ପାଚିକାକୁ ପୁନଃ ନିଯୁକ୍ତି ନକରିବାରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ବହିସ୍କୃତ ପାଚିକାକୁ ପୁନଃ ନିଯୁକ୍ତି ନକରିବାରୁ ପ୍ରଧାନ ଶିକ୍ଷଙ୍କୁ ନିଲମ୍ବିତ କରାଯାଇଛି । ୬ମାସ ହେଲା ବହିସ୍କୃତ ହୋଇଥିବା ପାଚିକାକୁ ପୁନଃ ନିଯୁକ୍ତି କରିବାକୁ ବାଧ୍ୟ କରିବାପରେ ସଂପୃକ୍ତ ପାଚିକାକୁ ବିଦ୍ୟାଳୟ କମିଟି ପୁନଃ ନିଯୁକ୍ତି ନଦେବାରୁ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠିନଂ ୨୭୬ ତା୪/୨/୨୦୨୦ରେ ଦଲକି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଏଥିରେ ଉଚ୍ଚ ଅଧିକାରୀଙ୍କୁ ନଜଣାଇ ପାଚିକାକୁ ବାହାର କରିବା ଓ ମନଇଛା ସ୍କୁଲ କମିଟିକୁ ସଭ୍ୟ ନିର୍ବାଚିତ କରିବା ଆଦି କାରଣ ଉଲେଖ କରାଯାଇଛି । କିନ୍ତୁ ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ ଏହି ନିଲମ୍ବିତକୁ ସମ୍ପୁର୍ଣ୍ଣ ରାଜନୈତିକ ଅଭିସନ୍ଧି ରଖି କରାଯାଇଛି ବୋଲି କହିଛନ୍ତି । ତାଙ୍କ କହିବା ଅନୁଯାଇ ସେ ଯଦି କିଛି ଭୁଲ କରିଛନ୍ତି ତେବେ ତାଙ୍କ ପାଖକୁ କୌଣସି କାରଣ ଦର୍ଶାଅ ନୋଟିସ ନଦେଇ ତାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଏସ.ଏମ.ସି କମିଟି ଗଠନ ଅଭିଭାବକ ଅଭିଭାବିକା ମାନେ ହିଁ କରନ୍ତି । ସେହିପରି ପାଚିକା ନିଯୁକ୍ତି ଓ ବହିସ୍କୃତ କରିବା କ୍ଷମତା କେବଳ ସ୍କୁଲ ଏସଏମସି କମିଟିର ହିଁ ଅଛି । ତେଣୁ ଏଥିରେ ତାଙ୍କର କୌଣସି ଭୁମିକା ନଥିବାବେଳେ ୬ମାସ ହେଲା ସରକାରୀ ସ୍ତରରେ ମୋ ଉପରେ ଚାପ ପକାଯାଉଥିଲା ବହିସ୍କୃତ ପାଚିକାକୁ ରଖିବା ପାଇଁ । ମାତ୍ର କମିଟି ସଦସ୍ୟ ଓ ଅଭିଭାବକ ଅଭିଭାବିକା ମାନେ ଏହାକୁ ବିରୋଧ କରିଥିଲେ । ଏପରିକି ସଚିବଙ୍କ ଚିଠି ଓ ବିଇଓଙ୍କ ଚିଠି ଅନୁଯାଇ ଗତ ଅଗଷ୍ଟ ମାସରୁ ସଂପୃକ୍ତ ପାଚିକାକୁ ସ୍କୁଲ ପରିଚାଳନା କମିଟି ବହିସ୍କୃତ କରିବାପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍କୁଲ ଚିଠିନଂ ୧୩୭ ତା ୧/୮/୨୦୧୯ରେ ଜଣାଯିବା ସହ ବହିସ୍କୃତ ପାଚିକା ସଶ୍ମିତା ଦେହୁରୀଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ଫଳରେ ସେହିଦିନ ଠାରୁ ବହିସ୍କୃତ ରୋଷେୟା ଆଉ କାମ କରିବାକୁ ସ୍କୁଲକୁ ଆସୁନାହାନ୍ତି । କିନ୍ତୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଂପୃକ୍ତ ପାଚିକାର ମାସିକ ପାରିଶ୍ରମିକ ବନ୍ଦ ନକରି ଆଜି ପର୍ଯ୍ୟନ୍ତ ଦେଇଚାଲିଛନ୍ତି । ଜଣେ କାମ ନକଲେ ଦରମା ବନ୍ଦ ନିୟମ ଥିବାବେଳେ କିପରି ଜଣେ ବହିସ୍କୃତ ପାଚିକାକୁ କିପରି ମାସିକ ପାରିଶ୍ରମିକ ଦିଆଯାଉଛି ବୋଲି ପରିଚାଳନା କମିଟି ସଦସ୍ୟମାନେ ପ୍ରଶ୍ନ କରିଛନ୍ତି । ସଂପୃକ୍ତ ପାଚିକାକୁ ପୁନଃ ନିଯୁକ୍ତି ପାଇଁ ରାଜନୈତିକ ଚାପ ପକାଯିବା ସହିତ ପୁନଃ ନିଯୁକ୍ତି ନକଲେ ନିଲମ୍ବିତ କରାଯିବ ବୋଲି ବହୁ ମାସ ହେଲା ବାରମ୍ବାର ଧମକ ଚମକ ଦେଇ ଆସୁଥିଲେ । ଏପରିକି ବିଇଓ ଗତ ଡିସେମ୍ବର ମାସରେ ଅଭିଭାବକ ମାନଙ୍କ ଏକ ବୈଠକ ଡାକିବାକୁ ପରାମର୍ଶ ଦେଇଥିଲେ ମଧ୍ୟ କୌଣସି ଅଧିକାରୀ ଏହି ବୈଠକକୁ ଯାଇ ନଥିଲେ ବୋଲି ଅଭିଭାବକମାନେ କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଗମନାଗମନର ସୁବିଧା ସୁଯୋଗ ନଥିବା ଅଞ୍ଚଳରେ ଥିବା ଏହି ବିଦ୍ୟାଳୟଟି ବ୍ଲକ ନୁହଁ ଜିଲ୍ଲାର ଏକ ସୁନାମଧନ୍ୟ ସ୍କୁଲ ଭାବେ ପରିଗଣିତ ହେଉଥିବାବେଳେ ରାଜନୈତିକ ଆକ୍ରୋଶ ରଖି ବିଦ୍ୟାଳୟରେ ଅଯଥା ବିବାଦ ସୃଷ୍ଟି କରାଯାଉଛି ବୋଲି ପରିଚାଳନା କମିଟି ସଭାପତି ଚକ୍ରଧର ହୋ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ