ମୋ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଓଡିଶା ସୂଚନା ଅଧିକାର ଆନ୍ଦୋଳନର ନେତା ତଥା “ମୋ ଦଳ”ର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ରାକନୈତିକ ଉଦ୍ଦେଶ୍ୟମୂଳକ ଭାବେ ଗିରଫଦାରୀ କରାଯିବା ଏବଂ ତାଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର ସହିତ ଶ୍ରୀ ପ୍ରଧାନଙ୍କୁ ନିସର୍ତ୍ତ ଖଲାସ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ମୋ ଦଳ” ପକ୍ଷରୁ ଆଜି ଗଣଧାରଣା ଦିଆଯାଇଥିଲା । ଏଥି ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । “ମୋ ଦଳ” ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରାଜ୍ୟର ଜଣାଶୁଣା ସୂଚନା ଅଧିକାର କର୍ମୀ ତଥା “ମୋ ଦଳ”ର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଓଡିଶା ପୋଲିସ ଗତ ଅକ୍ଟୋବର ୨୮ ତାରିଖରେ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଛି । ଯଦିଓ ପୋଲିସ କୋର୍ଟ ନିର୍ଦ୍ଦେଶରେ ତାଙ୍କୁ ଗିରଫ କରିଥିବା କହୁଛି, ଏହା ସବୁଠୁ ଲଜ୍ଜ୍ୟାକର ଓ କ୍ଷୋଭର ବିଷୟ ଯେ ଶ୍ରୀ ପ୍ରଧାନଙ୍କ ନାମରେ ସରକାର ବିଭିନ୍ନ ମିଥ୍ୟା ମକଦ୍ଦମା ଦାୟର କରିଛନ୍ତି । ଯେଉଁ ଯେଉଁ ଆନ୍ଦୋଳନରେ ଶ୍ରୀ ପ୍ରଧାନ ଆଦୌ ଉପସ୍ଥିତ ନଥିଲେ ବା ଉପସ୍ଥିତ ଥିଲେ ବି ଠେଲାପେଲା, ଗଡାପଡାରେ କିମ୍ବା ମହିଳା କନେଷ୍ଟବଳଙ୍କୁ ଆଦୌ ଅସତ୍ ବ୍ୟବହାର କରି ନଥିଲେ ସୁଦ୍ଧା ତାଙ୍କ ନାମରେ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସଙ୍ଗୀନ ଦଫା ଶାସକ ଦଳର ରାଜନୈତିକ ଇଙ୍ଗୀତରେ ଲଗାଯାଇଛି । ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସଂଗ୍ରାମ କରୁଥିବା ରାଜନେତାଙ୍କ ବିରୋଧରେ ଲଗାଇଥିବା ଏହି ମାମଲା କେତେଦୂର ସତ୍ୟ ଓ ତଥ୍ୟ ଆଧାରିତ ତାହାକୁ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଯାଇ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଓ “ମୋ ଦଳ”ର ମହାସଚିବ ଶ୍ରୀ ପ୍ରଧାନଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ସହିତ ତାଙ୍କୁ ନିସର୍ତ୍ତ ଖଲାସ କରାଯିବାକୁ ସେମାନେ ଦାବି କରିଛନ୍ତି । ଏଣୁ ରାଜ୍ୟପାଳ ଏହି ଘଟଣାରେ ହସ୍ତକ୍ଷେପ କରି ବାକ୍ ସ୍ୱାଧିନତାର ଅଧିକାର ଓ ଅନ୍ୟାନ୍ୟ ସାମ୍ବିଧାନିକ ଅଧିକାର ଯେଉଁଭଳି ଭାବରେ ସଙ୍କୁଚିତ କରାଯାଉଛି ତାହାର ପ୍ରତିକାର କରିବା ସହିତ ପୋଲିସ ମାତ୍ରାଧିକ ରାଜନୈତିକ ହାତବାରିସି ହେବା ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ “ମୋ ଦଳ” ପକ୍ଷରୁ ଦାବି କରାଯାଇଛି । ମୋଦଳ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ସଭାପତି ଅକ୍ରୁର ଚରଣ ପଲାଇ, ସମ୍ପାଦକ ଦୋଳ ଗୋବିନ୍ଦ ସାହୁ, ଉପଦେଷ୍ଟା ଦାଶରଥୀ ସାହୁ, ପ୍ରତାପ ଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ କୁମାର ଭୂୟାଁ, ଘନଶ୍ୟାମ ବଳ, ରବିନ୍ଦ୍ର ନାୟକ, ନାରାୟଣ ବେହେରା, ଶିଶିର କୁମାର ଓଝା, ରମେଶ ଚନ୍ଦ୍ର ଓଝା, ବୈଷ୍ଣବ ଖଣ୍ଡାଇ, ଦିବାକର ସାହୁ, ନିରଞ୍ଜନ ରଣା, ସଚିତ୍ର ନାଉରୀ, ଭାଗବତ ଲେଙ୍କା, ଭାରତ ଭୂଷଣ ସାହୁ, ରାଜ କିଶୋର ବେହେରା, ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖ ଗଣଧାରଣା ଦେବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।