ମୁଖ୍ୟ ଶାସନ ସଚିବ, ୫-ଟି ଶାସନ ସଚିବ ଏବଂ ପୂର୍ତ୍ତ ଶାସନ ସଚିବଙ୍କ ବାଲେଶ୍ୱରଉନ୍ନୟନ କାର୍ଯ୍ୟ ସମୀକ୍ଷା

ବାଲେଶ୍ଵର, (ଯୁଗବ୍ଦ ନ୍ୟୁଜ) : ନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ଶାସନ ସଚିବ ଭି.କେ.ପାଣ୍ଡିଆନ, ପୂର୍ତ୍ତ ଶାସନ ସଚିବ ଡ. କ୍ରିଷନ କୁମାରଙ୍କ ସହ ବାଲେଶ୍ଵର ଗସ୍ତ କରି ସହରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ପରିଦର୍ଶନ ଓ ସମୀକ୍ଷା କରିଥିଲେ । ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମଧ୍ୟ ବାଲେଶ୍ଵର ଜିଲ୍ଲାରେ କୋଭିଡ୍ ସ୍ଥିତି ଏବଂ ଏହାର ପରିଚାଳନା ନିମନ୍ତେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସର୍ବୋଚ୍ଚ ପ୍ରଶାସନିକ ଟିମ୍ ବାଲେଶ୍ଵରରେ ପହଂଚିବା ପରେ ପରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଗହଣରେ କୁରୁଡା ଜଙ୍କସନ୍, କୁରୁଡାରୁ ତାମୁଳିଆ ପର୍ଯ୍ୟନ୍ତ ରାସ୍ତା, ତାମୁଳିଆରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତା, ବାଲେଶ୍ଵର ବସ୍‌ଷ୍ଟାଣ୍ଡ, ସହଦେବ ଖୁଣ୍ଟାରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତା, ଫକୀରମୋହନ ମେଡିକାଲ କଲେଜର ୬୫୦ ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ହସପିଟାଲ, ହରିପୁରରୁ ଦହପଡ଼ା ପର୍ଯ୍ୟନ୍ତ ବଳଙ୍ଗ ନଦୀତଟ ଓ ପାର୍କ ପାଇଁ ପ୍ରସ୍ତାବିତ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ । ସେଠାରୁ ଫେରି ଲେବଲ କ୍ରସିଂ-୭୯ ଉପରେ ନିର୍ମାଣାଧୀନ ଓଭର ବ୍ରିଜ ଆଦି ସ୍ଥାନ ପରିଦର୍ଶନ କରିଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ କୋଭିଡ୍ ପରିଚାଳନାର ସମୀକ୍ଷା କରିଥିଲେ । ବାଲେଶ୍ଵର ଜିଲ୍ଲା ସ୍କୁଲ ଗସ୍ତ କରି ବିଜ୍ଞାନ ପରୀକ୍ଷାଗାର ଏବଂ ବିଦ୍ୟାଳୟରେ ଶୈକ୍ଷିକ-ପରିବେଶ ଆଦିର ସମୀକ୍ଷା କରିଥିଲେ । ‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହୋଇଥିବା ପୂର୍ବତନ ଛାତ୍ରମାନଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମହାପାତ୍ର ବାଲେଶ୍ଵର ଜିଲ୍ଲା ସ୍କୁଲର ୧୯୫୨ ମସିହାରେ ଥିବା ଛାତ୍ର ତଥା ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ତୁଳସୀ ରଞ୍ଜନ ମିଶ୍ରଙ୍କୁ ତାଙ୍କର ଅବଦାନ ପାଇଁ ସାଧୁବାଦ ଜଣାଇଥିଲେ । ମିଶ୍ର ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବାଲେଶ୍ଵର ସହର ସ୍ଥିତ ୪ଟି ସ୍କୁଲକୁ ୮ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗସ୍ତ ଓ ସମୀକ୍ଷା ପରେ ପରେ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତର ଦେଇ ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ ଯେ ବାଲେଶ୍ଵର ସହରର ଭିତ୍ତିଭୂମି ଓ ସେବା ଯୋଗାଣ ବ୍ୟବସ୍ଥା ଆଦିର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ରହିଥିବା ବିଭିନ୍ନ ଆବଶ୍ୟକତାର ଅନୁଧ୍ୟାନ ପାଇଁ ଆଜି ଏହି ଟିମ୍ ବାଲେଶ୍ଵର ଗସ୍ତ କରିଥିଲେ । ଏହି ଟିମ୍ ଖୁବ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବାସ୍ତବ ସ୍ଥିତି ଓ ଆବଶ୍ୟକତା ବିଷୟରେ ପୂର୍ଣ୍ଣ ବିବରଣୀ ଦେବେ । ଏହି ଗସ୍ତ, ପରିଦର୍ଶନ ଓ ସମୀକ୍ଷା ସମୟରେ ଅତିରିକ୍ତ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ, ପୂର୍ବାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଦୀପେଶ ପଟ୍ଟନାୟକ, ବାଲେଶ୍ଵର ଏସ.ପି. ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଦୁଲାଳସେନ ଜଗଦେବ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନୀଲୁ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ