ଯମୁନା ସ୍ନାନରେ ଦୋଳ ମେଳଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଦୋଳ ମେଳଣ ପର୍ବ ପାଳନ କରାଯାଇଛି ।ଏହି ଅବସରରେ ଚାନ୍ଦପୁରା ଗୋପୀନାଥ ମନ୍ଦିର,ବାଲିସାହି, କୋକିଢିହ, ନାଉଗାଁ ବଜାରରେ ଦୋଳ ମେଳଣ କରାଯାଇଛି । ବୁଧବାର ପ୍ରାତଃ ସମୟରେ ଗଙ୍ଗଦା-ତେଂଟୋଇସ୍ଥିତ ଯମୁନା ସ୍ନାନ ଦୋଳ ମେଳଣ ପଡିଆରେ ଦୋଳ ମେଳଣର ଆୟୋଜନ କରାଯାଇଥିଲା । ଏହି ମେଳଣ ପଡିଆକୁ ୧୪ଟି ଦୋଳ ବିମାନ ବିଭିନ୍ନ ଗ୍ରାମରୁ ଆସି ଗୋବରୀ ନଦୀ ପଠାରେ ଏକତ୍ରିତ ହୋଇଥିଲେ । ଦୋଳ ବିମାନ ଗୁଡିକୁ ରଙ୍ଗବେରଙ୍ଗର ଫୁଲ ଓ ଆଲୋକମାଳାରେ ସଜ୍ଜିତ କରାଯିବା ସହ ବାଜା ବାଣ ଆଦି ରୋଷଣୀ କରାଯାଇ ଶୋଭାଯାତ୍ରା କରି ଏହି ମେଳଣ ସ୍ଥାନକୁ ଅଣାଯାଇଥିଲା । ମେଳଣ ପରେ ସମସ୍ତ ବିମାନରେ ଥିବା ରାଧା କୃଷ୍ଣଙ୍କୁ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ମେଳଣ ନିକଟରେ ସାରା ଦିନ ଭଜନ କିର୍ତନ କରାଯାଇଥିଲା । ସଂଧ୍ୟା ପୂର୍ବରୁ ସବୁ ଠାକୁରମାନେ ପଂକ୍ତି ଭୋଗ ଖାଇ ନିଜ ଗ୍ରାମକୁ ବାହୁଡି ଥିଲେ । ସବୁଠାରୁ କୌତୁହଳ ବିଷୟ ଏହି ମେଳଣକୁ କେହି କାହାରିକୁ ନିମନ୍ତ୍ରଣ କରି ନଥାନ୍ତି । କିନ୍ତୁ ଠାକୁରମାନେ ନିଜ ଖର୍ଚ୍ଚରେ ବାଜା, ବାଣ ରୋଷଣୀ କରି ଏଠାରେ ଏକତ୍ରିତ ହୋଇ ଭାଇଚାରା ଅନୁସାରେ ପୁଣି ଫେରିଥାନ୍ତି । କୋରୁଅ ଗ୍ରାମର ଦୋଳ ବିମାନ ଡାହଣ ପାଶ୍ୱର୍ରେ ବସୁଥିବା ବେଳେ ଗଂଗଦା (ମଝିପଡା) ଦୋଳ ସମ୍ମୁଖରେ ବସିଥାନ୍ତି । ନରଣପୁର ଦୋଳ କ୍ଷେତ୍ରପାଳ ହିସାବରେ ଶେଷରେ ବସିଥାନ୍ତି । ଏଠାରେ ପ୍ରବାହିତ ଗୋବରୀ ନଦୀ ପାଣିରେ କାଳିସୀ ଫୁଲ ବାହାର କରିବା ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପୁରୀ ଜିଲ୍ଲା ପଥରପକା ଦୋଳ ବିମାନଟି ଅଧିକ ଗହଣାରେ ସଜ୍ଜିତ ହୋଇ ଏହି ମେଳଣକୁ ଆସିଥାନ୍ତି । ମେଳଣ ଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ