ମୂଲ୍ୟବାନ ସରକାରୀ ଜାଗା ଜବର ଦଖଲ ଉଦ୍ୟମ ପଣ୍ଡ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ ଦୀର୍ଘ ବର୍ଷ ଧରି ହିଞ୍ଜିଳିକାଟୁ ତହସିଲ ଅଧୀନ ବିଭିନ୍ନ ମୌଜାରେ ଥିବା ମୂଲ୍ୟବାନ ସରକାରୀ ଜାଗାକୁ ରାଜନେତା,ପ୍ରଭାବଶାଳୀ ଗୋଷ୍ଠୀ ବେଦଖଲ କରି ପ୍ରଚୁର ମୁନାଫା କମାଉଥିବା ବହୁ ଘଟଣାରୁ ଜଣାପଡିଛି।ବିସ୍ତାରବାଦୀ ନୀତି ଅବଲମ୍ବନ କରି ସରକାରୀ ଜମିକୁ ଭୋଗ ଦଖଲ କରୁଥିବା ବେଳେ ପ୍ଲଟ ବ୍ୟବସାୟୀ ମାନେ ବେସରକାରୀ ଜମି କିଣି ସେଥିରେ ଥିବା ସରକାରୀ ଜାଗାରେ ଧାର୍ମିକ ଅନୁଷ୍ଠାନ ନିର୍ମାଣ କରି ନିଜସ୍ୱ ଅନୁଷ୍ଠାନ ରୂପେ ସାଧାରଣରେ ଭ୍ରମ ସୃଷ୍ଟି କରୁଥିବା ମଧ୍ୟ ଜଣାପଡିଛି। ଜବର ଦଖଲ ଏବେ ଏକ ମାନସିକ ବ୍ୟାଧି ରୂପେ କାୟା ବିସ୍ତାର କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହି ଉଦ୍ୟମକୁ ପଣ୍ଡ କରୁଥିବା ନଜିର ରହିଛି।ସ୍ଥାନୀୟ ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ଆଙ୍କରଡା ମୌଜାରେ ଥିବା ସରକାରୀ ଜାଗାକୁ ଜବର ଦଖଲ କରି ଘର ନିର୍ମାଣ ପାଇଁ ଉଦ୍ୟମ ବେଳେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।ପୌର ପରିଷଦ ପକ୍ଷରୁ ବହୁ କୋଟି ଟଙ୍କା ବ୍ୟୟ ଅଟକଳରେ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ହୋଇଥିବା ଯୋଗୀବନ୍ଧ ପଶ୍ଚିମ ପଟ ସରକାରୀ ଜାଗାକୁ ଦୀର୍ଘ ଦିନ ଧରି ଜବର ଦଖଲ କାରୀଙ୍କ କବଳରୁ ପୌର,ତହସିଲ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।ସୂଚନା ମୁତାବକ ଆଙ୍କରଡା ମୌଜାର ଖତିୟାନ ନଂ ୭୨୪ ରେ ଥିବା ୨୪ ଟି ସରକାରୀ ନାଳ ଓ ଜଳାଶୟ କିସମକୁ ସମ୍ପୃକ୍ତ ଗ୍ରାମର ବିଭିନ୍ନ ସମ୍ପ୍ରଦାୟର କିଛି ବ୍ୟକ୍ତି ଭୋଗ ଦଖଲ କରି ଆସୁଥିଲେ।ପୌର ପରିଷଦ ପକ୍ଷରୁ ଯୋଗୀ ବନ୍ଧ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ସମୟରେ ପୋଖରୀର ମାଟି ଉକ୍ତ ସରକାରୀ ଜାଗାରେ ପକାଯାଇ ଥିଲା।ପରେ ଜବର ଦଖଲ କାରୀ ଗୋଷ୍ଠୀ ବନ୍ଧ ମାଟିକୁ ସମତୁଲ କରି ଗୃହ ନିର୍ମାଣ ସକାଶେ ଖୁଣ୍ଟି ପୋତା ଉଦ୍ୟମ ଆରମ୍ଭ କରିଥିଲେ।ସୂଚନା ପାଇ ପୌର ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଉଦ୍ୟମ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ତହସିଲଦାର ପ୍ରଭାତ କୁମାର ପରିଡା, ଥାନା ଅଧିକାରୀ ଅଭିମନ୍ୟୁ ଦାସ,ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ ଓ ପୌର କର୍ମଚାରୀ ସଦଳ ବଳେ ସେଠାରେ ଉପସ୍ଥିତ ରହି ସରକାରୀ ଜାଗାକୁ ଜବର ଦଖଲ ଉଚ୍ଛେଦ କରିଥିଲେ।ଘଟଣା ସ୍ଥଳରେ କିଛି ସମୟ ପାଇଁ ଚାପା ଅସନ୍ତୋଷ ପ୍ରକାଶ ପାଇଥିଲା।ପୌର ପରିଷଦ ପକ୍ଷରୁ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ଚୟନ ହୋଇଥିଲା ବେଳେ ସେଠାରୁ ଜବର ଦଖଲ ଉଚ୍ଛେଦ କରାଯାଇଛି।ଏବେ ବି ସହରର କିଛି ମୁଣ୍ଡିଆଳ ରାଜନେତା,ପ୍ରଭାବଶାଳୀ ବ୍ୟବସାୟୀ ଗୋଷ୍ଠୀ ଓ ପୂର୍ବତନ ଜନ ପ୍ରତିନିଧି ସରକାରୀ ଜାଗାକୁ ଲୋଲୁପ ଦୃଷ୍ଟି ପକାଇ ନିଜ ଅକ୍ତିଆରରେ ରଖିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ଓ ଅଭିଯୋଗ ହୋଇଛି।ଏଣୁ ଅନ୍ୟାନ୍ୟ ସହରରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ବେଳେ ସ୍ଥାନୀୟ ସହରରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମଧ୍ୟ ମତ ପ୍ରକାଶ ପାଇଛି।ସ୍ଥାନୀୟ ସହରର ଉନ୍ନୟନ ପ୍ରକଳ୍ପରେ ବାଧକ ସାଜିଥିବା ଜବର ଦଖଲ କାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସହରାଞ୍ଚଳ ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ ବୁଦ୍ଧିଜୀବୀ ମହଲରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


