ମୋଜା ଶୁଙ୍ଘୁଥିଲେ ହୋଇଯାଆନ୍ତୁ ସାବଧାନ
ସାଧାରଣତଃ ମୋଜା ଦୁର୍ଗନ୍ଧ ହେଉଛି କି ନାହିଁ, ତାହା ଜାଣିବା ଲାଗି ଅନେକେ ଏହାକୁ ଶୁଂଘି ଦେଖିଥାନ୍ତି। ଯଦି ଆପଣଙ୍କର ମଧ୍ୟ ଏହି ଅଭ୍ୟାସ ରହିଛି, ତେବେ ସାବଧାନ ହୋଇଯାଆନ୍ତୁ। ଚୀନ୍ର ଜଣେ ବ୍ୟକ୍ତିଙ୍କ ମୋଜା ଶୁଂଘିବା ଅଭ୍ୟାସ କାରଣରୁ ଭୟଙ୍କର ଫୁସ୍ଫୁସ୍ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁସାରେ ଚୀନ୍ର ପେଙ୍ଗ ନାମକ ୩୭ ବର୍ଷୀୟ ବ୍ୟକ୍ତିଙ୍କ କାଶ ଓ ଛାତି ଯନ୍ତ୍ରଣା ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ଡାକ୍ତରମାନେ ଭାବିଥିଲେ ଯେ ପେଙ୍ଗ ନ୍ୟୁମୋନିଆ ରୋଗରେ ପୀଡ଼ିତ। ମାତ୍ର ଚିକିତ୍ସା ପରେ ମଧ୍ୟ ସମାନ ଲକ୍ଷଣ ଦେଖାଗଲା। ଡାକ୍ତରମାନେ ପେଙ୍ଗଙ୍କୁ ପଚାରିବାରୁ ତାଙ୍କର ମୋଜା ଶୁଂଘିବା ଅଭ୍ୟାସ ରହିଥିବା ସେ କହିଥିଲେ। ଡାକ୍ତରମାନେ ପରେ ଜାଣିବାକୁ ପାଇଥିଲେ ପେଙ୍ଗଙ୍କୁ ବିପଦଜନକ ଫୁସ୍ଫୁସ୍ ସଂକ୍ରମଣ ହୋଇସାରିଛି। ଏହାକୁ ପଲ୍ମନାରୀ ଫଙ୍ଗଲ ଡିଜିଜ୍ କୁହାଯାଏ। ଡାକ୍ତରଙ୍କ କହିବାନୁସାରେ ପେଙ୍ଗ ମଇଳା ମୋଜାର ଫଙ୍ଗଲ ଜୀବାଣୁକୁ ଶ୍ବାସ ଜରିଆରେ ଭିତରକୁ ନେଉଥିଲେ। ଯାହାଫଳରେ ତାଙ୍କର ଫୁସ୍ଫୁସ୍ ସଂକ୍ରମଣ ରୋଗ ହୋଇଛି। ପଲ୍ମନାରୀ ଫଙ୍ଗଲ ଡିଜିଜ୍ ବା ଏସ୍ପରଗିଲସ୍ କାରଣରୁ ଶ୍ବାସ ପ୍ରକ୍ରିୟାରେ ଖରାପ ପ୍ରଭାବ ପଡ଼ିଥାଏ। ମାତ୍ର ଏହାର ଲକ୍ଷଣ ଓ ପରିଣାମ ବହୁତ ଅଲଗା ଅଲଗା। ଏହି ସଂକ୍ରମଣ ମିଲ୍ଡ୍ୟୁ ପାଇଁ ହୋଇଥାଏ। ଏହା ଘର ଭିତର ଓ ବାହାର ସବୁ ସ୍ଥାନରେ ମିଳିଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କ ଅଧିକ ମାତ୍ରାରେ ଏହି ମିଲ୍ଡ୍ୟୁ ପାଇଁ ହେଉଥିବା ସଂକ୍ରମଣର ପ୍ରଭାବ ଅଧିକ ମାତ୍ରାରେ ପଡ଼େ। ଏହି ସଂକ୍ରମଣ ହେବା ପରେ ଶ୍ବାସ ପ୍ରକ୍ରିୟାରେ ସମସ୍ୟା, କାଶରେ ରକ୍ତ ପଡ଼ିବା ଭଳି ଲକ୍ଷଣ ସାମ୍ନାକୁ ଆସିଥାଏ। ତେବେ ପେଙ୍ଗ ଏବେ ଧିରେ ଧିରେ ସୁସ୍ଥ ହେଉଥିବା ଡାକ୍ତର କହିଛନ୍ତି।


