ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସଜବାଜ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାି ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଲୋକମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଷ୍ଟାଡ଼ିୟମ ଠାରେ ସନ୍ଧ୍ୟା ୬.୩୦ ସମୟରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ସଭାରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କ ନିମନ୍ତେ ଦଳୀୟ ପ୍ରଚାର କରିବେ । ପରେ ଷ୍ଟାଡ଼ିୟମ ଠାରୁ ଏକ ସ୍ୱତନ୍ତ୍ର ବସ୍ ରେ ଅପର ବସଷ୍ଟାଣ୍ଡ୍ ଛକ ଦେଇ ରିକ୍କାପଲ୍ଲୀ ପର୍ଯ୍ୟନ୍ତ , ରିକାପଲ୍ଲୀ ଛକ ଠାରୁ ଲୋଏର ବସଷ୍ଟାଣ୍ଡ୍ ଦେଇ କଲେଜ ଛକ ପର୍ଯ୍ୟନ୍ତ ଛତ୍ରପୁର ଏନଏସି ପରିକ୍ରମା କରିବେ । ସେହିପରି ଗଞ୍ଜାମ ଏନଏସି ଓ ରମ୍ଭା ଏନଏସି ରେ ବସ୍ ଯୋଗେ ବୁଲି ଦଳୀୟ ପ୍ରାର୍ଥୀମାନଙ୍କୁ ବିଜୟ କରିବା ପାଇଁ ପ୍ରଚାର କରିବେ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କଡ଼ାକଡ଼ି କରିବା ନିମନ୍ତେ ଗଞ୍ଜାମ ପୁଲିସ ପକ୍ଷରୁ ଅତିରିକ୍ତ ଏସପି ସୀତାରାମ ଶତପଥୀ, ଛତ୍ରପୁର ଏସଡ଼ିପିଓ ଉକ୍ରଳ କେଶରୀ ଦାଶ, ଡ଼ିଏସପି ଡ଼ିଆଇବି ପି. କେ ଦଳେଇ, ଛତ୍ରପୁର ଥାନା ଅଧିକାରୀ ପ୍ରିୟଶ ରଞ୍ଜନ ଛୋଟରାୟ, ଆସିଷ୍ଟାଂଟ୍ କମାଣ୍ଡାଂଟ୍ ଜିତେନ୍ଦ୍ର କୁମାର ଦେହୁରି ପ୍ରମୁଖ ଛତ୍ରପୁର ଷ୍ଟାଡ଼ିୟମ ପରିସରରେ ସଭା ସ୍ଥଳୀ ପରିଦର୍ଶନ ସହ ଏକ ବସ୍ ଯୋଗେ ଛତ୍ରପୁର ଟାଉନରେ ମକଡ଼୍ରିଲ କରିଥିଲେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗଞ୍ଜାମ ପୁଲିସ ପକ୍ଷରୁ ସୁରକ୍ଷା ନିମନ୍ତେ ବଛା ବଛା ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବାର ସୂଚନା ମିଳିଛି ।


