ମୁରୁଜରେ ବିରାଜିଲେ ବିଦ୍ୟାଦାତ୍ରୀ ବାଗ୍‌ଦେବୀମା’ ସରସ୍ୱତୀଙ୍କ ଚିତ୍ରପଟ୍ଟ

ଭୁବନେଶ୍ୱର- : ବିଦ୍ୟା, କଳା, ସାହିତ୍ୟ ଓ ସ୍ୱର ବ୍ରହ୍ମର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ଆବାହନ ପାଇଁ ପ୍ରସ୍ତୁତି ସରିଛି । ସାରା ରାଜ୍ୟରେ ଉତ୍ସାହର ମାହୋଲ ଦେଖାଦେଇଛି । ସ୍କୁଲ୍‌, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପୂଜା ପାଇବେ ମା’ ବାଗ୍‌ଦେବୀ ସରସ୍ୱତୀ । ପ୍ରତି ପୂଜା ପାର୍ବଣରେ କିଛି
ନା କିଛି ନୁଆ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଜନସାଧାରଣଙ୍କ ନିକଟରେ ପହଞ୍ଚୁଥିବା ସ୍ମାର୍ଟନଗରୀ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍‌-୨ ପରିସରରେ ଥିବା ପ୍ରତିଷ୍ଠିତ ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ ଚଳିତ ଶ୍ରୀପଞ୍ଚମୀରେ ନିଆରା ଢଙ୍ଗରେ ପରିବେଶ ସଚେତନତା ଉପରେ ଗୁରୁତ୍ୱ ଦେଇଛି ।
ଏଠାରେ ଶିକ୍ଷାଲାଭ କରୁଥିବା ବିଦ୍ୟାର୍ଥୀମାନେ ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତଙ୍କ ତତ୍ତ୍ୱାବଧାନରେ ରଙ୍ଗ ବେରଙ୍ଗ ମୁରୁଜରେ ତିଆରି କରିଛନ୍ତି ଇକୋ-ଫ୍ରେଣ୍ଡଲି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ଚିତ୍ରପଟ୍ଟ । ପ୍ଲାଷ୍ଟିକ ଓ ରାସାୟନିକ ରଙ୍ଗ ବିରୋଧରେ ସ୍ୱର ଉଠାଇବା ସହ ଇକୋ-ଫ୍ରେଣ୍ଡଲି ପୂଜା କରିବାକୁ ଶିଳ୍ପୀମାନେ ଆହ୍ୱାନ ଦେଇଛନ୍ତି । ମୂର୍ତ୍ତିରେ
ମିଶୁଥିବା ରାସାୟନିକ ରଙ୍ଗ ନଦୀ ଜଳ ପ୍ରଦୂଷିତ ହେବା ସହ ପ୍ରଦୂଷଣ ହୋଇଥାଏ ଏବଂ ପ୍ରକୃତି ପରିପନ୍ଥୀ ହୋଇଥାଏ । ଜଳ ଉତ୍ସକୁ ସ୍ୱଚ୍ଛ ଓ ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଚିତ୍ରଶାଳା ଆୟୋଜନ କରିଛି ଇକୋଫ୍ରେଣ୍ଡଲି ମା’ ସରସ୍ୱତୀଙ୍କ ପୂଜା । ସମ୍ପ୍ରତି ପରିବେଶକୁ ଦୃଷ୍ଟିରେ ରଖି ଯେତେ ସରଳ, ନିରାଡ଼ମ୍ବର ଭାବେ ଭକ୍ତିପୂତ
ପରିବେଶ ମଧ୍ୟରେ ପୂଜା ଉତ୍ସବ ପାଳନ କରାଯିବା ଦରକାର ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଯୋଗଦେଇ କୁନିଶିଳ୍ପୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ପ୍ରତ୍ୟେକ ପାର୍ବଣକୁ ଆମେ ଚାହିଁଲେ ପରିବେଶ ଉପଯୋଗୀ କରିପାରି ଧରିତ୍ରୀର ସନ୍ତୁଳନ ରଖିପାରିବା ବୋଲି ମତପ୍ରକାଶ କରିଥିଲେ । ଭୁବନେଶ୍ୱରସ୍ଥିତ ବି.ଆଇ ପ୍ରୋଫେସନାଲ୍ସ ପକ୍ଷରୁ ଚିତ୍ରଶିଳ୍ପୀମାନଙ୍କୁ ଚିତ୍ରସାମଗ୍ରୀ ଯୋଗାଇ ଦିଆଯିବା ସହ ଏଭଳି ନିଆରା ପ୍ରୟାସକୁ ପ୍ରଶଂସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ