ଏମିତି ଏକ ସମୟରେ ପଞ୍ଜାବରେ ସରକାର ଗଢ଼ିଥିବା କଂଗ୍ରେସରେ ଏବେ ଆଭ୍ୟନ୍ତରୀଣ କନ୍ଦଳ ଦେଖିବାକୁ ମିଳିଛି । ବିଶେଷକରି ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ଥିବା ମତଭେଦ ଏବେ ଉକ୍ରଟ ରୂପ ଧାରଣ କରି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ମୋଟାମୋଟି ଭାବେ କହିଲେ ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ସିଦ୍ଧୁ ବିଭିନ୍ନ ସମାଲୋଚନାମୂଳକ ମନ୍ତବ୍ୟ ଦେଇଥିଲେ । ସେହିପରି ଗୁରୁବାର ପଞ୍ଜାବ ସରକାର କ୍ୟାବିନେଟ୍ ମିଟିଂ ଡାକିଥିଲେ ମଧ୍ୟ ସିଦ୍ଧୁ ସେହି ବୈଠକରେ ଯୋଗନଦେଇ ଓଲଟା ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି । ସିଦ୍ଧୁ କହିଛନ୍ତି, ପଞ୍ଜାବରେ ୫ଟି ଆସନରେ କଂଗ୍ରେସ ହାରିବା ପାଇଁ ପଞ୍ଜାବ କଂଗ୍ରେସର ସମସ୍ତ ନେତା ସାମୂହିକ ଭାବରେ ଦାୟୀ । ହେଲେ ଅମରିନ୍ଦର କେବଳ ଜାଣିଶୁଣି ତାଙ୍କ (ସିଦ୍ଧୁ) ଉପରକୁ ହିଁ ଅଙ୍ଗୁଳି ଉଠାଉଛନ୍ତି । ଲୋକସଭା ନିର୍ବାଚନରେ ସେ ରାଜ୍ୟରେ ପ୍ରଚାର କରିନଥିବା ବେଳେ ଦଳ ପରାଜିତ ହେବା ପଛରେ ତାଙ୍କର ଭୁଲ କେଉଁଠି ରହିଲା ବୋଲି ଫେସବୁକ୍ ଲାଇଭରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ନଗର ଉନ୍ନୟନ ବିଭାଗ ଦ୍ୱାରା ଭଲ ଭାବରେ କାମ ହୋଇନାହିଁ ବୋଲି କଂଗ୍ରେସ ହାରିଲା ବୋଲି ଅମରିନ୍ଦର ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଠିକ୍ ନୁହେଁ । ଦଳରେ ଥିବା କିଛି ନେତା ଏବେ ତାଙ୍କୁ ବାହାର କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ସିଦ୍ଧୁ କହିଛନ୍ତି । ଏହି ବିବାଦକୁ ନେଇ କିନ୍ତୁ ଏବେ ସିଦ୍ଧୁ ପଞ୍ଜାବ କଂଗ୍ରେସରେ ଏକ ଘରିକିଆ ହୋଇଯାଇଥିବା ଜଣାପଡ଼ିଛି ।
ପ୍ରକାଶ ଯେ, ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଶପଥଗ୍ରହଣ ଉତ୍ସବରେ ସିଦ୍ଧୁଙ୍କ ଯୋଗଦାନ ଘଟଣାକୁ କେନ୍ଦ୍ର କରି ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ମଧ୍ୟରେ ମତଭେଦ ଓ ବାକ୍ଯୁଦ୍ଧ ହୋଇଥିଲା । ତାପରେ ସର୍ଜିକାଲ ଷ୍ଟ୍ରାଇକ୍ ବେଳେ ଦେଶର ସେନାଙ୍କ ଉପରେ ସିଦ୍ଧୁ ପ୍ରଶ୍ନ ଉଠାଇବାକୁ ନେଇ ମତଭେଦ ଅଧିକ ଶାଣିତ ହୋଇଥିଲା । ଏହାପରେ ଲୋକସଭା ନିର୍ବାଚନ ବେଳେ ସିଦ୍ଧୁଙ୍କ ପତ୍ନୀ ତଥା ପୂର୍ବତନ ବିଜେପି ବିଧାୟକଙ୍କୁ କଂଗ୍ରେସ ଦଳ ଅମୃତସର ଆସନ ପାଇଁ ଟିକେଟ ନଦେବାକୁ ନେଇ ସିଦ୍ଧୁ ଦମ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଇଥିଲେ । ଏହାପରଠାରୁ ବିବାଦ ତେଜିବାରେ ଲାଗିଛି । ଦୁଇ ନେତାଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ବିଭାଗ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏ କ୍ଷେତ୍ରରେ ଚୂଡାନ୍ତ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହାତରେ ରହିଛି ।