ମୃତ କର୍ମଚାରୀ ପରିବାରମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପୁନଃ ଥଇଥାନ ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର କମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପୁନଃ ଥଇଥାନ ଯୋଜନାରେ ୧୯୭୫ ମସିହାରେ ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଦ୍ୱାରା ଓଡ଼ିଶାରେ ସମସ୍ତ କାର୍ଯ୍ୟରତ କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ପୁନଃ ଥଇଥାନ ଯୋଜନାରେ ସମ୍ପୃକ୍ତ କର୍ମଚାରୀ ପରିବାରର ଜଣେ ସଦସ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦେବା ପାଇଁ ଆଦେଶ ପ୍ରଦାନ କରିଥିଲେ । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ୧୯୮୨ ମସିହାରେ ଏହି ନିୟମକୁ ରାଜ୍ୟ ସରକାର ବିଧିବଦ୍ଧ ଜରିଆରେ ମୃତ ପରିବାରବର୍ଗଙ୍କ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିଥିଲେ । ଏହି ନିୟମ ପୂର୍ବରୁ ବାରମ୍ବାର ସଂଶୋଧନ କରାଯାଇଥିଲା ଓ ମୃତ କର୍ମଚାରୀ ପରିବାରକୁ ଏହି ସୁବିଧାକୁ ପ୍ରଦାନ କରାଯାଇଥିଲା । ତା’ପରେ ପରବର୍ତ୍ତୀ ସମୟରେ ୧୯୯୦ ମସିହାରେ ଏକ ସଂଶୋଧିତ ବିଜ୍ଞପ୍ତି ଜାରି କରାଗଲା ଓ ଉପରୋକ୍ତ କର୍ମଚାରୀମାନଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା ।ରାଜ୍ୟ ସରକାର ଦୀର୍ଘ ୨୨ବର୍ଷ ଧରି ଓଡ଼ିଶା ରାଜ୍ୟ ଶାସନଭାର ଗ୍ରହଣ କରିଛନ୍ତି ଏବଂ ସମସ୍ତ ବର୍ଗର କର୍ମଚାରୀମାନେ ସରକାରଙ୍କୁ ଶାସନ କ୍ଷେତ୍ରରେ ସମସ୍ତ ସହଯୋଗ କରି ଓଡ଼ିଶାର ବୈପ୍ଲବିକ ପରିବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଛନ୍ତି । ବଡ଼ ପରିତାପର ବିଷୟ ରାଜ୍ୟରେ ଉପରୋକ୍ତ ଯୋଜନାର ସୁବିଧା ପାଇବା ପାଇଁ ୧୫ ହଜାରରୁ ଉର୍ଦ୍ଧ୍ୱ ପରିବାର ସଦସ୍ୟ ଅପେକ୍ଷା କରିଥିବା ବେଳେ ରାଜ୍ୟ ସରକାର ଏମାନଙ୍କ ଦରଖାସ୍ତକୁ ବିଚାରକୁ ନ ନେଇ ଅତି ତରବରିଆଭାବେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ସଂଖ୍ୟା ୫୬୫୧ ତା ୧୭.୦୨.୨୦୨୦ ରିଖ ଜରିଆରେ ଏହି ଯୋଜନାରେ ନିଯୁକ୍ତି ନ ଦେବା ପାଇଁ ବ୍ୟବସ୍ଥା କଲେ ଓ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ସରକାରୀ ବିରୋଧୀ ନିମନ୍ତେ ପ୍ରୋତ୍ସାହନ ଦେଲେ । ଅପରପକ୍ଷରେ ଅପେକ୍ଷାରତ ପରିବା ସଦସ୍ୟମାନେ ନିଯୁକ୍ତି ପାଇଲେ ନାହିଁ ଏବଂ ସେମାନେ ନ୍ୟାୟ ଆଶାରେ ଗାନ୍ଧୀମାର୍ଗରେ ଧାରଣାରତ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତ ୨୨.୧୧.୨୦୨୨ରିଖରେ ସେମାନଙ୍କର ଦୁଃଖ ଲିଖିତ ଆକାରରେ ଜଣାଇଲେ । ସେମାନଙ୍କ ଦରଖାସ୍ତକୁ ଅଭିଯୋଗ ପ୍ରକୋଷ୍ଠରେ ଏକ ଅଳିଆଗଦାରେ ରଖାଗଲା । ଏହି ଦରଖାସ୍ତ ସମ୍ପର୍କରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ସୀମାଞ୍ଚଳ ମିଶ୍ର ପୁନର୍ବାର ସମ୍ପୃକ୍ତ ଅଫିସରଙ୍କୁ ଦେଖା କରିବା ବେଳେ ଅଭିଯୋଗ ପ୍ରକୋଷ୍ଠର ଦାୟିତ୍ୱରେ ଥିବା କର୍ମଚାରୀ ଦରଖାସ୍ତଟିକୁ ୫ ଦିନ ରଖି ସାଧାରଣ ସମ୍ପାଦକଙ୍କ ସାମ୍ନାରେ ଉତ୍ତର ରଖି କହିଲେ, ମୁଁ ଏବେ ପଠାଉଛି । ବହୁତ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପ୍ରକୃତରେ କାର୍ଯ୍ୟକାରୀ କରୁନାହିଁ । ଏହା କେବଳ ନାମକୁ ମାତ୍ର । ଏଥିରୁ ବିଫଳ ହୋଇ ପୁନର୍ବାର ସଂଘ ବାଧ୍ୟ ହୋଇ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କୁ ଏକ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ମାଧ୍ୟମରେ ଅନୁରୋଧ କରାଗଲା । ସେହି ଚିଠି ମଧ୍ୟ ବିଚାରକୁ ନିଆଗଲା ନାହିଁ । ରାଜ୍ୟ ସରକାରଙ୍କୁ ବାରମ୍ବାର ଦୁଃଖ ଜଣାଇବା ପରେ ନିଯୁକ୍ତି ଅପେକ୍ଷାରତ ମୃତ କର୍ମଚାରୀ ପରିବାରର ସଦସ୍ୟ ସରକାରଙ୍କ ହୀନମାନ୍ୟତାର ଶିକାର ହୋଇ ବର୍ତ୍ତମାନ ଧାରଣାରତ । ଯଦି ସରକାର ଏହି ଗଣତାନ୍ତ୍ରିକ ଆନ୍ଦୋଳନକୁ ଚପାଇବା ପାଇଁ ପ୍ରୟାସ କରୁଛନ୍ତି ଓ ତାର କାରଣ କଣ ଏହା ଖୋଲାଖୋଲି ସାଧାରଣରେ ପ୍ରକାଶ କରିବା ପାଇ ସଂଘ ଦାବି କରୁଛି । ସରକାରଙ୍କ ଏତାଦୃଶ ଆଚରଣ ସମ୍ବିଧାନର କେଉଁ ପରିପନ୍ଥି ଓ ଏହା ମୃତ କର୍ମଚାରୀ ପରିବାରର ସଦସ୍ୟଙ୍କ କେଉଁ ସମସ୍ୟା ସମାଧାନ କରିବ? ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଦପ୍ତର ଓ ଜିଲ୍ଲା କାର୍ଯ୍ୟାଳୟ ମାନଙ୍କରେ ବିଚାରଧୀନ ଦରଖାସ୍ତ ଗୁଡ଼ିକୁ ବିଚାର କରିବା ସମୟରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ନିଷ୍ପତ୍ତି ଅନୁସାରେ ପଡ଼ି ରହିଥିବା ଆବେଦନ ପତ୍ର ସେହି ସମୟର ବିଜ୍ଞପ୍ତି ଅନୁଯାୟୀ ବିଚାର କରାଯିବ । ଆମ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ନ ମାନି ବର୍ତ୍ତମାନ ବିଜ୍ଞପ୍ତି ଅନୁଯାୟୀ ସମ୍ପୃକ୍ତ ଦରଖାସ୍ତକାରୀଙ୍କ ଦରଖାସ୍ତକୁ ନୂତନ ନିୟମ ଅନୁସାରେ ବିଚାର କରିବା ସାମ୍ବିଧାନିକ ବିରୋଧୀ ଓ ଆଇନ ସମ୍ମତ ନୁହେଁ ବୋଲି ଘୋଷଣା କରାଯାଇଛି । ଏହି ବିଚାରଧାରାକୁ ଆମ ରାଜ୍ୟ ସରକାର ଗ୍ରହଣ କରୁନାହାଁନ୍ତି । ଫଳରେ ଦରଖାସ୍ତକାରୀମାନେ ନ୍ୟାୟ ପାଇବାରୁ ବଞ୍ôଚତ ଅଛନ୍ତି । ବଡ଼ ବିିଚିତ୍ର କଥା, ରାଜ୍ୟ ସରକାର ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିଗୁଡ଼ିକୁ ବିଚାର କରୁଥିବା ବେଳେ ସେହି ନିୟମକୁ ଉଲଂଘନ କରି ରାଜ୍ୟ ଶିକ୍ଷାବିଭାଗ ବ୍ଲକଗ୍ରାଣ୍ଟ କର୍ମଚାରୀ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲ୍ ଏବଂ କଲେଜ କର୍ମଚାରୀମାନଙ୍କ କ୍ଷେତ୍ରରେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ଖଣ୍ଡନ କରି ଶିକ୍ଷା ବିଭାଗ ତାଙ୍କ ନିଜସ୍ୱ ନିୟମ ପ୍ରଣୟନ କରି ପୁନଃ ଥଇଥାନ ଯୋଜନାକୁ ନିଜସ୍ୱ ବିଭାଗର ବିଜ୍ଞପ୍ତି ଜରିଆରେ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି । ଏହା ଆଇନ ସମ୍ମତ ହୋଇନଥିବାରୁ ରାଜ୍ୟ ସରକାର ଶିକ୍ଷା ବିଭାଗର ଏତାଦୃଶ ଆଚାରଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।