ପ୍ରତାପଙ୍କ ପକ୍ଷୀସେବା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମହାମାରୀ କରୋନାର ପ୍ରଥମ ଲହର ଲୋକମାନଙ୍କ ମନରୁ ଭୟ ଦୂର ହୋଇନଥିବା ବେଳେ ଏବେ ସାରା ଭାରତ ସମେତ ଓଡ଼ିଶାରେ କରୋନାର ଦ୍ୱିତୀୟ ଲହର ପ୍ରବେଶ କରିଛି । ପ୍ରଥମ ଲହର ଠାରୁ କରୋନର ଦ୍ୱିତୀୟ ଲହରରେ ଖୁବ୍ ଭୟଙ୍କର ଭାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଲୋକଙ୍କ ସମେତ କରୋନା ସେବା ଯୋଗାଉଥିବା ଡ଼ାକ୍ତରମାନେ ମଧ୍ୟ ଏଥିରେ ମୃତ୍ୟୁବରଣ କଲେଣି । କରୋନାର ଏହି ମହାମାରୀ ସମୟରେ ପଶୁ ପକ୍ଷୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜସେବୀ ପ୍ରତାପ ସାହୁ ପଶୁପକ୍ଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀର ଭୁବନେଶ୍ୱର କ୍ଲବ, ବାଣିବାହାର, ରୁପାଲି ଛକ, କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାର ଓ ନିଳାଦ୍ରୀ ବିହାର ଆଦି ଅଞ୍ଚଳ ବୁଲି ପାରାମାନଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି । ବିଶେଷକରି ରାଜଧାନୀସ୍ଥିତ ରାମମନ୍ଦିରରେ ରହୁଥିବା ପାରାମାନଙ୍କୁ ପ୍ରତ୍ୟେକ ଦିନ ଚାଉଳ, ଗହମ ଓ ସୋରିଷ ଆଦି ଖାଦ୍ୟ ପଦାର୍ଥ ପ୍ରଦାନ କରିଆସୁଛନ୍ତି । ପ୍ରତାପଙ୍କ ଏହି ସେବା ପାଇ ପାରାମାନେ ପ୍ରତ୍ୟେକଦିନ ପ୍ରତାପ ସାହୁଙ୍କ ଆସିବା ବାଟକୁ ଚାତକ ପରି ଚାହିଁ ରହିଥାନ୍ତି । ପ୍ରତାପ ସାହୁ ରାମ ମନ୍ଦିର ନିକଟରେ ପହଞ୍ଚୁ ପହଞ୍ଚୁ ଶହ ଶହ ସଂଖ୍ୟାରେ ପାରା ଆସି ତାଙ୍କ ଚାରିପାଖରେ ଘେରି ଯାଆନ୍ତି ଏବଂ ପ୍ରତାପ ସେମାନଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ଯୋଗାଇଥାନ୍ତି । କେବଳ ପକ୍ଷୀ ନୁହଁନ୍ତି, ପ୍ରତାପ ପଶୁମାନଙ୍କୁ ମଧ୍ୟ ଖାଦ୍ୟ ଦେବା ଓ ସେମାନଙ୍କ ରହିବାର ବ୍ୟବସ୍ଥା କରିଥାନ୍ତି । କିଛିଦିନ ତଳେ ସାହୁ ବୁଲା କୁକୁରମାନଙ୍କ ପାଇଁ ରାଜଧାନୀସ୍ଥିତ ନିଳାଦ୍ରୀ ବହିାରଠାରେ ‘ବିଶ୍ୱାସ’ ନାମକ ଏକ ଗୃହ ନିର୍ମାଣ କରିଛନ୍ତି । ଏହି ଗୃହରେ ବୁଲା କୁକୁରମାନଙ୍କ ପାଇଁ ପାଇଖନା, ପାଣି ପିଇବା ପାଇଁ କୁଣ୍ଡ, ଖାଇବା ଲାଗି ପ୍ରତ୍ୟେକ କୁକୁରମାନଙ୍କ ପାଇଁ ଗୋଟିଏ ଗୋଟିଏ ଥାଳିର ବ୍ୟବସ୍ଥା କରାଯାଇଛି । ଖାଲି ଏତିକି ନୁହେଁ ମହାମାରୀ କରୋନା ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍, ବସ୍ଷ୍ଟାଣ୍ଡ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ମାଗଣାରେ ସାନିଟାଇଜ କରିଥାନ୍ତି ଏବଂ ଗରିବ ଓ ନିରାଶ୍ରୟ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ ଏବଂ ରନ୍ଧା ଖାଦ୍ୟ ଯୋଗାଇଦେବା ସହ ସେମାନଙ୍କୁ କରୋନା ଠାରୁ ଦୂରେଇ ରହିବା ପାଇଁ ସଚେତନ କରି ଆସୁଛନ୍ତି ।


