ମୋରାରୀ ବାପୁଙ୍କ ବିରୁଦ୍ଧରେ ଏତାଲା ଦାୟର କଲା କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା

ଧର୍ମଗଡ, (ଓ୍ୱାଇଏନ୍‌ଏସ୍‌): ପ୍ରବଚକ ମୋରାରୀ ବାପୁ କୃଷ୍ଣ, ବଳରାମ ଓ ଯଦୁକୁଳ ଉପରେ ଅଭଦ୍ରୋଚିତ ଟିପ୍ପଣୀ ପ୍ରଦାନ କରିଥିବାରୁ ଦେଶ ସାରା ଅସନ୍ତୋଷର ବାତାବରଣ ଦେଖାଯାଇଛି । ମୋରାରୀ ବାପୁଙ୍କ ଏହି ଅପଶବ୍ଦକୁ ଦେଶସାରା ନିନ୍ଦା କରାଯାଉଛି । ଗୁଜରାତର ଏହି ପ୍ରବଚକଙ୍କ ବିରୁଦ୍ଧରେ ଦେଶର ବିଭିନ୍ନ ଥାନାରେ ଏତେଲା ଦିଆଯାଉଛି । ସେହି କ୍ରମରେ ଧର୍ମଗଡ ଥାନାରେ ମୋରାରୀ ବାପୁଙ୍କ ବିରୁଦ୍ଧରେ ଏତାଲା ଦେଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଧର୍ମଗଡ ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏତାଲା ପ୍ରଦାନ କରିଥିଲେ । ଏଥିରେ ଦର୍ଶାଯାଇଛି ଯେ, ପ୍ରବଚକ ମୋରାରୀ ବାପୁ ‘ଆସ୍ଥା’ ଚାନେଲରେ ଭଗବାନ ଶ୍ରୀକୃଷ୍ଣ, ବଳରାମ ଓ ଯଦୁକୁଳ ସମ୍ବନ୍ଧରେ ଅନେକ ଆପତ୍ତିଜନକ ଓ ଅପମାନଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଯାହା ଯାଦବ ସଂପ୍ରଦାୟ ଓ କୃଷ୍ଣଭକ୍ତମାନଙ୍କୁ ବ୍ୟଥିତ କରିଛି । ଭଗବନ ଶ୍ରୀକୃଷ୍ଣ ଓ ତାଙ୍କ ବଂଶଜମାନଙ୍କ ଉପରେ ପ୍ରବଚକ ମୋରାରୀ ବାପୁଙ୍କ ଅପଶବ୍ଦକୁ ଅଖିଳ ଭାରତବର୍ଷୀୟ ଯୁବ ଯାଦବ ମହାସଭା ଘୋର ନିନ୍ଦା କରୁଛି। ଏହାସହ ମହାସଭା ମୋରାରୀ ବାପୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଯଦି ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଗାଁରୁ ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଛି ଯୁବ ଯାଦବ ମହାସଭା ।କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ, “ମୋରାରୀ ବାପୁ ଶ୍ରୀକୃଷ୍ଣଙ୍କୁ ଫ୍ଲପ୍ କହିବା ସହ ବଳରାମ ୨୪ ଘଣ୍ଟା ମଦ୍ୟପାନ କରୁଥିଲେ ବୋଲି ଅବାନ୍ତର ଯୁକ୍ତି ବାଢିଛନ୍ତି । ଏହାସହ ଯଦୁବଂଶଜ ମାନଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହଁ । କଥା କଥିତ ସନ୍ଥ ମୋରାରୀ ବାପୁଙ୍କ ଏହି ଶଦ୍ଦାବଳୀ ଦେଶର କୋଟି କୋଟି ଯାଦବଙ୍କ ମନରେ ସନ୍ତାପ ସୃଷ୍ଟି କରିଛି । ତେଣୁ ଯାଦବ ସମାଜ ପାଖରେ ମୋରାରୀ ବାପୁ କ୍ଷମା ଭିକ୍ଷା କରନ୍ତୁ ।ଧର୍ମଗଡ ଥାନା ଅଧିକାରୀଙ୍କ ଠାରେ ଏତାଲା ଦର୍ଜ କରିବା ସମୟରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଂପାଦକ ଲିଙ୍ଗରାଜ ବେହେରା, ଉପସଭାପତି ଡାକେଶ୍ବର ଲହଜଲ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଧର୍ମଗଡ ବ୍ଲକ ଯାଦବ ସମିତି ସଭାପତି ଶଙ୍କର ଯୁଏଡ, ଯୁବ ଯାଦବ ତୁଲମଣି ନାଗ, ଆଦିତ୍ୟ ହଂସ, ଧର୍ମଗଡ ବ୍ଲକ ଯୁବ ଯାଦବ ସଭାପତି ଲବଣୀ ରାଉତ, ସଂପାଦକ କାର୍ତ୍ତିକ ଛତ୍ରିଆ ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ