ଯାଜପୁରରୁ ଆଉ ୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି
ଭୁବନେଶ୍ବର: ଓଡ଼ିଶାରେ ପୁଣି ବଢ଼ିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ସକାଳେ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୩ କୋରୋନା ଆକ୍ରାନ୍ତ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି। ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ ଜଣ ଅନ୍ୟଠାରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।
ଗୁରୁବାର ସକାଳେ ଚିହ୍ନଟ ହୋଇଥିବା ସମସ୍ତ ୩ ଜଣ କୋରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସଂକ୍ରମିତଙ୍କ ବୟସ ଯଥାକ୍ରମେ- ୬୫ ବର୍ଷ, ୫୬ ବର୍ଷ ହୋଇଥିବା ବେଳେ ଯୁବତୀଙ୍କ ବର୍ଷ ୧୮ ବର୍ଷ ବୋଲି ଜଣାପଡ଼ିଛି। ଏହି ୬୫ ବର୍ଷିୟ ବ୍ୟକ୍ତି ଜଣକ ଦଶରଥପୁର ବ୍ଲକ୍ର ଡାହାଣହତା ପଞ୍ଚାୟତ ଦେଓପଦାର ଅଞ୍ଚଳ ହୋଇଥିବା ବେଳେ ସେ ନିକଟରେ କୋଲକାତାରୁ ଫେରିଥିଲେ। ତାଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଥିଲା ଏବଂ ସଂକ୍ରମଣର କୌଣସି ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଇ ନ ଥିଲା। ସେହିପରି ଅନ୍ୟ ୨ ଜଣ ଉକ୍ତ ବ୍ଲକ୍ର କଟିକଟା ପଞ୍ଚାୟତର ବୋଲି ଜଣାପଡ଼ିଛି। ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଏମାନଙ୍କୁ ମିଶାଇ ଦଶରଥପୁର ବ୍ଲକ୍ରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି ଓ ଯାଜପୁର ଜିଲ୍ଲାରେ ୨୨ ହୋଇଛି।
ରାଜ୍ୟରେ ଏପର୍ଯ୍ୟନ୍ତ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୮ରେ ପହଞ୍ଚିଛି। ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ୮୮ଟି ସକ୍ରିୟ ମାମଲା ରହିଥିବା ବେଳେ ୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୫୮୮ଟି ସାମ୍ପଲ୍ ଟେଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧,୬୯୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୨୮ଟି ପଜିଟିଭ୍ ଚିହ୍ନଟ ହୋଇଛି। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ୧୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି କୋରାପୁଟ, କଟକ, ଢେଙ୍କାନାଳ ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ତାଲିକାରେ ଏବେ କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲା ସାମିଲ୍ ହୋଇଛି।


