ଯାଜପୁରର ପୂର୍ବତନ ସାଂସଦ ଅଞ୍ଚଳ ଦାସ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଲେ
ଭୁବନେଶ୍ୱର, ଯାଜପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଅଞ୍ଚଳ ଦାସ ଆଜି ତାଙ୍କର ବହୁ ସମର୍ଥକମାନଙ୍କ ସହ ବିଜେପିରୁ ଇସ୍ତଫା ଦେଇ ପିସିସି କାର୍ଯ୍ୟାଳୟଠାରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ୍ ହୋଇଛନ୍ତି । ସେ ଜଣେ ଦକ୍ଷ ସଂଗଠକ ଭାବରେ ଯାଜପୁର ଜିଲ୍ଲାରେ ତାଙ୍କର ପ୍ରତିଷ୍ଠା ଜାହିର କରିଛନ୍ତି । ବିଜେପିରେ ବହୁ ଦିନ ଧରି ଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯିବାରୁ ସେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଆଜି ଏକ ଭବ୍ୟ ସଭାରେ କଂଗ୍ରେସର ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ ରାଉତ, କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଯାଜପୁର ବ୍ଲକର ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ଦାସ, ଯାଜପୁର ମୁନିସିପାଲିଟିର ଯୁବନେତା ଭରତଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ଦାସଙ୍କ ସହ ଦଶରଥପୁର, ଯାଜପୁର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସମର୍ଥକ କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ୍ ହୋଇଥିଲେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ଦାସଙ୍କ କଂଗ୍ରେସରେ ଯୋଗଦାନ ଫଳରେ ଯାଜପୁର ଜିଲ୍ଲାରେ କଂଗ୍ରେସ ସୁଦୃଢ ହେବ ଓ କଂଗ୍ରେସ ପୁନର୍ବାର ତାର ଗୌରବ ଫେରିପାଇବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ତଥା ରାଜ୍ୟରେ କୃଷକମାନଙ୍କ ପାଇଁ କୃଷିଋଣ ଛାଡ଼, ପ୍ରତ୍ୟେକ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ, ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଭଳି ଅନେକ ଲୋକାଭିମୁଖୀ ଇସ୍ତାହାର ସମ୍ପର୍କରେ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ । ଅଞ୍ଚଳ ଦାସ କଂଗ୍ରେସରେ ଯୋଗଦେବା ଫଳରେ ଯାଜପୁର ଜିଲ୍ଲାରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି ।


