ମୋଦିଙ୍କୁ ହତ୍ୟା ଧମକ୍ ଦେଲେ କଂଗ୍ରେସ ନେତା

ମୋଦିଙ୍କୁ ହତ୍ୟା ଧମକ୍ ଦେଲେ କଂଗ୍ରେସ ନେତା
ବେଙ୍ଗାଲୁରୁ(ଏଜେନ୍ସି): କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ବେଲୁର ଗୋପାଳକ୍ରିଷ୍ଣା ଆଜି ଏକ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ହତ୍ୟା କରିବାକୁ ଚାହାନ୍ତି ବୋଲି ଖୋଲାଖୋଲି ଭାବେ କହିଛନ୍ତି । ଏସମ୍ପର୍କରେ ରାଜ୍ୟ ବିଜେପି ପକ୍ଷରୁ ଟ୍ୱିଟର ପୃଷ୍ଠାରେ ଜାରି କରାଯାଇଥିବା ଏକ ଭିଡିଓରେ ଗୋପାଳକ୍ରିଷ୍ଣା ଏପ୍ରକାର ବିବାଦୀୟ ମନ୍ତବ୍ୟ ଦେଇଥିବା ସ୍ପଷ୍ଟ ହୋଇଛି । ଏଥିରେ ସେ ନିଜ ସମର୍ଥକଙ୍କୁ ଆହ୍ୱାନ କରି କହୁଛନ୍ତି, ବିଜେପି ଆଜି ବି ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେଙ୍କ ପ୍ରଶଂସା କରୁଛି । ବିଶେଷକରି ପ୍ରଧାନମନ୍ତ୍ରୀ ମୋଦି ଜଣେ ହିଂସାବାଦୀ ନେତା ହୋଇଥିବାରୁ ଏମିତି ଲୋକ ଦେଶରେ ରହିବାର ଆବଶ୍ୟକ ନାହିଁ । ତେଣୁ ତାଙ୍କୁ ହତ୍ୟା କରାଯିବା ଉଚିତ୍ । ଗୋପାଳକ୍ରିଷ୍ଣା ଏହା ମଧ୍ୟ କହୁଛନ୍ତି ଯେ, ଯଦି ମୋଦିଙ୍କୁ ମାରିଦିଆଯାଏ, ତେବେ ଆଉ କାହାକୁ ହତ୍ୟା କରିବା ଆବଶ୍ୟକ ନାହିଁ । ଅନ୍ୟପକ୍ଷେ ଏପ୍ରକାର ବିବାଦୀୟ ମନ୍ତବ୍ୟ ପାଇଁ ଗୋପାଳକ୍ରିଷ୍ଣାଙ୍କୁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରୁ ବୋଲି କର୍ଣ୍ଣାଟକ ବିଜେପି ଦାବି କରିଛି । ଲୋକତନ୍ତ୍ର ଆଧାରରେ ବଛା ଯାଇଥିବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି ଖୋଲାଖୋଲି ହତ୍ୟା ଧମକ ଦେବା ନେଇ କଂଗେସ ନେତା ଗୋପାଳକ୍ରିଷ୍ଣାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ବିଜେପି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆହ୍ୱାନ କରିଛି । ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ଗୋପାଳକ୍ରିଷ୍ଣା ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ବିଜେପିରେ ଥିବା ସମୟରେ ତାଙ୍କୁ ଇଚ୍ଛା ମୁତାବକ ଆସନରୁ ଟିକଟ ନ ମିଳିବା କାରଣରୁ ସେ ବିଜେପି ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ