ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ର, ବିନା ଡ଼ାକ୍ତରରେ ଚାଲିଛି ଡ଼ାକ୍ତରଖାନା

ହାଟଡିହି, (ବିକାଶ ବିଶ୍ୱାଳ):ମାସେ ନୁହଁ କି ଦୁଇ ମାସ ନୁହଁ, ଦୀର୍ଘ ବର୍ଷ ହେଲା ବିନା ଡାକ୍ତର ରେ ଚାଲିଛି ଡ଼ାକ୍ତରଖାନା। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନିକଟରେ ଅବସ୍ଥିତ ହାଟଡିହି ଏରିଆ ହସ୍ପିଟାଲ । ଏହି ଡ଼ାକ୍ତରଖାନା ଉପରେ ହାଟଡିହି, ଶାସଙ୍ଗ, ବଞ୍ଚୋ, ଅକରୁଆ , ପନ୍ଦାଡୋ, ମରେଇଗାଁ, ବଡରମ୍ପାସ, ସୁଲଣ ଆଦି ପଞ୍ଚାୟତର ୪୫ରୁ ଉର୍ଦ୍ଧ୍ବ ଗ୍ରାମର ୩୦ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରିଥାନ୍ତି। ଦିନ ଥିଲା ୨୦୧୨ ମସିହାରେ ଏହି ଡ଼ାକ୍ତରଖାନା ଜଣେ ନିୟମିତ ଡାକ୍ତର ରହୁଥିବାରୁ ପ୍ରତିଦିନ ଦୁଇ ଶହରୁ ଉର୍ଦ୍ଧ୍ବ ରୋଗୀ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସୁଥିଲେ। ପଡୋଶୀ ଭଦ୍ରକ ଜିଲ୍ଲାର ଶହ ଶହ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭିଡ ଜମାଉଥିଲେ। କିନ୍ତୁ ତା ପରଠାରୁ ଏହି ଡାକ୍ତରଖାନାଟି ଅଧିକାଂଶ ଦିନ ବିନା ଡ଼ାକ୍ତରରେ ଚାଲିଛି। ଏହି ଡ଼ାକ୍ତରଖାନାଟି ଆନନ୍ଦପୁର ଭଦ୍ରକ ରାଜ୍ୟ ରାଜପଥ କଡ଼ରେ ଅବସ୍ଥିତ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଜନିତ ରୋଗୀଙ୍କ ସଂଖ୍ୟା ଅଧିକ ଥାଏ। କିନ୍ତୁ ଡାକ୍ତର କି ନର୍ସ ଅଭାବରୁ ରୋଗୀମାନେ ବାଧ୍ୟ ହୋଇ ଆନନ୍ଦପୁର କିମ୍ବା ଭଦ୍ରକ ଡାକ୍ତରଖାନାକୁ ଯାଉଛନ୍ତି। ହାଟଡିହି ଏରିଆ ହସ୍ପିଟାଲଟିରେ ୨୪ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇବାର ବ୍ୟବସ୍ଥା ରହିଛି। ଏଠାରେ ଜଣେ ଡାକ୍ତର, ୪ଜଣ ଷ୍ଟାଫ ନର୍ସ ଓ ୪ଜଣ ଆଟେଣ୍ଡାଣ୍ଟ ରହିବାକୁ ଥିବା ବେଳେ ଏଠାରେ ଡାକ୍ତର ପଦବି ଖାଲି ପଡ଼ିଥିବା ବେଳେ ଦୁଇଜଣ ଷ୍ଟାଫ ନର୍ସ ପଦବୀ ଖାଲି ପଡ଼ିଛି। ଫାର୍ମାସିଷ୍ଟ ଜଣକ ଗୋଟିଏ ଓଳି ଆସୁଥିବା ବେଳେ ଆଉ ଗୋଟିଏ ଓଳି ଆସୁ ନାହାନ୍ତି। ବିଶେଷ କରି ଡାକ୍ତରଖାନାକୁ କେଉଁ କର୍ମଚାରୀ ଆସୁଛନ୍ତି କି ନାହିଁ ତାହା ବୁଝିବାକୁ କେହି ନଥିବାରୁ କର୍ମଚାରୀ ମାନେ ନିଜ ମନ ଇଚ୍ଛା ଯା ଆସ କରୁଛନ୍ତି। ଫଳରେ କେତେ ଆଶା ଭରସା ନେଇ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଦୌଡି ଆସୁଥିବା ରୋଗୀମାନେ ଚିକିତ୍ସା ନ ପାଇ ନିରାଶ ହୋଇ ଫେରୁଛନ୍ତି। ଏପରିକି ଏହାକୁ ନେଇ ବହୁ ସମୟରେ ରୋଗୀଙ୍କ ସମ୍ପର୍କୀୟ ମାନେ ଏଥିପାଇଁ ହୋ ହାଲ୍ଲା କରୁଛନ୍ତି।ହାଟଡିହି ବ୍ଲକରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବାବେଳେ ଦୁଇଟି ଏରିଆ ଡାକ୍ତରଖାନା ଓ ୫ଟି ପ୍ରାଥମିକ ଡାକ୍ତରଖାନା ଅଛି। ଅଧିକାଂଶ ଡାକ୍ତରଖାନରେ ଡାକ୍ତର ନଥିବା ବେଳେ ଗତ ନିର୍ବାଚନ ସମୟରେ ସମସ୍ତ ଡାକ୍ତରଖାନରେ ଡାକ୍ତର ନିଯୁକ୍ତି କରା ଯାଇଥିଲା। କିନ୍ତୁ ହାଟଡିହି ଏରିଆ ଡାକ୍ତରଖାନା ରେ ନିଯୁକ୍ତ ଡାକ୍ତର ଅସୁସ୍ଥ ଯୋଗୁଁ ଛୁଟିରେ ଯାଇଛନ୍ତି ଯେ ଦୁଇମାସ ହେଲା ଡାକ୍ତର ବିହୀନ ହୋଇପଡିଛି। ଏ ସମ୍ପର୍କରେ ଶାଳଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତିଯେ ହାଟଡିହି ଡାକ୍ତରଖାନାର ଡାକ୍ତର ଛୁଟିରେ ରହିବାରୁ ଡେପୁଟେଶନରେ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ଥିଲା। ମାତ୍ର ସେମାନେ କେହି ସେଠାକୁ ଗଲେନି। ଛୁଟିରେ ଥିବା ଡାକ୍ତର ଦୁଇ ଦିନ ହେଲା କାର୍ଯ୍ୟରେ ଯୋଗ ଦେଲେଣି ବୋଲି କହିଥିଲେ ବି ଏଠାକୁ ଡାକ୍ତର ଆସି ନଥିବା କର୍ମଚାରୀ ମାନେ କହିଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ୨୪ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇବାର ବ୍ୟବସ୍ଥା ଥିବା ହାଟଡିହି ଓ ହଡଗଡ ଡାକ୍ତଖାନାରେ ମାତ୍ର ଜଣେ ଲେଖାଏଁ ଡାକ୍ତର କିପରି ସେବା ଯୋଗାଇବେ। ତେଣୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ଗୁରୁତର ସହିତ ନେଇ ଅଧିକ ଡାକ୍ତର ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ