ମୁଖ୍ୟମନ୍ତ୍ରୀଙ୍କ ୫ଟି ଆଧାରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

ଛତ୍ରପୁର ,(ପ୍ରଶାନ୍ତ କୁମାର ମହାରଣା ) ; ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ସେବାକୁ ତ୍ୱରାନ୍ୱୀତ କରିବା ପାଇଁ ଘୋଷଣା କରିଥିବା ୫ଟି କାର୍ଯ୍ୟ ଖସଡା ଆଧାରରେ ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ କରାଯାଉଥିବା ପୃଷ୍ଟି ଦିବସରେ ଗର୍ଭବର୍ତୀ ମହିଳା ଓ ଶିଶୁ ଜନ୍ମ ଦେଇଥିବା ମହିଳା ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବାକୁ ପରାମର୍ଶ ଦିଆଯିବ । ମୋବାଇଲ୍ ଟେଲିଫୋନ ମାଧ୍ୟମରେ ସେମାନଙ୍କର ସ୍ୱାସ୍ଥ୍ୟ ସଂପର୍କିତ ଏକ ପ୍ରୟୋଗାତ୍ମକ ଶୈଳୀ ସୃଷ୍ଟି କରାଯିବ । ଏହା ଓଡିଆଭାଷାରେ ହେବା ସହିତ ପ୍ରତ୍ୟେକ ମହିଳାଙ୍କୁ ସମୟ ଆଧାରରେ ସେମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ପ୍ରଦାନ କରାଯିବ । କେତକ ସ୍ଥଳରେ ମୋବାଇଲ ଟେଲିଫୋନ ଦୃଶ୍ୟ ମାଧ୍ୟମରେ ସଂପୃକ୍ତ ଡାକ୍ତର ଏହି ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ପରାମର୍ଶ ଦେବେ । ମାତୃସ୍ତନ୍ୟପାନ ଜିଲ୍ଲାରେ ୯୨ପ୍ରତିଶତ ଥିବା ସ୍ଥଳେ ଜିଲ୍ଲାପାଳ ଏହାକୁ ଶତପ୍ରତିଶତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଭ୍ରାମ୍ୟମାଣ ଲିଙ୍ଗ ନିରୁପଣ ଯନ୍ତ୍ର ପ୍ରବେଶକୁ ସଂପୁର୍ଣ୍ଣ ନିଷେଧ କରାଯାଇଛି । ଏଥି ପ୍ରତି ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସଜାଗ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ କାୟାକଳ୍ପ ମାଧ୍ୟମରେ ଡାକ୍ତରଖାନା ଗୁଡିକର ଉନ୍ନତୀ କରଣ ଅଦ୍ୟାବଧୀ ୭୦ପ୍ରତିଶତ ହାସଲ ହୋଇଥିବା ସ୍ଥଳେ ଜିଲ୍ଲାପାଳ ଏହାକୁ ଶତପ୍ରତିଶତ କରିବାକୁ କହିଛନ୍ତି । ପ୍ରତ୍ୟେକ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପୋଷାକ ପରିଧାନ କରିବା ପାଇଁ କୁହଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ନିଦାନ ପରୀକ୍ଷାଗାର ଗୁଡିକର ଦାୟିତ୍ୱରେ ଥିବା କର୍ମଚାରୀ ସମସ୍ତ ନିଦାନ ପରୀକ୍ଷାରେ ନିପୂଣ ହେବା ପାଇଁ ତାଙ୍କୁ ତାଲିମ ଦିଆଯିବ । କୃଷ୍ଠ ରୋଗ ସଂକ୍ରମଣ ଆରମ୍ଭରୁ ରୋଗୀଙ୍କୁ ଚିହ୍ନଟ କରି ଔଷଧ ସେବନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ଯଦି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଅବହେଳାରୁ କୈାଣସି କୁଷ୍ଠ ରୋଗୀର ଅଙ୍ଗ ବିକୃତ ହୁଏ ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାରେ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରାଯିବ । ପ୍ରତ୍ୟେକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ଚିକତ୍ସା ସୁବିଧା ଉପରେ ମତାମତ ନିଆଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକତ୍ସାଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହି, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଚିକିତ୍ସକ ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ