ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭିନ୍ନକ୍ଷମ ଦୁବରାଜଙ୍କୁ ସହାୟତା ପ୍ରଦାନ
ଚମ୍ପୁଆ,(ଯୁଗାବ୍ଦ ନ୍ୟୁଜ୍): ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭିନ୍ନକ୍ଷମ ଦୁବରାଜ ମୁଣ୍ଡାଙ୍କୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଆଜି ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁବରାଜଙ୍କୁ ଉପରୋକ୍ତ ସହାୟତା ରାଶି ପ୍ରଦାନ କରାଯାଇଛି । ଉପଖଣ୍ଡ ଚିକିିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି ଦୁବରାଜଙ୍କ ଆରୋଗ୍ୟ ନିମନ୍ତେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚମ୍ପୁଆ ଏନ୍ଏସି ଅର୍ନ୍ତଗତ ୧୩ନଂ ୱାର୍ଡର ଚନ୍ଦ୍ରଶେଖରପୁର ନୂଆଗାଁର ବାସିନ୍ଦା ଦୁବରାଜ ଦୀର୍ଘ ଦିନ ଧରି ଫାଇଲେରିଆ ରୋଗରେ ପିଡ଼ୀତ ହୋଇ ଭିନ୍ନକ୍ଷମ ପାଲଟି ଯାଇଥିଲେ । ବିଭିନ୍ନ ଗଣମାଧ୍ୟମରୁ ଏ ସଂକ୍ରାନ୍ତରେ ଅବଗତ ହେବା ପରେ ଉପଜିଲ୍ଲାପାଳ ଶ୍ରୀ ପ୍ରୀତିମୟ ଗତ ୨୧ ତାରିଖରେ ଦୁବରାଜଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲେ । ଦୁବରାଜଙ୍କ ପାରିବାରିକ ସ୍ଥିତିକୁ ହୃଦୟଙ୍ଗମ କରି ଉପଜିଲ୍ଲାପାଳ ପ୍ରୀତିମୟ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତାଙ୍କୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହାବାଦ୍ ଯଦି କୌଣସି ସହୃଦୟ ବ୍ୟକ୍ତି ଦୁବରାଜଙ୍କୁ ସହାୟତା କରିବାକୁ ଚାହାନ୍ତି ତେବେ ୬୩୭୨୩ ୫୧୫୦୧ ମୋବାଇଲ୍ ନମ୍ବର ସହ ଯୋଗାଯୋଗ ସାହାଯ୍ୟ କରିପାରିବେ ।