ଯକ୍ଷ୍ମା ରୋଗ ଚିହ୍ନଟ ଓ ନିରାକରଣ ସଚେତନତା କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତର ସମସ୍ତ ଗ୍ରାମକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ ମୁକ୍ତ କରିବା ସକାଶେ ଗୁରୁବାର ଯକ୍ଷ୍ମା ରୋଗୀ ଚିହ୍ନଟ ଓ ଯକ୍ଷ୍ମା ରୋଗ ନିରାକରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ସଭାପତିତ୍ବରେ ଭାରତ ସରକାରଙ୍କ ଦ୍ଵାରା ଜାରି ରହିଥିବା ଟିବିମୁକ୍ତ ଅଭିଯାନରେ କଇଠଖଣ୍ଡି ଉପ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଧିକାରୀ ଙ୍କ ସମେତ ସମସ୍ତ କର୍ମକର୍ତ୍ତା , ପଞ୍ଚାୟତ ଅଧିନରେ କାର୍ଯ୍ୟରତ ସମସ୍ତ ୱାର୍ଡ ସଦସ୍ୟ, ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ , ବିଦ୍ୟାଳୟ ଶିକ୍ଷକ ମାନେ କାର୍ଯ୍ୟକ୍ରମ ରେ ସାମିଲ ଥିଲେ । ପଞ୍ଚାୟତର ସମସ୍ତ ଗ୍ରାମରେ ବ୍ୟାପୁଥିବା ଯକ୍ଷ୍ମା ରୋଗର ମୁଳତ୍ପୋଟନ କରି ପଞ୍ଚାୟତକୁ ଏକ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ରୂପେ ଗଢିତୋଳିବା ସହ ବର୍ତ୍ତମାନ ଏହି ରୋଗର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିକୁ ଚିହ୍ନଟ କରି ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରପଞ୍ଚ ଉପସ୍ଥିତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ରୋଗର ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବା ନିମନ୍ତେ ସେ ଅନୁରୋଧ କରିଥିଲେ । ପୂର୍ବରୁ ଆକ୍ରାନ୍ତ ଥିବା ରୋଗୀ , ବର୍ତ୍ତମାନ ଏହି ରୋଗର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିମନ୍ତେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସହ ସେ ସବିଶେଷ ଆଲୋଚନା କରିଥିଲେ। ପ୍ରତ୍ୟେକ ଗ୍ରାମକୁ ସେ ସ୍ବାସ୍ଥ୍ୟକର୍ମୀ ମାନଙ୍କ ସହ ପରିଦର୍ଶନ କରି ଏହି ରୋଗରେ ପୀଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ତଦାରଖ କରି ଆକ୍ରାନ୍ତ ବ୍ୟକ୍ତିଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ତେବେ ଏହି ରୋଗର ମୂଳୋତ୍ପାଟନ ପାଇଁ ସଚେତନତା ଅଭିଯାନ ଆସନ୍ତା ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ସ୍ଵାସ୍ଥ୍ୟ କର୍ମୀମାନେ ସମସ୍ତ ଗ୍ରାମ ପରିଭ୍ରମଣ କରି ରୋଗୀ ଚିହ୍ନଟ ପରେ ତାର ନିରାକରଣ ପାଇଁ ପ୍ରତିଷେଧକ ଔଷଧ ପ୍ରଦାନ କରାଯିବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି ।