ମୃତ ବ୍ୟକ୍ତିଙ୍କ ନାମରେ ଖାଉଟି ସାମଗ୍ରୀ ହଡପ ପ୍ରସଂଗ;ଅଭିଯୋଗର ଦୁଇ ମାସ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣା ଗ୍ରାମପଂଚାୟତ ଅନ୍ତର୍ଗତ ସଠଳପୁର ଗ୍ରାମର କୁଇନ ରାଉତଙ୍କ ମୃତ ଶାଶୁ ଓ ଶ୍ୱଶୁରଙ୍କ ନାମରେ ଖାଉଟି ସାମଗ୍ରୀ ଉଠୁଥିବାକୁ ନେଇ କୁଇନ ଅକ୍ଟୋବର ମାସ ୧୨ ତାରିଖରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତି କରି ନାଉଗାଁ ବ୍ଳକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତି ନଭେମ୍ବର ମାସ ୧୦ତାରିଖରେ କୁଇନଙ୍କ ଘରେ ପହଁଚି ତଦନ୍ତ କରିବା ସହିତ କୁଇନଙ୍କ ଠାରୁ ତାଙ୍କ ମୃତ ଶାଶୁ ଓ ଶଶୁରଙ୍କ ନାମରେ ଥିବା ଖାଉଟି କାର୍ଡ ସହିତ ଆବଶ୍ୟକ କାଗଜ ପତ୍ର ଆଣିଥିଲେ । ହେଲେ ଅଭିଯୋଗକୁ ୨ ମାସ ପୁରିବା ସହିତ ବ୍ଳକ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ତଦନ୍ତକୁ ୧ ମାସ ପୁରି ଯାଇଥିଲେ ମଧ୍ୟ କ’ଣ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଛି ବୋଲି କୁଇନ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ସଂପୃକ୍ତ ଡିଲର ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଯୋଗାଣ ବିଭାଗ ଉପରେ ଚାପ ପଡୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରକାଶ ଯୋଗ୍ୟ ଯେ ଖାଦ୍ୟ ସୁରକ୍ଷା ଯୋଜନାରୁ କୁଇନଙ୍କ ପରିବାରର ନାମ ବାଦ ପଡିଛି । ତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ଉକ୍ତ ଯୋଜନାରେ ସାମିଲ ହେବା ପାଇଁ କୁଇନ ବାରମ୍ବାର ଆବେଦନ କରିଥିଲେ । ଏହା ସତ୍ୱେ ବି ତାଙ୍କ ପରିବାରର ନାମକୁ ଯୋଜାନରେ ତାଲିକାଭୂକ୍ତ କରାଯାଇନଥିଲା । ଅନ୍ୟପଟରେ ତାଙ୍କ ଶାଶୁ ତୁଳସୀ ରାଉତଙ୍କ ନାମରେ ଏକ ଖାଉଟି କାର୍ଡ ନମ୍ବର-୧୨୦୬୦୧୧୦୯୧୧ ରହିଥିଲା । ଉକ୍ତ କାର୍ଡରେ କୁଇନିଙ୍କ ପରିବାରକୁ ସଂଯୋଗ କରିବା ପାଇଁ କୁଇନ ଆବେଦନ କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କରାଯାଇନାହିଁ । କିନ୍ତୁ ଦୀର୍ଘ ୨ ବର୍ଷ ହେବ କୁଇନଙ୍କ ଶାଶୁ ତୁଳସୀ ଓ ଶ୍ୱଶୁର ଭୀମସେନଙ୍କ ମୃତ୍ୟୁବରଣ ହୋଇସାରିଛି । ହେଲେ ଖାଦ୍ୟ ସୁରକ୍ଷା ପୋଟାର୍ଲରେ ତାଙ୍କ ମୃତ ଶାଶୁ ଓ ଶ୍ୱଶୁରଙ୍କ ନାମ ଥିବା ଜଣାଯାଇଛି । ଗୋଟିଏ ପଟେ କୁଇନଙ୍କ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଉ ନଥିବା ବେଳେ ଅନ୍ୟପଟେ ମୃତ ଶାଶୁ ଓ ଶ୍ୱଶୁରଙ୍କ ନାମରେ ଖାଦ୍ୟ ସାମଗ୍ରୀ ଉଠାଣ ହେଉଥିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ମୃତ ବ୍ୟକ୍ତିଙ୍କ ନାମରେ କିପରି ଦୀର୍ଘ ଦିନ ହେବ ସାମଗ୍ରୀ ଉଠୁଛି ଏବଂ ଫନି ସହାୟତା ଓ କରୋନା ରିଲିଫ ସହାୟତା କିଏ ହାତେଇଛନ୍ତି ନା ସରକାରଙ୍କୁ ଫେରସ୍ତ ହୋଇଛି ତାହା ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଇନି ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ