ମୋଦୀ – ଆଦାନୀ ମହାକିଳେଙ୍କାରୀକୁ ନେଇ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ମୋଦୀ – ଆଦାନୀ କିଳେଙ୍କାରୀକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ କଂଗ୍ରେସ ଦଳ ଭାରତବର୍ଷର ଜନସାଧାରଣଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଏବଂ ଦେଶର ସମ୍ପତ୍ତିକୁ ରକ୍ଷା କରିବା ପାଇଁ ଜନସାଧାରଣଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସଂସଦ ଠାରୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ଲଢେଇ କରୁଛି । ଆଜି ଆମେ ଯେଉଁ ଭାରତବର୍ଷ ଦେଖୁଛୁ ତାହା ବିଗତ ଦିନର ସରକାର ଏବଂ ଦେଶର ଚିନ୍ତାନାୟକମାନଙ୍କର କଠିନ ପରିଶ୍ରମର ଫଳ । ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ଏବଂ ସରକାର ଓ ତାଙ୍କ ଦଳ ଦ୍ୱାରା ଯେଉଁଭଳି ଭାବରେ ଭାରତବର୍ଷରେ ହିଂସା, ଘୃଣା ଓ ବିଦ୍ୱେଶ ସୃଷ୍ଟି କରିବାରେ ଲାଗିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏଥିପାଇଁ ଏକ ଦାୟୀତ୍ୱସମ୍ପନ୍ନ ବିରୋଧି ଦଳ ହିସାବରେ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉଏବଂ ଏହି ଦାୟୀତ୍ୱକୁ କଂଗ୍ରେସ ଦଳ ନିର୍ବାହ କରିବାରେ ବଦ୍ଧ ପରିକର । ଠିକ ଏହି ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ସମସ୍ତ ସମ୍ପତ୍ତି ଏବଂ ଦେଶର କୋଟି କୋଟି ଜନସାଧାରଣଙ୍କ ବ୍ୟାଙ୍କରେ ଥିବା ସଂଚୟ ରାଶି ଓ ଏଲ.ଆଇ.ସି. ଭଳି ସଂସ୍ଥାରେ ଥିବା ଜମା ପୁଞ୍ଜିକୁ ନିଜର କ୍ଷମତା ବଳରେ ଚାପ ପ୍ରୟୋଗ କରି ଆଦାନୀ ବ୍ୟବସାୟୀ ସାମ୍ରାଜ୍ୟକୁ ବୃଦ୍ଧି କରିବା ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି । ୨୦୧୪ମସିହା ବେଳକୁ ଗୈାତ୍ତମ ଆଦାନୀଙ୍କ ସ୍ଥାନ ବିଶ୍ୱ ଧନୀ ତାଲିକାରେ ୬୦୯ଥିଲା । ତାଙ୍କ କମ୍ପାନୀଙ୍କ ସମୁଦାୟ ବ୍ୟବସାୟୀକ ସମ୍ପତ୍ତି ୫୨ହଜାର କୋଟି ଟଙ୍କା ଥିଲା । କିନ୍ତୁ ଏହି ୯ବର୍ଷ ଭିତରେ ୨୦୨୨ମସିହା ଶେଷ ସୁଦ୍ଧା ଗୈାତ୍ତମ ଆଦାନୀ ବିଶ୍ୱର ତୃତୀୟ ବୃହତ୍ତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ । ଏହି ୯ବର୍ଷ ଭିତରେ ଆଦାନୀ ଗ୍ରୁପର ବ୍ୟବସାୟୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲମ୍ବି ଯାଇଛି । ଯଥା ବନ୍ଦର, ଜାତୀୟ ରାଜପଥ, ବିମାନ ବନ୍ଦର, ସିମେଣ୍ଟ, ରେଳ, କଣ୍ଟେନର, ବିଦ୍ୟୁତ ଆବଣ୍ଟନ, ତାପଜ ଶକ୍ତି ବିଦ୍ୟୁତ ଉତ୍ପାଦନ, ପ୍ରଦ୍ୟୁଷଣ ମୁକ୍ତ ଶକ୍ତି ଉତ୍ପାଦନ, ସାମରିକ ଯନ୍ତ୍ରାଂଶ ଏବଂ ଖାଦ୍ୟ ଦ୍ରବ୍ୟ ପ୍ରଭୃତି । ଏହି ୯ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦିଷ୍ଟ ଅଳ୍ପକିଛି ପୁଞ୍ଜିପତିଙ୍କ ହାତକୁ ଭାରତବର୍ଷର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ଜାନୁଆରୀ ୨୪ତାରିଖରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତବର୍ଷ ଏବଂ ସାରା ବିଶ୍ୱରେ ପୁଞ୍ଜି ବଜାର ଏବଂ ନିବେଶକମାନେ ଚିନ୍ତାରେ ପଡିଯାଇଛନ୍ତି । ସେହି ରିପୋର୍ଟରେ ଆଦାନୀ ଗ୍ରୁପ ଅଫ କମ୍ପାନୀର ସେୟାରକୁ ଜାଣିଶୁଣି ବହୁ ମୂଲ୍ୟ ବଢାଯାଇଥିବା ବେଳେ ଆଦାନୀ ଗ୍ରୁପର ଋଣ ପରିଶୋଧ କରିବା ଏବଂ ଇକ୍ୟୁଡିଟି ସ୍ଥିତି ଏବଂ ସାମଗ୍ରିକ ନୀତିନିୟମକୁ ପାଳନ କରାଯାଇନଥିବା ଅଙ୍ଗୁଳି ନିର୍ଦେଶ କରିଛି । ଏପରିକି ମରିସର୍ସ ଏବଂ ଅନ୍ୟବନ୍ଧୁ ଦେଶରେ ମିଛ କମ୍ପାନୀ ସୃଷ୍ଟି କରି ତାହାରି ମାଧ୍ୟମରେ ବିଦେଶରୁ କୋଟି କୋଟି ଟଙ୍କା ଠକି ନେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଭାରତବର୍ଷର ଜାତୀୟ ବ୍ୟାଙ୍କମାନେ ୮୦ହଜାର କୋଟି ଟଙ୍କା ଆଦାନୀ ଗ୍ରୁପ କମ୍ପାନୀରେ ପୁଞ୍ଜି ବିନିଯୋଗ କରିଛନ୍ତି । ଏଲ.ଆଇ.ସି. ୩୬ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିଛି । ଏ ସମସ୍ତ ପୁଞ୍ଜି ବିନିଯୋଗ ସରକାରଙ୍କର ବିନା ଅନୁମତି ଓ ଚାପ ପ୍ରୟୋଗ ବିନା ସମ୍ଭବ ହେବ ନାହିଁ । ଆଜି ଆଦାନୀର କମ୍ପାନୀ ସେୟାର ମୂଲ୍ୟ ବହୁ ପରିମାଣରେ କମିଯିବା ଯୋଗୁଁ ଏଲ.ଆଇ.ସି. ଏବଂ ଭାରତୀୟ ବ୍ୟାଙ୍କ ମାନଙ୍କର ପାଖାପାଖି ୪୫ହଜାର କୋଟି ଟଙ୍କା କ୍ଷତି ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । କୋଟି କୋଟି ଭାରତୀୟଙ୍କ ଅର୍ଥ ରାଶିକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ବିଜେପି ସରକାର ଜାଣିଶୁଣି ସୁରକ୍ଷିତ ରଖିଲେ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଦେଶ ପାଇଁ ଏହା ମହାବିପଦ ସୃଷ୍ଟି କରିଛି । ରାହୁଲ ଗାନ୍ଦୀଙ୍କ ବକ୍ତବ୍ୟକୁ ଲୋକସଭା ବିବରଣୀରୁ ବାଦ ଦିଆଯାଇଥିବାରୁ ତାହାକୁ ବିବରଣୀରେ ସଂଶ୍ଳିଷ୍ଟ କରାଯିବାକୁ କଂଗ୍ରେସ ଦାବି କରିଛି । କେନ୍ଦ୍ରର ବିଜେପି ସରକାରର ଏଭଳି କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ଏହା ବିରୋଧରେ ପ୍ରତିବାଦ ସଭା ଓ ଆନ୍ଦୋଳନ କରାଯିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଂଗ୍ରେସ କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ଜୟନ୍ତୀ ମହାନ୍ତି, କୋଷାଧ୍ୟକ୍ଷ ଉମାଶଙ୍କର ଜେନା, ଲୋକସଭା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରକାଶ ସାମଲ, ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ