ମୁନିସିପେଣ୍ଠ ଗ୍ରାମରେ ମା ଶୀତଳା ଠାକୁରାଣୀଙ୍କ ଐତିହାସିକ ଯାତ୍ରା, ମାଙ୍କୁ ଦର୍ଶନ କଲେ ସାଂସଦ ଓ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିଷିପେଣ୍ଠ ଗ୍ରାମର ଆରାଧ୍ୟା ଦେବୀ ମା ଶୀତଳା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ବୁଧବାର ମାଙ୍କ ଯାତ୍ରା ୧୩ ଦିନରେ ପହଂଚିଛି । ମଙ୍ଗଳବାର ରାତ୍ରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗ୍ରାମକୁ ଯାଇ ମାଙ୍କ ଦର୍ଶନ କରିଛନ୍ତି । ମାଙ୍କ ଘଟ ଗୁରୁବାର ଗ୍ରାମର ସମସ୍ତ ସାହି ପରିକ୍ରମା କରିଛିି । ମା ଶୀତଳା ଠାକୁରାଣୀ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଗହଣରେ ସାହିକୁ ସାହି ବୁଲି ଭକ୍ତଙ୍କ ଠାରୁ ନାନା ପ୍ରକାର ପିଠା, ମିଠା ଆଦି ଭୋଗ ଗ୍ରହଣ କରିଛନ୍ତି । ମାଙ୍କ ଯାତ୍ରା ପାଇଁ ମୁନିସିପେଣ୍ଠ ଗ୍ରାମ ସମେତ ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇ ପଡିଛି । ବିଭିନ୍ନ ପ୍ରକାର ବାଦ୍ୟବାଜଣା ସହିତ ବିଭିନ୍ନ ସାହି ପକ୍ଷରୁ ହନୁମାନ ବେଶ, କାମ୍ପ ବେଶ, ଧୁମଧୁଡୁକା, ହଳ କୀର୍ତ୍ତନ ସହିତ ବାଘ ନାଚ, କାଳୀ ନାଚ ଆଦିରେ ଫାଟି ପଡୁଛି ଗାଁ ଦାଣ୍ଡ । ବୁଧବାର ସକାଳୁ ସକାଳୁ ପାରମ୍ପରିକ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମୁନିସିପେଣ୍ଠ ଗ୍ରାମ ଏବଂ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ମାନେ ମାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଶ୍ରଦ୍ଧାଳୁ ଓ ଅଂଚଳବାସୀ ଙ୍କ ମନୋରଞ୍ଜନ ନିମନ୍ତେ ଯାତ୍ରା କମିଟି ପକ୍ଷରୁ ମାଙ୍କ ଯାତ୍ରାକୁ ଯାକଜକମରେ କରାଯାଉଛି । ସୁନ୍ଦର ତୋରଣ ସହ ଆଲୋକ ସଜ୍ଜାରେ ଅସ୍ଥାୟୀ ମନ୍ଦିର ଓ ଗ୍ରାମକୁ ସୁସଜ୍ଜିତ କରାଯାଇଛି । ଏହା ସହ ରାମଦୋଳି, ମୀନା ବଜାର ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି । ସେହିପରି କଳିଙ୍ଗ ଗଣନାଟ୍ୟ ପକ୍ଷରୁ ରାତ୍ର ସମୟରେ ବିଭିନ୍ନ ସାମାଜିକ ନାଟକ ମଧ୍ୟ ପରିବେଷଣ କରାଯାଉଛି । ଏହି ଯାତ୍ରା ପ୍ରତି ୧୨ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ଭର ସହକାରେ ପାଳନ କରିବା ନିମନ୍ତେ ଗ୍ରାମବାସୀ ମାନେ ଉତ୍ସାହିତ ଅଛନ୍ତି । ଏଥି ନିମନ୍ତେ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାତ୍ରା କମିଟି ସଭାପତି ବିଶ୍ୱନାଥ ସୁବୁଦ୍ଧିଙ୍କ ନେତୃତ୍ୱରେ ଉପସଭାପତି ପ୍ରବାସୀ ପ୍ରଧାନ, ସମ୍ପାଦକ ସୁଦାମ ସାହୁ, ଯୁଗ୍ମ ସମ୍ପାଦକ କେ. ରାମେୟା, କୋଷାଧ୍ୟକ୍ଷ କେ. ଭୀମାରାଜୁ ଓ ବିରଞ୍ଚି ନାୟକ, ଉପଦେଷ୍ଠା ପ୍ରମୋଦ କୁମାର ସାହୁ, ଗଣପତି ବାରିକ, ବିଜୟ ପ୍ରଧାନ, ରାମଚନ୍ଦ୍ର ବେହେରା, ବିମଳ ପଣ୍ଡା, ଶାନ୍ତନୁ ପାତ୍ର, ବିପିଳିଙ୍ଗି ସରପଂଚ ହୀନା ସେଠୀ, ମହାନାଦପୁର ସରପଂଚ ରବିନ୍ଦ୍ର ରାଉଳ. ପୋଟ୍ଟଲାମପୁର ସରପଂଚ ନିରଞ୍ଜନ ପ୍ରଧାନ, ପୋଟ୍ଟଲାମପୁର ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଯୁବ ନେତା ସୁରେଶ ଦାଶ, କିଶୋର ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀ ମାନେ ଯାତ୍ରା ପରିଚାଳାନାରେ ସହଯୋଗ କରିଥିଲେ ।


