ମୃତ୍ୟୁ ସଂଖ୍ୟା ଘୋଷଣାର ଆବଶ୍ୟକତା ନାହିଁ
ନୂଆଦିଲ୍ଲୀ (ଏଜେନ୍ସି): ବାଲାକୋଟ୍ ଆକ୍ରମଣରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ନେଇ ବିବାଦ ସୃଷ୍ଟି ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୃତ୍ୟୁ ସଂଖ୍ୟା ୩୦୦ ଟପିବ ବୋଲି କହିଛନ୍ତି । ସରକାରୀ ଦଳର କେତେକ ମନ୍ତ୍ରୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି । ଏନେଇ ବିରୋଧୀ ଦଳ ସ୍ପଷ୍ଟୀକରଣ ମାଗିଥିବାବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଏୟାର୍ ଷ୍ଟ୍ରାଇକ୍ ସହିତ ନିର୍ବାଚନର ସମ୍ପର୍କ ନାହିଁ । ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ କେବଳ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା । ପାକିସ୍ତାନ ମାଟିରେ ଭାରତ ବିରୋଧୀ ଷଡଯନ୍ତ୍ରକୁ ପଣ୍ଡ କରିବା ଓ ବିଶ୍ୱ ସମୁଦାୟ ନିକଟରେ ପାକ୍ କର୍ତ୍ତୃପକ୍ଷଙ୍କ ଆତଙ୍କବାଦ ପ୍ରୋତ୍ସାହନ ନୀତି ବିଷୟରେ ଅବଗତ କରାଇବା ଏହାର ଉଦ୍ଦେଶ୍ୟ ଥିଲା । ଗୁଇନ୍ଦା ସୂଚନା ଆଧାରରେ ବାୟୁସେନା ଆକ୍ରମଣ କରିଥିଲା । ଏହାକୁ ନେଇ ରାଜନୀତି କରାଯିବା ଠିକ୍ ହେଉନି । ଆଗକୁ ନିର୍ବାଚନ ଥିବାରୁ ବାହା ବାହା ପାଇବା ଲାଗି ସରକାର ବାଲାକୋଟ ଆକ୍ରମଣକୁ ଅତିରଞ୍ଜିତ କରୁଛନ୍ତି ବୋଲି ବିରୋଧୀଙ୍କ ଅଭିଯୋଗକୁ ସୀତାରମଣ ଖଣ୍ଡନ କରି ନିର୍ବାଚନ ସହିତ ବାୟୁସେନାର ସର୍ଜିକାଲ୍ ଷ୍ଟ୍ରାଇକ୍ର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି ।