ମୋ ସ୍ଲୁଲ କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାଳୟର ରୂପାନ୍ତରୀକରଣ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ଜରୁରୀ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ସୋମବାର ଅପରାହ୍ଣରେ ସ୍ଥାନୀୟ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଗସ୍ତ ପରିପ୍ରେକ୍ଷୀରେ ଶ୍ରୀ ରାଉତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ପ୍ରଭା ଦାଶ ଓ କ୍ରୀଡା ପ୍ରଶିକ୍ଷକ ଶ୍ରୀ ଶରତ କୁମାର ବସନ୍ତରାୟଙ୍କ ସହିତ ବିଦ୍ୟାଳୟର ସମସ୍ୟା ନେଇ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏହି ସ୍କୁଲକୁ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଅଧିକ ସୁବିଧା ମିଳିପାରିବ ଏବଂ ଏ ଦିଗରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ସହଯୋଗର ଆବଶ୍ୟକତା ସଂପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ସଂପ୍ରତି ଡି.ଆଇ.ପି.ଆର .ଓ ଶ୍ରୀ ରାଉତ ଏହି ସ୍କୁଲର ପୁରାତନ ଛାତ୍ର ଅଟନ୍ତି । ଏହି ସରକାରୀ ଉଚ୍ଚ ବିଦ୍ୟାଳୟଟି ୫୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏହି ସ୍କୁଲରୁ ବହୁ ମେଧାବୀ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ସମାଜର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଅଛନ୍ତି । ଏବେ ଏହି ସ୍କୁଲରେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନରତ । ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି ଗସ୍ତ ସମୟରେ ଶ୍ରୀ ରାଉତ, ବିଦ୍ୟାଳୟ କ୍ୟାମ୍ପସରେ ପାଣି ଜମି ରହୁଥିବାରୁ ଏହାର ଉଚ୍ଚତା ବୃଦ୍ଧିର ଆବଶ୍ୟକତା, ଛାତ୍ରଛାତୀଙ୍କ ସୁବିଧା ପାଇଁ ସାଇକେଲ ସେଡର ବ୍ୟବସ୍ଥା, ଶ୍ରେଣୀ ପ୍ରକୋଷ୍ଠଗୁଡିକର ଆଧୁନିକୀକରଣର ଆବଶ୍ୟକତା ଆଦି ସଂପର୍କରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଅବଗତ ହେବା ସହିତ ନିଜେ ଅସୁବିଧା ଉପଲବ୍‌ଧି କରିଥିଲେ । ଏ ଦିଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ, ସହପାଠୀଙ୍କ ସହଯୋଗରେ କିପରି ବିଦ୍ୟାଳୟର ରୂପାନ୍ତରୀକରଣ ହୋଇପାରିବ, ସେ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଚେଷ୍ଠା କରିବାକୁ ଶ୍ରୀ ରାଉତ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ