ମ୍ଯୁନିସିପାଲିଟି ଓ ପଞ୍ଚାୟତରାଜ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ଓ ଅପାରଗତା କାରଣରୁ ବାଲେଶ୍ବର ଜନସାଧାରଣ ମୌଳିକ ସେବାରୁ ବଞ୍ଚିତ :- ସାଂସଦ ସୁରେଶ ପୂଜାରୀ

ବାଲେଶ୍ବର, (ଓ୍ବାଇଏନ୍ଏସ୍):ବାଲେଶ୍ବର ଉପନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା ବରଗଡ଼ର ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ କରିଥିଲେ।ବାଲେଶ୍ବରର ପଞ୍ଚାୟତରାଜ ଓ ପୌରସଂସ୍ଥାରେ ବ୍ଯାପକ ଅନିୟମିତତା କାରଣରୁ ଜନସାଧାରଣ ମୌଳିକ ସେବାରୁ ବଞ୍ଚିତ ହେବାର ଅଭିଯୋଗ ଆଣିଥିଲେ। ନିକଟରେ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଲୋକାଲ୍ ଫଣ୍ଡ ଅଡ଼ିଟର ତଥ୍ୟକୁ ଆଧାର କରି ଶ୍ରୀଯୁକ୍ତ ପୂଜାରୀ ଅଭିଯୋଗ କରିଥିଲେ ଯେ ବାଲେଶ୍ବରର ପଞ୍ଚାୟତ ଓ ପୌରସଂସ୍ଥା ପାଉଥିବା ଅନୁଦାନ ସମେତ ଅନ୍ୟାନ୍ୟ ସମ୍ବଳକୁ ଖର୍ଚ୍ଚ କରି ପାରୁ ନାହାଁନ୍ତି। ଯାହାବି ଖର୍ଚ୍ଚ କରୁଛନ୍ତି ତାର କୌଣସି ହିସାବ ତାଙ୍କ ପାଖରେ ନାହିଁ। ତେଣୁ ବିନିଯୋଗ ପ୍ରମାଣ ପତ୍ର ଦେବାରେ ସେମାନେ ଅସମର୍ଥ ହେଉଛନ୍ତି। ଖର୍ଚ୍ଚ ନହୋଇ ଜିଲ୍ଲା ପରିଷଦରେ ୧୫ କୋଟି, ପଞ୍ଚାୟତ ସମିତିରେ ୨୫୭ କୋଟି ଏବଂ ପଞ୍ଚାୟତ ଗୁଡିକରେ ୧୭୦ କୋଟି ଟଙ୍କା ପଡି ରହିଛି। ବିନିଯୋଗ ହୋଇଥିବା ଅର୍ଥରୁ ପଞ୍ଚାୟତ ସମିତି ଗୁଡିକ ୬୩୫ କୋଟି ଟଙ୍କା ଓ ପଞ୍ଚାୟତ ଗୁଡିକ ୨୬ କୋଟି ଟଙ୍କାର କୌଣସି ହିସାବ ରଖି ନାହାଁନ୍ତି। ଉଲ୍ଲେଖନୀୟ ଯେ ବିଜୁ ଜନତା ଦଳର କର୍ମୀ ଓ ସମର୍ଥକମାନେ ପଞ୍ଚାୟତ ସମିତି ଗୁଡିକରୁ ବିଭିନ୍ନ କାର୍ଯ୍ୟ ଓ ଯୋଗାଣ ନିମନ୍ତେ ଅଗ୍ରୀମ ଅର୍ଥ ରାଶି ନେଇଯାଇଛନ୍ତି। ଉକ୍ତ ଅଗ୍ରୀମ ମଧ୍ୟରୁ ପଞ୍ଚାୟତ ସମିତି ଗୁଡିକରେ ୨୩ କୋଟି ଓ ପଞ୍ଚାୟତ ଗୁଡିକରେ ୨ କୋଟି ଟଙ୍କାର କୌଣସି କାର୍ଯ୍ୟ ହୋଇନାହିଁ କିମ୍ବା ଏହି ଅର୍ଥ ସେମାନଙ୍କ ପାଖରୁ ଅସୁଲ କରାଯାଇ ନାହିଁ। ପଞ୍ଚାୟତ ସମିତି ଗୁଡିକରେ କାହାକୁ କେତେ ଅଗ୍ରୀମ ଦିଆ ଯାଇଛି ତାହାର ବିଧିବଦ୍ଧ ହିସାବ ଖାତା ନାହିଁ। ଆଶ୍ଚର୍ଯର କଥା ବିନା ବାର୍ଷିକ ବଜେଟରେ ପରିଚାଳିତ ହେଉଛି ୧୨ଟି ପଞ୍ଚାୟତ ସମିତି।୨୦୧୩ ମଇ ମାସରୁ ଗୋଟିଏ ଯୋଜନା ପାଇଁ ଏକାଧିକ ବ୍ଯାଙ୍କ ଜମା ଖାତା ରଖିବା ନିଷିଦ୍ଧ ହୋଇଥିଲେ ମଧ୍ୟ ବାଲେଶ୍ବର ସଦର ପଞ୍ଚାୟତ ସମିତିରେ ଆବାସ ଯୋଜନା ପାଇଁ ତିନୋଟି, ଅଙ୍ଗନବାଡି ପାଇଁ ଦୁଇଟି, ଯାତୀୟ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁଇଟି, ମଧ୍ଯାନ୍ନ ଭୋଜନ ପାଇଁ ଦୁଇଟି ଓ ସମିତି ବିବିଧ ପାଇଁ ଦୁଇଟି ବ୍ଯାଙ୍କ ଜମା ଖାତା ଖୋଲାଯାଇଛି। ପଞ୍ଚାୟତ ସମିତି ଗୁଡିକର ଜମା ରାଶିରୁ ଅର୍ଜିତ ୬୮ ଲକ୍ଷ ଟଙ୍କା ସୁଧର ହିସାବ ମିଳୁନାହିଁ। ବନ୍ଦ ହୋଇଯାଇଥିବା ଯୋଜନା ଗୁଡିକର ବଳକା ୩୫ କୋଟି ଟଙ୍କା ବିଭିନ୍ନ ପଞ୍ଚାୟତ ସମିତିରେ ପଡିରହିଛି।
ସେହିପରି ପ୍ରଧାନମନ୍ତ୍ରୀଙ୍କ ସହରାଞ୍ଚଳ ପାଇଁ ଡ୍ରିମ ପ୍ରୋଜେକ୍ଟ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ କରିଥିବା ଓଡିଶାରେ ନଅଟି ସହର ମଧ୍ୟରୁ ବାଲେଶ୍ବର ହେଉଛି ଅନ୍ୟତମ। ଗତ ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ଅମୃତ ଯୋଜନାରେ ପ୍ରଦାନ କରିଛନ୍ତି ୮୮୫ କୋଟି ଟଙ୍କା। କିନ୍ତୁ ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ ଓ ବାଲେଶ୍ବର ପୌରସଂସ୍ଥାର ଅପାରଗତା କାରଣରୁ ଏହି ବିପୁଳ ଅର୍ଥରୁ ବାଲେଶ୍ବର ସହରରେ କୌଣସି ଆଖି ଦୃଶିଆ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ଶିଳାନ୍ଯାସ କରିଥିବା ଚାରୋଟି ପାର୍କ ମଧ୍ୟରୁ ଅଧା ପନ୍ତରିଆ ଭାବେ ମାତ୍ର ଗୋଟିଏ ପାର୍କରେ ଅଳ୍ପ କିଛି କାମ ହୋଇ ଥିବା ବେଳେ ଅନ୍ୟ ତିନୋଟି ପାର୍କରେ ମୁଠାଏ ମାଟି ପଡିନାହିଁ କି ଗଛଟିଏ ଲାଗିନାହିଁ। ସେହିପରି ବୁଢାବଳଙ୍ଗ ନଦୀରୁ ସହର ବାସୀଙ୍କୁ ଜଳ ଯୋଗାଣ ପ୍ରକଳ୍ପଟିକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ବନ୍ଦ କରିଦିଆଗଲା।ଏହା ବ୍ୟତୀତ ପରିବହନ ପାଇଁ ଆସିଥିବା ସିଟି ବସ୍ ଗୁଡିକ ଖତ ଖାଇବା, ଅତିତରେ ବିଜେଡ଼ିର ପ୍ରତିଶ୍ରୁତି ମୁତାବକ ରିଂ-ରୋଡ, ଇଡକୋ ଟାୱାଏର ଓ ନୂଆ ବସ ଷ୍ଟାଣ୍ଡ ନିର୍ମାଣ ନହେବା ଘଟଣାକୁ ଆଙ୍ଗୁଳି ନିର୍ଦ୍ଦେଶ କରି ଶ୍ରୀଯୁକ୍ତ ପୂଜାରୀ ଏସମସ୍ତ ଅବ୍ଯବସ୍ଥା ପାଇଁ ବିଜୁ ଜନତା ଦଳକୁ କାଠ ଗଡାକୁ ଟାଣିଥିଲେ।ତେଣୁ ପଞ୍ଚାୟତ ଓ ପୌରସଂସ୍ଥାରୁ ଜନସାଧାରଣଙ୍କ ପାଇଁ ମୌଳିକ ସେବା ସୁନିଶ୍ଚିତ କରିବା ନିମନ୍ତେ ଆସନ୍ତା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସଂଖ୍ୟାରେ ସମର୍ଥନ କରିବା ପାଇଁ ଶ୍ରୀଯୁକ୍ତ ପୂଜାରୀ ନିବେଦନ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ପୂଜାରୀଙ୍କ ସହିତ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ ଓ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ