ମୋଦୀଙ୍କ ମିଶନ କାଶ୍ମୀର, ସରକାରୀ ବଙ୍ଗଳାରୁ ବିଦା ହେଲେ ଗୁଲାମ ନବୀ ଆଜାଦ
ଶ୍ରୀନଗର: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ଶ୍ରୀନଗରର ଭିଭିଆଇପି ଜୋନରେ ଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି । ଆଜାଦଙ୍କ ଛଡା ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଉମର ଅବଦୁଲ୍ଲାଙ୍କୁ ନଭେମ୍ବର ୧ ତାରିଖ ମଧ୍ୟରେ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ଜମ୍ମୁକାଶ୍ମୀର ପୁନର୍ଗଠନ ଅଧିନିୟମ ମୁତାବକ ଜାରି କରାଯାଇଛି । ପ୍ରକୃତରେ ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ଅଧିକାର ଦେଉଥିବା ଅନୁଛେଦ ୩୭୦କୁ ପ୍ରଭାବଶୂନ୍ୟ କରିଦିଆଯାଇଥିଲା । ଯେଉଁଥିପାଇଁ ପୂର୍ବ ମୁଖ୍ୟମନ୍ତ୍ରୀମାନଙ୍କୁ ମିଳୁଥିବା ସୁବିଧାକୁ ପ୍ରତ୍ୟାହାର କରିନିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜମ୍ମୁକାଶ୍ମୀର ରାଜ୍ୟ ବିଧାନମଣ୍ଡଳ ସଦସ୍ୟ ପେନସନ ଅଧିନିୟମ ୧୯୮୪ ଦ୍ୱାରା ସରକାରୀ ସମ୍ପତ୍ତି ଓ ସୁଖ ସୁବିଧାର ଲାଭ ଉଠାଉଥିଲେ । ଏହି ନିୟମ ଦ୍ୱାରା ଆଜୀବନ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ସରକାରୀ ବଙ୍ଗଳାରେ ରହିବାର ସୁଯୋଗ ଦିଆଯିବା ସହ କୌଣସି ଶୁଳ୍କ ଆଦାୟ କରାଯାଉନଥିଲା । ତେବେ ଏହି ଫାଇଦା ନଭେମ୍ବର ୧ ତାରିଖରେ ସମାପ୍ତ ହୋଇଯିବ । କାରଣ ନଭେମ୍ବର ୧ ତାରିଖରୁ ଜମ୍ମୁକାଶ୍ମୀର ପୁନର୍ଗଠନ ବିଧେୟକ ୨୦୧୯ କାର୍ଯ୍ୟକାରୀ ହେବ ।


