ମୌଳିକ ସୁବିଧା ନ ପାଇ ଲୋକେ ତେଲଙ୍ଗାନା ଓ ଆନ୍ଧ୍ର ମୁହାଁ ।

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାର ରାୟଗଡ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ ବର୍ତ୍ତମାନ ସୁଦ୍ଧା ସମ୍ପୁର୍ଣ୍ଣ ଅବହେଳିତ ଓ ଅପହଞ୍ଚଅଞ୍ଚଳ ଭାବେ ରହିଛି । ଏଠାକାର ଲୋକେ ରାସ୍ତାଘାଟ,ଗମନା ଗମନ,ସ୍ୱାସ୍ଥ୍ୟସେବା,ଶିକ୍ଷା,ପାନୀୟ ଜଳ ଯୋଗାଣ ଆଦି ସମସ୍ତ କ୍ଷେତ୍ରରେ ସରକାରୀ ଅବହେଳା ରହିଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରି କହିଛନ୍ତି,ପରିବାର ପରିପୋଷଣ ପାଇଁ କାମ ଧନ୍ଦାର ଅଭାବ,ଜଙ୍ଗଲ କ୍ଷୟ ଏବଂ ପାହାଡିଆ ଅଞ୍ଚଳ ଯୋଗୁଁ ଫସଲ ଆଦାୟ ପରିମାଣ ଦିନକୁ ଦିନ କମିବାରେ ଲାଗିଛି । ଏଣୁ ଅଭାବ ଅନାଟନ ଲାଗି ରହିଛି । ପେଟପାଟଣା ପାଇଁ ଘରଦ୍ୱାର ଛାଡି ଆନ୍ଧ୍ର,ତେଲଙ୍ଗାନା ଓ ଚେନ୍ନାଇ ଆଦି ଅଞ୍ଚଳକୁ ଅନେକ ଦାଦନ ଭାବେ ଚାଲିଗଲେଣି । କେରାଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ରଘୁନାଥ ଶବର ଏବଂ ସେହି ଅଞ୍ଚଳର ଗ୍ରାମବାସୀ ପିତାମ୍ବର ଭୂୟାଁ, ଲାସିକା ଭୂୟାଁ, କୁଞ୍ଜ ଭୂୟାଁ, ମୁକୁନ୍ଦ ଶବର ପ୍ରମୁଖ କହିଛନ୍ତି,ଆମ ଅଞ୍ଚଳଟି ମହେନ୍ଦ୍ରଗିରି ପାଦଦେଶରେ ରହିଛି । ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବା ଯୋଗୁଁ ଓଡିଶା ପ୍ରଶାସନର ବିଶେଷ ଦୃଷ୍ଟି ପଡୁନାହିଁ । ସ୍ୱାଧିନହେବାର ଦୀର୍ଘ ୭୦ବର୍ଷପରେ ବିଭିନ୍ନ ଯୋଜନା ଉପରେ ଯୋଜନା ପ୍ରସ୍ତୁତ ହେଉଥିବାବେଳେ ଜିଲା ସଦର ମହକୁମା ଠାରୁ ପ୍ରାୟ ୫୬ କିଲୋମିଟର ଦୂରରେ ରହିଥିବା ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗମନାଗମନର କୌଣସି ଉଚିତ ସୁବିଧା ଯୋଗାଇ ଦିଆଯାଇ ନାହିଁ । ସେହିପରି ଏହି ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଡାକଘରଟିଏ ମଧ୍ୟ ଖୋଲାଯାଇପାରିନାହିଁ । ଏଠାରେ ଶିକ୍ଷା ବୋଲି କହିଲେ ୧୯୨୬ ମସିହାରୁ ପ୍ରତିଷ୍ଠା ହୋଇଥିବା ଏକ ବିଦ୍ୟାଳୟ ରହିଛି ମାତ୍ର ତାହା ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି । ସେହିପରି ଏହି ଅଞ୍ଚଳରେ ମୋବାଇଲ ଟାୱାର ସୁବିଧା ନଥିବାଯୋଗୁଁ ଯେ କୌଣସି ଅସୁବିଧା ସମୟରେ ଅଞ୍ଚଳବାସୀ ବାହାରକୁ ଯୋଗାଯୋଗ କରିବାପାଇଁ ବିଫଳ ହେଉଛନ୍ତି । ଯଦି କାହାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୁଏ ସେମାନେ ବାଧ୍ୟ ହୋଇ ପୋଡଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲା ଅନ୍ତର୍ଗତ ୧୫କିମି ଦୂରତାରେଥିବା ମଞ୍ଜୁଷା କିମ୍ବା ୨୫କିମି ଦୂରରେଥିବା ପଲାସାକୁ ଅନେକ ସମୟରେ ରୋଗୀଙ୍କୁ ଖଟରେ ବୋହି ନେବାକୁ ବାଧ୍ୟ ହେଉଛୁ । ତେବେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଯଦି ଏହି ଅଞ୍ଚଳର ଉନ୍ନତି ସାଧାନ ପାଇଁ ଦୃଷ୍ଟି ଦେଲେ ଅଞ୍ଚଳର ବିକାଶ ସମ୍ଭବ ହୋଇପାରନ୍ତା । ବର୍ତ୍ତମାନ ଏହି କେରାଣ୍ଡି ଗ୍ରାମକୁ ଯିବା ପାଇଁ ପାରଳାଖେମୁଣ୍ଡି ଠାରୁ କଇଁପୁର ଦେଇ ଯିବାକୁ ପଡିଥାଏ । କଇଁପୁର ଠାରୁ କେରାଣ୍ଡି ଗ୍ରାମକୁ ଯିବାପାଇଁ ତୁମ୍ବଗାଁ ଦେଇ ଯେଉଁ ଅଙ୍କାବଙ୍କା ପାହାଡିଆ ଘାଟିରାସ୍ତା ରହିଛି । ସେହି ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡିଛି । ଗତ ୨୦୧୮ ଅକ୍ଟୋବର ୧୦ ତାରିଖରେ ଭୟଙ୍କର ତିତ୍‌ଲି ମହାବାତ୍ୟା ସମଗ୍ର ଗଜପତି ଜିଲା ଏବଂ ମୁଖ୍ୟତଃ ରାୟଗଡ ବ୍ଲକର ଗଙ୍ଗାବାଡ, କେରାଣ୍ଡି, କଇଁପୁର ପଞ୍ଚାୟତର ପ୍ରବଳ କ୍ଷତି ଘଟାଇଥିଲା । ତାକୁ ଦୃଷ୍ଟିରେ ରଖି ସେ ସମୟରେ ଏହି କ୍ଷତିଗ୍ରସ୍ତ ଭେଟିବାପାଇଁ ବହୁ ରାଜ୍ୟସ୍ତରୀୟ ଅଧିକାରୀ ଗଜପତି ଜିଲା ଏବଂ ମୁଖ୍ୟତଃ ରାୟଗଡ ବ୍ଲକର ଏହି ସବୁ ପଞ୍ଚାୟତକୁ ଗସ୍ତରେ ଆସିଥିଲେ । ସେ ସମୟରେ ତରବରିଆଭାବେ କଇଁପୁର ଠାରୁ କେରାଣ୍ଡି ରାସ୍ତାଟି କାର୍ଯ୍ୟ କରାଯାଇଥିଲା ଯାହାକି ପତଳା ପରସ୍ତର ମୋରମ ଢାଳି ଲୋକ ଦେଖାଣିଆ ଭାବେ କାର୍ଯ୍ୟଟିକୁ ସମାପ୍ତ କରାଯାଇଥିଲା । ଅନ୍ୟପକ୍ଷରେ କହିବାକୁ ଗଲେ ଏହା କେବଳ ରାଜ୍ୟସ୍ତରୀୟ ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜେଣତେଣ ପ୍ରକାରେ ଉକ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା । କାର୍ଯ୍ୟ ସମାପ୍ତ ହେବାର ମାତ୍ର କିଛି ଦିନ ପରେ ଉକ୍ତ ରାସ୍ତାଦେଇ କେରାଣ୍ଡି ପଞ୍ଚାୟତକୁ ଯାତାୟତ କରିବା ଏକ ପ୍ରକାର ବିପଦକୁ ହାତେବା ଭଳି ମନେ ହୁଏ । ଅନ୍ୟପକ୍ଷରେ ଏହି ରାସ୍ତାଦେଇ ଆମ୍ବୁଲାନ୍ସ ଯିବାତ ଏକ ଦୁରୁଃ ବ୍ୟାପାର ଦୁଇଚକିଆ ଯାନ ମଧ୍ୟ ଯିବା କଷ୍ଟକର ହୋଇପଡୁଛି । ଏହି ଗମନାଗମନ ସମସ୍ୟା ଯୋଗୁଁ କେରାଣ୍ଡି ପଞ୍ଚାୟତର ଓୟା, ବଡଅନ୍ତରସିଂ, ଲକିଡା, କେରାଣ୍ଡି ଇତ୍ୟାଦି ପ୍ରାୟ ୨୦ଖଣ୍ଡ ଗ୍ରାମର ୧୪୭୦ରୁ ଉର୍ଦ୍ଧ ଜନସଂଖ୍ୟା ସମେତ କେରାଣ୍ଡି ଗ୍ରାମର ପ୍ରାୟ ୩୮୦ ଜନସଂଖ୍ୟା ପ୍ରଭାବିତ ହେବା ସହ ବିଭିନ୍ନ ସମସ୍ୟାରେ ଗତି କରୁଛୁ । ଏସବୁରେ ଅସହ୍ୟ ହୋଇ ପେଟପାଟଣା ପାଇଁ ଅନେକେ ଦାଦନ ଭାବେ ବାହାର ରାଜ୍ୟକୁ ଚାଲିଗେଣି । ତୁରନ୍ତ ରାଜ୍ୟ ସରକାର ଏହି ଅଞ୍ଚଳର ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ