ମୋଦି ଓ ଶାହାଙ୍କ ଗସ୍ତ ବିରୋଧରେ ବିକ୍ଷୋଭ କଲା ପ୍ରଦେଶ ଯୁବ କଂଗ୍ରେସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶନିବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବିରୋଧରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମ୍‌ଜିଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲା । ସେଠାରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ୍‌ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯୁବ କଂଗ୍ରେସ କର୍ମୀମାନେ ହାତରେ କଳା ବେଲୁନ୍‌, ମୁଣ୍ଡରେ କଳା ପଟି ଏବଂ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଅଗ୍ରସର ହେଉଥିବା ବେଳେ, ପୋଲିସ୍ ଯୁବ କଂଗ୍ରେସ କର୍ମୀମାନଙ୍କୁ ବିକ୍ଷୋଭସ୍ଥଳରୁ ଗିରଫ କରି ଭ୍ୟାନ ଯୋଗେ ଉଠାଇ ନେଇଥିଲା ।
ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୋଦି ଓ ଶାହାଙ୍କ ଗସ୍ତ ଓଡ଼ିଶାର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ । ବିଜେପି ଶାସନର ୬ ମାସରେ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ ଏଠାରେ ଡିଜି ଓ ଆଇଜି ସମ୍ମିଳନୀର ମୂଲ୍ୟ କଣ ଅଛି? ଓଡ଼ିଆ ଅସ୍ମିତା କେବଳ ଶବ୍ଦରେ ସୀମିତ ରହିଛି । ଗତ ଜୁଲାଇ ମାସରେ ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିବା ବେଳେ ପୋଲିସ୍ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିନାହିଁ । ଏ ରାଜ୍ୟରେ ଦୁଇଟି ଆଇନ କାମ କରୁଛି, ଗୋଟିଏ ରାଜ୍ୟପାଳ ପୁଅଙ୍କ ପାଇଁ ଏବଂ ଅନ୍ୟଟି ସାଧାରଣ ଜନତାଙ୍କ ପାଇଁ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟ ଶଠ ଶିଳ୍ପପତି ଅଦାନୀ ସମଗ୍ର ଓଡ଼ିଶାକୁ ଅଧିକାର କରିବାକୁ ପ୍ରଚେଷ୍ଟା ଜାରି ରଖିଛି । ଧାମରା ଓ ଗୋପାଳପୁର ବନ୍ଦର ଅଧିକୃତ କରିଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରକୁ ମଧ୍ୟ ଦଖଲ କରିଛି । ଗନ୍ଧମାର୍ଦ୍ଦନ ପର୍ବତକୁ ମଧ୍ୟ ଅଦାନୀ ହାତରେ ଟେକି ଦେବା ପାଇଁ ଚକ୍ରାନ୍ତ ଚାଲିଛି । ଏ ରାଜ୍ୟର ଖଣି, ଖାଦାନକୁ ଧୀରେ ଧୀରେ ଅଦାନୀ ଅଧିକାର କଲାଣି । ସୁତରାଂ ବିଜେପି ଶାସନରେ ସମଗ୍ର ଓଡ଼ିଶାର ସମ୍ପଦ ଅଦାନୀ ଅଧିନକୁ ଚାଲିଯିବ । ଏଣୁ ଠକ ଅଦାନୀମୁକ୍ତ ଓଡ଼ିଶା ପାଇଁ ଯୁବ କଂଗ୍ରେସ ସଂଗ୍ରାମ କରିବ ।
ଏହାଛଡ଼ା ୩୦୦ ୟୁନିଟ୍ ମାଗଣା ବିଜୁଳି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଧାର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ, ଦରଦାମ ବୃଦ୍ଧି ନିୟନ୍ତ୍ରଣ, ନିଯୁକ୍ତି ପ୍ରଭୃତି ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ୬ ମାସ ଶାସନ ପରେ ସେହି ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି । ଆଜି ଓଡ଼ିଶାବାସୀ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ଯୋଗୁ ହନ୍ତସନ୍ତ ହେଉଛିନ୍ତି । ଗୁଜୁରାଟର ଠକ କମ୍ପାନୀ ରଣଜିତ ବିଲ୍‌ଡକନ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣର ଦାୟିତ୍ୱ ନେଇଛି । ଭୁବନେଶ୍ୱରବାସୀ ଏହି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆନନ୍ଦିତ ଥିଲେ, ମାତ୍ର ଯେଉଁ କମ୍ପାନୀ ଏହି ଦାୟିତ୍ୱ ନେଇଛି ସେଥିପାଇଁ ସମସ୍ତେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । କାରଣ ଏହା ଏକ କଳା ତାଲିକାଭୁକ୍ତ କମ୍ପାନୀ । ଯେଉଁଠାରେ ଏହି କମ୍ପାନୀ ବ୍ରିଜ୍ ନିର୍ମାଣ କରିଛି, ତାହା ଭୁଷୁଡ଼ି ପଡ଼ିଛି । ନିମ୍ନମାନର ରେଳଟ୍ରାକ୍‌, ରାସ୍ତା, ସ୍ୱେରେଜ ଓ ବ୍ରିଜ କାମ ଯୋଗୁ ଏହି କମ୍ପାନୀକୁ ଗୁଜୁରାଟ, ମଧ୍ୟପ୍ରଦେଶ ଓ ତାମିଲନାଡୁ ସରକାର କଳା ତାଲିକାଭୁକ୍ତ କରିଥିଲେ । ଏହି କମ୍ପାନୀ ଗୁଜୁରାଟ ସରକାରଙ୍କ କାଗଜପତ୍ର ଜାଲିଆତି କରି ରେଳବାଇରୁ କୋଟି କୋଟି ଟଙ୍କା ଠକି ନେଇଛି । ତେଣୁ ଏଭଳି ଏକ କମ୍ପାନୀକୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କରିବା ପାଇଁ ଯେଉଁ ଟେଣ୍ଡର ଦିଆଯାଇଛି ତାକୁ ରଦ୍ଦ କରିବାକୁ ଯୁବ କଂଗ୍ରେସ ଦାବି କରିଛି । ଏହି ବିକ୍ଷୋଭରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ୟାସିର ନୱାଜ, ମନୋଜ ବିଶ୍ୱାଳ, ସୁଦୀପ ସାମଲ, ଅଜୟ ସାହୁ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, ବିଶ୍ୱଜିତ ସ୍ୱାଇଁ, କେଦାର ଦଳେଇ, ରଣଜିତ ସେନାପତି, ବଳରାମ ନନ୍ଦ, ସୁରଜ ରାଉତ, ବିଭୂପ୍ରସାଦ ଜେନା, କାର୍ତ୍ତିକ କାଣ୍ଡି, ଶାହରୁଖ୍ ଖାନ, ସକୁନା କଅଁର ପ୍ରମୁଖ ଶତାଧିକୀ ଯୁବ କଂଗ୍ରେସ କର୍ମୀ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ