ଫେରାର ଥିବା ୨ ପିଲେଟ୍ ଚୋରି ଅଭିଯୁକ୍ତ ଗିରଫ
ଯୋଡା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବଡବିଲସ୍ଥିତ ଆରିୟା ଷ୍ଟିଲ କାରଖାନାରୁ ପରିବହନ ବେଳେ ପିଲେଟ ଚୋରି କରିଥିବା ଦୁଇ ଫେରାର ଅଭିଯୁକ୍ତକୁ ପୋଲିସ ବୁଧବାର ଗିରଫ କରିି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କମାର ଯୋଡା ଅଂଚଳର ସମୀର ଖାନ୍ ଓରଫ ପପୁ, ଓ ଅମିର ହୁସେନ୍ ଓରଫ ରାଜ୍ । ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁଙ୍କଠାରୁ ମିଳିିଥିବା ସୂଚନାନୁଯାୟୀ, ଆରିୟା ଷ୍ଟିଲ କମ୍ପାନୀରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀ, ଅଧିକାରୀ ଓ ସ୍ଥାନୀୟ କିଛି ଯୁବକଙ୍କ ସହ ମିଶି ଆରିୟା ଷ୍ଟିଲ କମ୍ପାନୀରୁ ଡମ୍ପର ଯୋଗେ ବୋଝେଇ ହୋଇ ଆସୁଥିବା ପ୍ରାୟ ୬୩. ୧୫୦ ମେଟ୍ରିକ ଟନ୍ ପିଲେଟ୍ କୁ ଗନ୍ତବ୍ୟ ସ୍ଥଳ ବାଂଶପାଣି ରେଳ ସାଇଡିଂରେ ପକାଇବା ପରିବର୍ତେ, ଚଂଚକତା କରି ଚୋରା ଚାଲାଣ କରିବାକୁ ଉଦ୍ୟମ କରିଥିଲେ । ଏନେଇ ଯୋଡା ଥାନାରେ କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ କେଶ୍ ନଂ ୯୨/ ୨୦/୦୮/୨୦୧୭ ଦଫା ୩୭୯ , ୪୧୧, ୩୪ ଆଇପିସି ରୁଜୁ କରି ଏଥିରେ ସଂପୃକ୍ତ ଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣ କମ୍ପାନୀରେ କାର୍ଯ୍ୟରତ ଥିବା ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ , ଅନ୍ୟ ୩ ଜଣ ଅଭିଯୁକ୍ତ ଦୀର୍ଘ ବର୍ଷ ହେଲା ପୋଲିସକୁ ଧୂଳି ଦେଇ ଫେରାର ଥିଲେ । ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଚଢାଉକରି ଫେରାର ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।


