ଯମୁନା ପରେ ଜୀନତ୍ ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ଆଉ ଏକ ବାଘୁଣୀ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଶିମିଳିପାଳ ଅଭୟାରଣ୍ୟକୁ ପୁଣି ଏକ ନୂଆ ଅତିଥି ଆସିଛନ୍ତି । ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଲା ଆଉ ଗୋଟିଏ ବାଘୁଣୀ ‘ଜୀନତ୍’। ବାଘୁଣୀକୁ ମହାରାଷ୍ଟ୍ରରୁ ଅଣାଯାଇ ଶିମିଳିପାଳରେ ଛଡାଯାଇଛି । ଶିମିଳିପାଳ ଅଭୟାରଣ୍ୟ ରେ ବାଘ ବଂଶ ବୃଦ୍ଧି ଉଦେଶ୍ୟରେ ପୁଣି ଏକ ବାଘୁଣୀ କୁ ମହାରାଷ୍ଟ୍ରରୁ ‘ଜୀନତ୍’କୁ ଅଣାଯାଇଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବନ ବିଭାଗ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ରରୁ ବାଘୁଣୀ ‘ଜୀନତ୍’କୁ ଆଣିଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଆଉ ଗୋଟିଏ ବାଘୁଣୀ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିବା ନିମନ୍ତେ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ଏଥି ସହିତ ଆଇନତଃ ପ୍ରକ୍ରିୟା କରି ଆଉ ଗୋଟିଏ ବାଘୁଣୀକୁ ଯନ୍ତା ଗାଡ଼ିରେ ସ୍ଥଳ ପଥ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଛି । ପଶୁ ଡାକ୍ତରୀ ଟିମ, ତାଲିମପ୍ରାପ୍ତ ବନ କର୍ମଚାରୀ ଏବଂ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଟିମ ରାସ୍ତାରେ ବାଘର ଯାଞ୍ଚ ପ୍ରକ୍ରିୟା କରିଛନ୍ତି । ଗତକାଲି (ଗୁରୁବାର) ସନ୍ଧ୍ୟା ସମୟରେ ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ପହଞ୍ଚିଥିଲା ।
ବାଘୁଣୀର ସ୍ୱାସ୍ଥ୍ୟ ଯାଞ୍ଚ କରି ବାଘୁଣୀ ଜୀନତକୁ ଶିମିଳିପାଳ କୋର ଅଞ୍ଚଳରେ ଥିବା ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଛି । ତେବେ ଗତକାଲି (ଗୁରୁବାର) ଏହି ବାଘୁଣୀଟି ଆସିଥିବାବେଳେ ଆଜି (ଶୁକ୍ରବାର) ସକାଳ ୯ଟା ବେଳେ ଯମୁନାଘାଟି କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜର ଛଡାଯାଇଛି । ଏହାର ନାମ ଜିନତ (ଟି-୧୬୩ ଏସ୧ ଏଫ) ରଖାଯାଇଥିବାବେଳେ ବୟସ ୩ ବର୍ଷ ଅଟେ । ସଫ୍ଟ ଏନକ୍ଲୋଜରରେ ବାଘୁଣୀ ସୁସ୍ଥ ଭାବେ ଚଳ ପ୍ରଚଳ କରୁଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ ବର୍ଷ ୭ ମାସ ବୟସର ବାଘୁଣୀ ଯମୁନାକୁ ଶିମିଳିପାଳ ଅଣାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ବାଘୁଣୀ ଯମୁନାକୁ ଛଡା ଯାଇଥିଲା । ପର ଏନକ୍ଲୋଜର ମଧ୍ୟରେ ଛଡ଼ା ଯାଇଥିବା ବାରହାକୁ ଶିକାର କରିଥିଲା ଯମୁନା ।
ଆଗକୁ ଆହୁରି ତିନିଟି ବାଘୁଣୀ ଙ୍କୁ ଓଡିଶା ଅଣାଯିବ ଓ ଅନ୍ୟ ଅଭୟାରଣ୍ୟ ର ପରିବେଶ ଓ ସ୍ଥିତି କୁ ଦେଖି ଅନ୍ୟ ଅଞ୍ଚଳ ନିମନ୍ତେ ବାଘୁଣୀ ଆଣିବାର ବ୍ୟବସ୍ଥା କରାଯିବ ବୋଲି ଜଙ୍ଗଲ ଓ ପାରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ